ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ୬୦ ବର୍ଷ ଛୁଇଁଲାଣି। ଏହି ୬୦ ବର୍ଷ ଭିତରେ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ତିଆରି କରିପାରିଛି ଏହି ମହାବିଦ୍ୟାଳୟ। ଶିକ୍ଷା, ସାହିତ୍ୟ, କଳା, ପ୍ରଶାସନ ଓ ରାଜନୀତି ଜଗତରେ ଅନେକ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। ଏହି ପୁରାତନ ଶିକ୍ଷାନୁଷ୍ଠାନ ଆସନ୍ତା ୧୧, ୧୨ ଓ ୧୩ ତାରିଖ ତିନି ଦିନ ଧରି ପାଳନ କରିବାକୁ ଯାଉଛି ହୀରକ ଜୟନ୍ତୀ ଉତ୍ସବ।

୧୯୫୯ରେ କେନ୍ଦ୍ରାପଡ଼ା ମାଟିରେ ମୁଣ୍ଡ ଟେକିଥିଲା କେନ୍ଦ୍ରାପଡ଼ା ମହାବିଦ୍ୟାଳୟ। ପରେ ଏହା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଛି। ଏହାରି ଭିତରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ୬୦ଟି ପହାଚ ଅତିକ୍ରମ କରି ୬୧ରେ ପାଦ ଥାପିବାକୁ ଯାଉଛି। ଆସନ୍ତା ୧୨ ତାରିଖରୁ ହୀରକ ଜୟନ୍ତୀ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଜୋରଦାର। ଖଇରିଆ ବସ୍ତ୍ର ପରିଧାନ କରିସାରିଲାଣି କଲେଜର ମୁଖ୍ୟ ଅଟ୍ଟାଳିକା।

୮ ତାରିଖରୁ ଆରମ୍ଭ ହେବ ଉତ୍ସବର ମାହୋଲ। ସାରା କ୍ୟାମ୍ପସକୁ ରଙ୍ଗୀନ ଆଲୋକ ମାଳାରେ ସଜେଇ ଦିଆଯିବ। ୮ ତାରିଖରେ ହେବ ଏକ ମେଗା ରକ୍ତଦାନ ଶିବିର। ୯ ଓ ୧୦ ତାରିଖରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ରାଜ୍ୟ ସ୍ତରୀୟ କନଭେନସନର ଆୟୋଜନ କରାଯାଉଛି।

୧୧ ତାରିଖରେ ପୁରାତନ ଛାତ୍ରସଂସଦ ପକ୍ଷରୁ ଆରମ୍ଭ ହେବ ହୀରକ ଜୟନ୍ତୀର ପହିଲି ଉତ୍ସବ। ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା ଏହି ପୁରାତନ ଛାତ୍ର ସଂସଦର ସଭାପତି ରହିଛନ୍ତି। ବିଶେଷକରି ଏହି ହୀରକ ଜୟନ୍ତୀ ଉତ୍ସବରେ ଅନେକ ପୁରାତନ ଅଧ୍ୟାପକ ଓ ଛାତ୍ରମାନଙ୍କୁ ଅତିଥି ଭାବେ ଦେଖିବାକୁ ମିଳିବ। ୧୨ ତାରିଖରେ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଉତ୍ସବ ପାଳନ ହେବ। ଏହି ଅବସରରେ ମହାବିଦ୍ୟାଳୟ ନାମରେ ଏକ ପୋଷ୍ଟାଲ କଭରର ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅନୁଷ୍ଠିତ ଉତ୍ସବରେ କଲେଜର ପ୍ରାକ୍ତନ ଛାତ୍ର ପ୍ରଜ୍ଞାନାନନ୍ଦଜୀଙ୍କୁ ଦିନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ପ୍ରଦାନ କରିବେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଓ ଲେଖକ ହର ପ୍ରସାଦ ଦାସ।

୧୩ ତାରିଖରେ ଏହି ଉତ୍ସବର ଉଦଯାପନୀ ଉତ୍ସବରେ କଲେଜର ପ୍ରତିଭା ସମ୍ପନ୍ନ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କଲେଜରୁ ଅବସର ନେଇଥିବା ବରିଷ୍ଠ କର୍ମଚାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।

ଉତ୍ସବକୁ ଆହୁରି ଅଧିକ ସରସ ସୁନ୍ଦର କରିବାକୁ କଲେଜର ବର୍ତ୍ତମାନର ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ ସାମ୍ବାଦିକ ସମ୍ମିଳନୀରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।

Comment