ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ, ବିଜେପି ଓ ବିଜେଡି ଫୋକସ୍‌ରେ ପଶ୍ଚିମ ଓଡ଼ିଶା।

ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଓଡ଼ିଶାର ରାଜନୈତିକ ଦଳମାନେ ସେତିକି ସେତିକି ପଶ୍ଚିମ ଓଡ଼ିଶା ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଶାସକ ବିଜେଡି ବ୍ୟତୀତ ନିଜର ଦୁର୍ଗ କୁହାଯାଉଥିବା ବିଜେପି ଓ କଂଗ୍ରେସ ମଧ୍ୟ ସେମାନଙ୍କର ସ୍ଥିତିକୁ ଜାହିର କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଲାଙ୍ଗିର ଏବଂ ସମ୍ବଲପୁରଠାରେ ଏକ ବଡ଼ ସମାବେଶ କରିଥିବା ବେଳେ ବୁଧବାର ଦିନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଏକ ଜନସଭାରେ ଯୋଗ ଦେଇ ନିଜ ଦଳ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଭବାନିପାଟଣା ପରେ ସେ ରାଉରକେଲା ଯାଇ ଅନ୍ୟ ଏକ ସଭାରେ ଯୋଗ ଦେଇଛନ୍ତି। ରାହୁଲ୍ ଗାନ୍ଧିଙ୍କ ପରେ ପରେ ଆସନ୍ତା ୧୫ ତାରିଖରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ବି ଓଡ଼ିଶା ଆସୁଛନ୍ତି। ସେ ସମ୍ବଲପୁରଠାରେ ଏକ ବଡ଼ ସଭାରେ ଉଦ୍‌ବୋଧନ ଦେବେ। ଏଣେ ରାହୁଲ ଗାନ୍ଧି ପୁଣି ଥରେ ୧୨ ତାରିଖରେ ଓଡ଼ିଶା ଆସି ପ୍ରାକ୍ ନିର୍ବାଚନୀ ପ୍ରଚାର ଚଳାଇବେ।

ଗତ ମାସରେ ରାହୁଲ୍ ଗାନ୍ଧି ଖୋର୍ଦ୍ଧା ନିକଟ ତମାଣ୍ଡୋରେ ଯେଉଁ ସଭା କରିଥିଲେ ତାହା ବେଶ୍‌ ସଫଳ ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ। ତେବେ ବୁଧବାର ଦିନ ଭବାନିପାଟଣା ସଭାରେ ଆଦିବାସୀ ଭୋଟ୍‌କୁ ହିଁ ସେ ମୁଖ୍ୟତଃ ଟାର୍ଗେଟ୍‌ କରିଥିଲେ। ଏଥି ପୂର୍ବରୁ ୨୦୧୦ ମସିହାରେ ରାହୁଲ୍ ଗାନ୍ଧି କଳାହାଣ୍ଡି ଗସ୍ତରେ ଆସି ନିୟମଗିରି ଆଦିବାସୀଙ୍କ ପାଖକୁ ଯାଇଥିଲେ। ବକ୍ସାଇଟ୍ ଖଣି ଖନନ ଯୋଗୁଁ ବାସହରା ହୋଇପଡ଼ିଥିବା ଲାଞ୍ଜିଗଡ଼ ଆଦିବାସୀମାନଙ୍କ ରକ୍ଷାକର୍ତ୍ତା ଭାବରେ ରାହୁଲ୍ ନିଜକୁ ପରିଚୟ ଦେଇଥିଲେ।

ରାହୁଲ୍ ଗାନ୍ଧିଙ୍କ ବୁଧବାର ଦିନ ଭବାନିପାଟଣା ସଭାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଜିଲ୍ଲାର କୋଣ ଅନୁକୋଣରୁ ଯୁବକମାନେ ଆସି ଏଥିରେ ସାମିଲ୍ ହୋଇଥିଲେ। ସେହିଭଳି ରାଉରକେଲା ସଭାରେ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା। ରାହୁଲ୍ ଗାନ୍ଧିଙ୍କ ଲଗାତର ଓଡ଼ିଶା ଗସ୍ତ ପଛରେ କାରଣ ହେଉଛି ଏଠାରେ ନିଜର ଦଳ ପାଇଁ ଏକ ଅନୁକୂଳ ହାୱା ସୃଷ୍ଟି କରିବା। ଅବଶ୍ୟ, ଇତିମଧ୍ୟରେ ଦଳର ବହୁ ତୁଙ୍ଗ ନେତା ଅନ୍ୟ ଦଳରେ ଯାଇ ମିଶିଛନ୍ତି ଓ କର୍ମୀମାନେ ମଧ୍ୟ ବିଶେଷ ଉତ୍ସାହ ଦେଖାଉନାହାନ୍ତି। ରାହୁଲ୍‌ଙ୍କ କ୍ରମାଗତ ଗସ୍ତ ଫଳରେ ହୁଏତ ସେମାନେ ଉତ୍ସାହିତ ହେବେ ବୋଲି ଦଳର ନେତାମାନେ ଆଶା ରଖିଛନ୍ତି।

ବିଜେପିର କଥା କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ପଶ୍ଚିମ ଓଡ଼ିଶା ହେଉଛି ବିଜେପିର ପେଣ୍ଠ ଓ ଏହି ଅଞ୍ଚଳର ଭୋଟ୍‌ ଉପରେ ଦଳ ଅଗ୍ରାଧିକାର ଦେବା ସ୍ୱାଭାବିକ। ପ୍ରାକ୍ ନିର୍ବାଚନୀ ପ୍ରଚାର ପାଇଁ ୧୫ ତାରିଖରେ ଅମିତ ଶାହା ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସମୟରେ ସେ ବୁଥ୍ ସ୍ତରରେ କର୍ମୀମାନଙ୍କୁ ଭେଟିବେ। ଶାହଙ୍କ ସହିତ ପ୍ରାୟ ୬୦,୦୦୦ ବୁଥ୍ ସ୍ତରୀୟ ସଂଗଠକ ଏକାଠି ହେବେ ବୋଲି ସ୍ଥିର ହୋଇଛି। ଅମିତ ଶାହଙ୍କର ଏହା ହେବ ତୃତୀୟ ଓ ୧୨ ଦିନ ବ୍ୟବଧାନ ଭିତରେ ଦ୍ୱିତୀୟ ଓଡ଼ିଶା ଗସ୍ତ। ଚଳିତ ୩ ତାରିଖରେ ସେ ପୁରୀ ଆସି ବିଜେପିର ଆଦିବାସୀ ମୋର୍ଚ୍ଚାର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଭିନ୍ନ ଦଳର ତୁଙ୍ଗ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତରୁ ଗୋଟିଏ କଥା ସ୍ପଷ୍ଟ ଯେ ଏଥର ପଶ୍ଚିମ ଓଡ଼ିଶାରେ ଲଢ଼େଇଟି ଜୋରଦାର ହେବ।

Comment