ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଘର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ରରେ ନିଆଁ ଲଗାଇ ସରକାର ବିରୋଧୀ ନାରା ଦେଇ ପୋଲିସ ଜୁଲମର ପ୍ରତିବାଦ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଜି ଶହ ଶହ ନବନିର୍ମାଣ ସଂଗଠନର କୃଷକ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ଆଧା ବାଟରେ ବାଟ ଓଗାଳି ଥିଲା ପୋଲିସ। ବିଭିନ୍ନ ସ୍ଥାନରୁ ପୋଲିସ ଏହି କୃଷକମାନଙ୍କୁ ଉଠାଇ ଆଣି ଜିଲ୍ଲା ପୋଲିସ ମୁଖ୍ୟାଳୟ ମଧ୍ୟରେ ଭର୍ତ୍ତି କରିଥିଲା।

ଭୁବନେଶ୍ୱରରେ ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ଆନ୍ଦୋଳନ ଡାକରା ଦେଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କୃଷକ ଏହି ଆନ୍ଦୋଳନରେ ଯୋଗ ଦେବାକୁ ଯାଉଥିଲେ। ଅଧାବାଟରେ ପୋଲିସ ଏମାନଙ୍କୁ ଗାଡିରୁ ଓଦ୍ଲାଇ ଦେଇଥିଲା। ପୋଲିସ ସହିତ କୃଷକ ମାନଙ୍କର ଧସ୍ତାଧସ୍ତି ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୋଲିସ କୃଷକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିବା ଅଭିଯୋଗ କରିଛନ୍ତି ଏହି କୃଷକମାନେ।

ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଏହି କୃଷକମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପୋଡ଼ି ପ୍ରତିବାଦ କରିଥିଲେ।

Comment