ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜୟପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ଼ ଘୋଷଣା।

“କେବିକେ ଅଞ୍ଚଳର ବିକାଶ ପାଇଁ ଆମ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ଅଞ୍ଚଳର ଗମନାଗମନ, ସ୍ୱାସ୍ଥ୍ୟସେବାର ବିକାଶ ପ୍ରତି ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି। ଆଗାମୀ ଦିନରେ ଏଠାରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋରାପୁଟ ଜିଲ୍ଲା ଜୟପୁରଠାରେ ଆଜି ଅନୁଷ୍ଠିତ ହୋଇଥିଲା ଯୁବ ସମାବେଶ। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀଙ୍କୁ ସେବା ମନୋଭାବ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟରେ ୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କରିଥିଲେ। ତେଲେଙ୍ଗାରୀ ଜଳସେଚନ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ।

ଗମନା ଗମନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ତିନି ବଡ଼ ଘୋଷଣା କରିଛନ୍ତି। ଗିରିଲିଗୁମ୍ମା ଓ ଦୁଆରଶୁଣି ନିକଟରେ ପୋଲ ନିର୍ମାଣ ଏବଂ ନନ୍ଦପୁର-ଲମତାପୁଟ ରାସ୍ତାରେ ଉଚ୍ଚ ପୋଲ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ରାଜ୍ୟର ବିକାଶକୁ କେହି ରୋକି ପାରିବେନି। ଆମ ସରକାର ଏସ୍‌ସି ଏବଂ ଏସ୍‌ଟିଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ବିଜୁ କେବିକେ ଯୋଜନା ମାଧ୍ୟମରେ ବିକାଶ ଆଗକୁ ଯିବ।

ଜୟପୁରଠାରେ ଅନୁଷ୍ଠିତ ସମାବେଶରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାରୁ ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।

ଏହା ପୂର୍ବରୁ ବଲାଙ୍ଗିର ଏବଂ ସମ୍ବଲପୁରରେ ଯୁବ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ।

Comment