ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଫେବ୍ରୁଆରି ୪ରୁ ୭ ଦିନ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି। ଏହି ଅବସରରେ ସଡକ ସୁରକ୍ଷା ସଚେତନତା ରଥର ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ।

ଏଣିକି ବିନା ହେଲମେଟ ବାଲା ବାଇକ ଆରୋହିଙ୍କୁ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ମିଳିବନି। କେନ୍ଦ୍ରାପଡ଼ାରେ “ନୋ ହେଲମେଟ ନୋ ପେଟ୍ରୋଲ” ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଦାଶରଥୀ ଶତପଥୀ।

ଯେଉଁ ପେଟ୍ରୋଲ ଟାଙ୍କି ଏହି ଆଦେଶକୁ ଅମାନ୍ୟ କରି ପେଟ୍ରୋଲ ଦେବେ ସେହି ପେଟ୍ରୋଲ ଟାଙ୍କିର ଲାଇସେନ୍ସ ରଦ୍ଦ କରିବାକୁ ପ୍ରଶାସନ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହ ଫେବ୍ରୁଆରି ୪ରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ସଚେତନତା ରଥର ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ।

ଫେବ୍ରୁଆରି ୪ରୁ ୭ ଦିନ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାର ପରିବହନ ବିଭାଗ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଛି।

ଏହି ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଯୋଗ ଦେଇ ଜିଲ୍ଲାରେ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲ୍ଲାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଏହି ବିପତ୍ତିକୁ ଗୁରୁତର ଭାବରେ ଗ୍ରହଣ କରିଛି।

ପ୍ରାୟ ଅଧିକାଂଶ ବାଇକ ଆରୋହୀ ବିନା ହେଲମେଟରେ ବେପରୁଆ ଭାବରେ ଦ୍ରୁତ ଗତିରେ ବାଇକ ଚାଳନା କରି ନିଜେ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଅନ୍ୟର ମୃତ୍ୟୁର କାରଣ ହେଉଛନ୍ତି। ତେଣୁ ଏହି ବାଇକ ଆରୋହୀଙ୍କ ଉପରେ ରୋକ ଲଗାଇବାକୁ ଜିଲ୍ଲାରେ ” ନୋ ହେଲମେଟ ନୋ ପେଟ୍ରୋଲ” ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡା କମ୍ ବୟସର ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ନଦେବାକୁ ପରିବାର ଲୋକଙ୍କୁ ତାଗିଦ କରିଛନ୍ତି ଜିଲ୍ଲାପାଳ। ଯଦି କୌଣସି ପରିବାର ମୁଖ୍ୟ ତାଙ୍କର ଛୋଟ ପିଲା ମାନଙ୍କୁ ବାଇକ ଚଳାଇବାକୁ ଦେବାର ଅଭିଯୋଗ ଆସେ ତେବେ ସେହି ଗାଡିର ରେଜିଷ୍ଟ୍ରେସନ  ସହିତ ପରିବାରର ଯେଉଁ ବ୍ୟକ୍ତିଙ୍କ ନାମରେ ଡ୍ରାଇଭିଂ ଲାଇସେନ୍ସ ଥିବ ସେହି ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ସମେତ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

୭ ଦିନ ବ୍ୟାପି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ପରିବାହନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହିତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଆଦି ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଜିଲ୍ଲା ପରିବହନ ବିଭାଗ।

Comment