ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭବାନିପାଟଣା ପରେ ଷ୍ଟିଲ ସିଟି ରାଉରକେଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦିଙ୍କୁ ତୀର ମାରିଛନ୍ତି। ମୋଦିଙ୍କୁ ଚୌକିଦାର ଚୋର୍ କହିବା ସହ ନବୀନଙ୍କୁ ରିମୋଟ୍ କଣ୍ଟ୍ରୋଲ କହି ଆକ୍ଷେପ କରିଛନ୍ତି।

ରାଫେଲ୍‌ରୁ ମୋଦିଙ୍କୁ ଆଟାକ୍

ରାଉରକେଲା ସଭାରେ ରାହୁଲ ଗାନ୍ଧି ରାଫେଲ୍‌ ଦୁର୍ନୀତିକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ ସିଧା ନିଶାନା କରିଥିଲେ। କହିଥିଲେ, ଉପା ସରକାର ଅମଳରେ ଏବଂ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ବାୟୁସେନାକୁ ରାଫେଲ ବିମାନ କିଣିବାକୁ କହିଥିଲେ। ଏନେଇ ଯୋଜନା ଆରମ୍ଭ ହୋଇଥିଲା। କିନ୍ତୁ ମୋଦି ସରକାର କ୍ଷମତାକୁ ଆସିବା ପରେ ଏ ଦିଗରେ ବ୍ୟାପକ ଦୁର୍ନୀତି ହୋଇଛି। ମୋଦି କ୍ଷମତାରେ ରହିବାର ଅଧିକାର ହରାଇଛନ୍ତି।

ମୋଦି-ନବୀନ ଭାଇଭାଇ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଏକପ୍ରକାର ବୋଲି ରାହୁଲ କହିଛନ୍ତି। ମୋଦି ଦିଲ୍ଲୀରେ ଯାହା ଚିନ୍ତା କରୁଛନ୍ତି ଓଡ଼ିଶାରେ ନବୀନ ପଟ୍ଟନାୟକ ମଧ୍ୟ ସେହି କଥା ଚିନ୍ତା କରୁଥିବା ରାହୁଲ କହିଛନ୍ତି।

ମୋଦି ରାଫେଲ୍‌ରେ ଘୋଟାଲା କରିଥିବା ବେଳେ ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ହୋଇଛି। ଚିଟଫଣ୍ଡ ଦୁର୍ନୀତିରୁ ରକ୍ଷା ପାଇବା ପାଇଁ ମୋଦିଙ୍କ ହାତରେ ନବୀନ ରିମୋଟ କଣ୍ଟ୍ରୋଲ ହୋଇ ରହିଛନ୍ତି। ଓଡ଼ିଶାରେ କ’ଣ ହେବ ତାହା ମୋଦି ଦିଲ୍ଲୀରେ ବସି ରିମୋଟ୍ ଅପରେଟ କରୁଥିବା ରାହୁଲ କହିଛନ୍ତି।

କୁଆଡ଼େ ଗଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ବ୍ରାହ୍ମଣୀ ଦ୍ୱିତୀୟ ସେତୁ?

“ମୋଦି ସବୁବେଳେ ମିଛ ପ୍ରତିଶ୍ରୁତି ଦିଅନ୍ତି। ମୋଦି ଯୁଆଡ଼େ ଯାଆନ୍ତି କେବଳ ପ୍ରତିଶ୍ରୁତି ଦିଅନ୍ତି। ହେଲେ ସେ ପ୍ରତିଶ୍ରୁତି ପୂରଣ ହୋଇପାରେ ନାହିଁ”, କହିଛନ୍ତି ରାହୁଲ।

ନିର୍ବାଚନ ପୂର୍ବରୁ ଆଇଜିଏଚ୍‌କୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ କହିଥିଲେ। ହେଲେ ସେ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ରାହୁଲ ରାଉରକେଲାବାସୀଙ୍କୁ ପ୍ରଶ୍ନ କରିଛନ୍ତି। ରାଉରକେଲାର ଯାହା ବି ବିକାଶ ହୋଇଛି ସେସବୁ କଂଗ୍ରେସ ଅମଳରେ ହିଁ ହୋଇଛି।

କଂଗ୍ରେସ କରିବ କୃଷିଋଣ ଛାଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଋଣ ଛାଡ଼ କରିପାରିବେ ନାହିଁ। ଆମେ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପ୍ରତିଶ୍ରୁତି ଦେଇଥିଲୁ ସରକାରକୁ ଆସିବାର ୧୦ ଦିନ ଭିତରେ କୃଷିଋଣ ଛାଡ଼ କରିବୁ। ହେଲେ ୨ ଦିନ ଭିତରେ ଆମେ କୃଷିଋଣ ଛାଡ଼ କରିଛୁ। ଓଡ଼ିଶାରେ ମଧ୍ୟ ଆମେ ସରକାରକୁ ଆସିଲେ କୃଷିଋଣ ଛାଡ଼ କରିବୁ। ଛତିଶଗଡ଼ରେ ଧାନ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଆମ ସରକାର କରିଛନ୍ତି। ଓଡ଼ିଶାରେ ମଧ୍ୟ ଆମେ ସରକାରକୁ ଆସିଲେ ଧାନ କୁଇଣ୍ଟାଲ ପିଛା ୨୬୦୦ ଟଙ୍କା କରିବୁ।

ଜମି, ଜଳ, ଜଙ୍ଗଲ ଆଦିବାସୀଙ୍କର

ଯେତେବେଳେ ଆମେ ଦିଲ୍ଲୀରେ ସରକାରରେ ଥିଲୁ ଆଦିବାସୀଙ୍କ ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲୁ। ପେଶା ଆଇନ କାର୍ଯ୍ୟକାରୀ କରିଥିଲୁ। ଆଦିବାସୀମାନଙ୍କୁ ଜମି, ଜଳ, ଜଙ୍ଗଲ ଅଧିକାର ଦେଇଛି କଂଗ୍ରେସ। ଛତିଶଗଡ଼, ମଧ୍ୟପ୍ରଦେଶରେ ଜମି ଫେରା କାମ ଆରମ୍ଭ ହୋଇଛି। ଆମ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଆଦିବାସୀ, ଚାଷୀଙ୍କୁ ବଜାର ଦରଠାରୁ ୪ ଗୁଣା ଅଧିକ ଅର୍ଥ ଦେଇ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରାଯିବ ବୋଲି କହିଛନ୍ତି ରାହୁଲ।

Comment