ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମମତାଙ୍କ ‘ଦିଦିଗିରି’କୁ ନେଇ ଜାତୀୟ ରାଜନୀତି ହଲ୍‌ଚଲ୍‌।

ସିବିଆଇ-ପଶ୍ଚିମବଙ୍ଗ ପୋଲିସକୁ ନେଇ ଗତ ତିନି ଦିନ ହେଲା କୋଲକାତାରେ ଚାଲିଛି ହାଇଭୋଲଟେଜ ଡ୍ରାମା। ଏହି ଡ୍ରାମାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ମମତା ଧାରଣା ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଏହି ଘଟଣାରେ ମମତା ସିବିଆଇକୁ ଢାଲ କରି ମୋଦି ସରକାରଙ୍କ ଉପରେ ଦିଦିଗିରି ଦେଖାଇଛନ୍ତି।

ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସ ବାକି ଥିବା ବେଳେ ମମତାଙ୍କ ଦିଦିଗିରିକୁ ନେଇ ଏବେ ଜାତୀୟ ରାଜନୀତି ଉଠୁଛି ପଡ଼ୁଛି। ମମତା କାହିଁକି ଦିଦିଗିରି ଦେଖାଇଲେ ବୋଲି ତାକୁ ନେଇ ଚାଲିଛି ସବୁଠି ଚର୍ଚ୍ଚା। ପଶ୍ଚିମବଙ୍ଗର ସିବିଆଇ-ପୋଲିସ ବିବାଦ ଏବେ ଦିଦି-ମୋଦି ଯୁଦ୍ଧରେ ପରିଣତ ହୋଇଯାଇଥିବା ଚର୍ଚ୍ଚା ହେଉଛି।

“ଅତୀତରେ ସିବିଆଇ ଆମ ଦଳର ଅଧିକାଂଶ ନେତାଙ୍କୁ ଗିରଫ କରିଥିଲା। କିନ୍ତୁ ମୁଁ କେବେ ବି ରାଜରାସ୍ତାକୁ ଆସି ନଥିଲି। ଗତ ରବିବାର ସନ୍ଧ୍ୟାରେ କୋଲକାତା ପୋଲିସ ମୁଖ୍ୟ ରାଜୀବ କୁମାରଙ୍କ ଘରେ ସିବିଆଇ ବିନା ପ୍ରମାଣ ଏବଂ ୱାରେଣ୍ଟରେ ପ୍ରବେଶ କରିଥିଲା। ଏହା କୋଲକାତା ପୋଲିସର ସମ୍ମାନରେ ଆଞ୍ଚ ଆଣିଥିଲା। ଏଣୁ ସମ୍ମାନ ରକ୍ଷା କରିବା ପାଇଁ ମୁଁ ରାଜରାସ୍ତାକୁ ଆସିଛି”, ଏହା କହିଛନ୍ତି ମମତା ବାନାର୍ଜୀ।

ମମତାଙ୍କ ଏହି ମନ୍ତବ୍ୟକୁ କିନ୍ତୁ ରାଜନୀତି ପଣ୍ଡିତମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଚିଟଫଣ୍ଡ ସ୍କାମ ଏବଂ କୋଲକାତା ପୋଲିସ ମୁଖ୍ୟ ରାଜୀବ କୁମାରଙ୍କ ଘରେ ସିବିଆଇ ପଶିବାକୁ ନେଇ ଦିଦି ଭୟଭୀତ ହୋଇଯାଇଥିବା କୁହାଯାଉଛି।

“ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିବିଆଇ ମଧ୍ୟରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଅଶୋଭନୀୟ କେବଳ ନୁହେଁ ଦେଶର ଗଣତାନ୍ତ୍ରିକ ପଦ୍ଧତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ନିର୍ବାଚିତ ସରକାର ବିରୋଧରେ ସିବିଆଇ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେଥିରୁ ରାଜନୈତିକ ଦ୍ୱେଷର ସମ୍ପୂର୍ଣ୍ଣ ପ୍ରମାଣ ମିଳୁଛି। ଯେଉଁଭଳି ସମୟରେ ଏବଂ ପରିସ୍ଥିତିରେ ସିବିଆଇ କୋଲକାତା ପୋଲିସ କମିଶନରଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କଲା ତାହା ଠିକ୍ ନଥିଲା। ଏହି ବିବାଦର ଫାଇଦା ଶେଷରେ ମମତା ହିଁ ପାଇବେ। ନୂଆ ସିବିଆଇ ମୁଖ୍ୟ ନିଯୁକ୍ତି ପାଇଥିବା ବେଳେ ପଶ୍ଚିମବଙ୍ଗ ଚିଟଫଣ୍ଡ ଘଟଣାର ତଦନ୍ତକୁ ଆଉ କିଛିଦିନ ଗଡ଼ାଇ ଦିଆଯାଇ ପାରିଥାନ୍ତା”, କହିଛନ୍ତି ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା।

ପଶ୍ଚିମବଙ୍ଗରେ ସାରଦା ଚିଟଫଣ୍ଡ ସଂସ୍ଥା ବହୁ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ୨୦୧୩ରେ ଏସ୍‌ଆଇଟି ଗଠନ କରିଥିଲେ ପଶ୍ଚିମବଙ୍ଗ ସରକାର। ଏହାର ମୁଖ୍ୟ ଥିଲେ ତତ୍କାଳୀନ ବିଧାନନଗର ପୋଲିସ କମିଶନର ରାଜୀବ କୁମାର। ଏସ୍‌ଆଇଟି ସାରଦା ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ସୁଦୀପ୍ତ ସେନ ଏବଂ ଦେବଜାନି ମୁଖାର୍ଜୀଙ୍କୁ ଗିରଫ କରିଥିଲା।

୨୦୧୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ସ୍କାମର ସିବିଆଇ ତଦନ୍ତ ହୋଇଥିଲା। ସିବିଆଇ ଚିଟଫଣ୍ଡ ଦୁର୍ନୀତିର ପଲିଟିକାଲ ଲିଙ୍କ ଖୋଜିଥିଲା।

ଶେଷରେ ବହୁ ଖୋଳତାଡ଼ ପରେ ନଭେମ୍ବର ୨୦୧୩ରୁ ଜାନୁଆରି ୨୦୧୭ ମଧ୍ୟରେ ଟିଏମ୍‌ସି ସାଂସଦ କୁନାଲ ଘୋଷ, ତାପସ ପାଲ୍, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ମନ୍ତ୍ରୀ ମଦନ ମିତ୍ରଙ୍କୁ ଗିରଫ କରିଥିଲା ସିବିଆଇ।

ଜଣକ ପରେ ଜଣେ ନେତା ସିବିଆଇ ଖୁଆଡ଼ରେ ପଡ଼ିବା ପରେ ମମତା ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସିବିଆଇ ତଦନ୍ତରେ ରାଜନୀତି ଗନ୍ଧ ରହିଥିବା କହିଥିଲେ। ଏହାପରେ ସିବିଆଇ ତଦନ୍ତ ଧିମେଇ ଯାଇଥିଲା। କିନ୍ତୁ ଗତ ରବିବାର କୋଲକାତା ପୋଲିସ ମୁଖ୍ୟ ରାଜୀବ କୁମାରଙ୍କ ଘରେ ସିବିଆଇ ପଶିବା ପରେ ମମତା ସିଧା ରାଜରାସ୍ତାକୁ ଚାଲି ଆସିଥିଲେ। ମୋଦି ସରକାରଙ୍କୁ ଟାର୍ଗେଟ କରି ଅନଶନ କରିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜରାସ୍ତାରେ ଅନଶନରେ ବସିବା ପରେ ସଂସଦରେ ଦେଖାଦେଇଥିଲା ଝଡ଼। ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଏକ ରାଜନୀତିକ ଅସ୍ତ୍ର ପାଇଥିଲେ। କଂଗ୍ରେସ, ବିଜେଡି ସମେତ ଅନ୍ୟ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ନିର୍ବାଚନ ପାଖେଇ ଆସୁଥିବାରୁ ପଶ୍ଚିମବଙ୍ଗରେ ଟିଏମ୍‌ସି ଏବଂ ବିଜେପି ଭିତରେ ଚାଲିଛି ଛକାପଞ୍ଝା। ମମତା ସରକାରକୁ ହଟାଇ ବିଜେପି ସରକାର ପ୍ରତିଷ୍ଠା ପାଇଁ ମୋଦି ଏବଂ ଶାହ ପ୍ରସ୍ତୁତ କରିଛନ୍ତି ରଣନୀତି। ବାରମ୍ବାର ପଶ୍ଚିମବଙ୍ଗ ଗସ୍ତ କରି ମମତାଙ୍କୁ କାଉଣ୍ଟର କରୁଛନ୍ତି।

ହେଲେ ଏଥିରେ ପଛଘୁଞ୍ଚା ଦେଇ ନାହାନ୍ତି ମମତା। ମୋଦି ଏବଂ ଶାହଙ୍କୁ କଡ଼ା ଜବାବ ଦେଉଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ବିରୋଧୀ ଶକ୍ତି ଏକାଠି ହେଉଛନ୍ତି। ଏଥିରେ ମୁଖ୍ୟ କର୍ଣ୍ଣଧାର ସାଜିଛନ୍ତି ମମତା ବାନାର୍ଜୀ। ନିକଟରେ ମମତାଙ୍କ ନେତୃତ୍ୱରେ କୋଲକାତାରେ ଏକାଠି ହୋଇଥିଲେ ୨୩ ବିରୋଧୀ ଦଳର ନେତା। ସମସ୍ତେ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଏହାସହ ମମତା ବି ମୋଦିଙ୍କ ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଜୋରଦାର ଉଦ୍ୟମ କରିଥିଲେ।

ଏସବୁ ଘଟଣାକୁ ନେଇ ମୋଦି ସରକାର ଏବଂ ଦିଦି ମୁହାଁମୁହିଁ ହେଉଥିଲେ। କିନ୍ତୁ ଏହି ମୁହାଁମୁହିଁ ନିର୍ବାଚନ ପୂର୍ବରୁ ରାଜନୀତିକ ଯୁଦ୍ଧରେ ପରିଣତ ହୋଇଯାଇଛି। ସିବିଆଇକୁ କେନ୍ଦ୍ର କରି ମୋଦି ସରକାର ଉପରେ ମମତା ଦିଦିଗିରି ଦେଖାଉଥିବା ଚର୍ଚ୍ଚା ହେଉଛି।

Comment