ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ପଶ୍ଚିମବଙ୍ଗ ଝଡ଼। ଗୋଟିଏ ପଟେ ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜରାସ୍ତାରେ ଅନଶନରେ ବସିଥିବା ବେଳେ ଅପରପକ୍ଷେ ଓଡ଼ିଶା ବିଧାନସଭାରେ ଝଡ଼ ବହିଥିଲା।

ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।

ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି ଗତ ସୋମବାର ବିଜେଡି କହିଥିଲା। ଏହାର ପ୍ରତିବାଦରେ ବିଜେପି ସଭ୍ୟମାନେ ଗୃହରେ ହୋ-ହଲ୍ଲା କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ସଭ୍ୟମାନେ ଚିଟଫଣ୍ଡ ଲେଖା ଥିବା ଗାଉନ ପିନ୍ଧି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ।

ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କୁ ଚିଟଫଣ୍ଡ ଦୁର୍ନୀତିର ମହାନାୟକ ଭାବେ ଦର୍ଶାଇଥିଲେ ବିଜେପି ସଭ୍ୟ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ସଭ୍ୟମାନେ ଚିଟଫଣ୍ଡ ଦୁର୍ନୀତିରେ ଫସିଛନ୍ତି। ମମତା ବାନାର୍ଜୀଙ୍କୁ ଢାଲ କରି ବିଜେଡି ସିବିଆଇ ପଞ୍ଝାରୁ ବଞ୍ଚିବା ପାଇଁ ଚେଷ୍ଟା କରୁଛି।”

ଚିଟଫଣ୍ଡ ମାମଲାରେ ବିଜେଡିର କେତେକ ବିଧାୟକ ଓ ସାଂସଦ ଅତୀତରେ ଗିରଫ ହୋଇଥିଲେ। ନିକଟରେ ପୁଣି ଦୁଇ ବିଧାୟକଙ୍କୁ ହାଜର ଲାଗି ସମନ କରିଛି ସିବିଆଇ। ଏଣୁ ସିବିଆଇ ଭୟରେ ନବୀନ ଏବଂ ମମତା ଏକାଠି ହୋଇଥିବା କହିଛି କଂଗ୍ରେସ।

“ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇ ଜେରା କରିବାକୁ ଡାକିଛି। ଏଥିରେ ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇଯାଇଛନ୍ତି। ମମତା ମଧ୍ୟ ଚିଟଫଣ୍ଡ ଦୁର୍ନୀତିରେ ଫସିଛନ୍ତି। ସିବିଆଇ ପଞ୍ଝାରୁ ମୁକୁଳିବା ପାଇଁ ନବୀନ ଓ ମମତା ପରସ୍ପରର ସହଯୋଗ ମାଗୁଛନ୍ତି”, କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

Comment