ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ବିଦେଶୀ ମୁଦ୍ରା ମିଳିଛି। ହୁଣ୍ଡି ଗଣତି ସମୟରେ ଏଥିରୁ ୨୬ ଆମେରିକୀୟ ମୁଦ୍ରା ମିଳିଥିଲା। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ଭିତରକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ନିଶିଦ୍ଧ ଥିବା ବେଳେ ଏହି ବିଦେଶୀ ମୁଦ୍ରା କେଉଁଠୁ ଆସିଲା ସେ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ କେହି ଏନ୍‌ଆରଆଇ ଭକ୍ତ ଏହି ବିଦେଶୀ ମୁଦ୍ରା ପକାଇଥାଇପାରନ୍ତି ବୋଲି କୁହାଯାଉଛି।

ବିଦେଶୀ ମୁଦ୍ରା ବ୍ୟତୀତ, ମଙ୍ଗଳବାର ହୁଣ୍ଡିରୁ ୨,୧୪,୦୮୯ ଟଙ୍କା ସଂଗ୍ରହ କରାଯାଇଛି। ଏହା ସହ ହୁଣ୍ଡିରୁ ୧୪ ଗ୍ରାମ ସୁନା ଓ ୯୬ ଗ୍ରାମ ରୂପା ମିଳିଥିବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଶ୍ରୀମନ୍ଦିର ହୁଣ୍ଡିରୁ ବିଦେଶୀ ମୁଦ୍ରା ମିଳିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ୨୦୧୮ରେ ଶ୍ରୀମନ୍ଦିର ହୁଣ୍ଡିରୁ ୨୦ ଅଷ୍ଟ୍ରେଲୀୟ ମୁଦ୍ରା ଓ ୨୬ ଆମେରିକୀୟ ମୁଦ୍ରା ମିଳିଥିଲା ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

Comment