ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପଶ୍ଚିମ ଓଡ଼ିଶାରେ କାମ କରିବ କି ରାହୁଲ ଗାନ୍ଧିଙ୍କ ମନ୍ତ୍ର?

୨୦୧୯ ନିର୍ବାଚନ ପୂର୍ବରୁ ଆଜି ପଶ୍ଚିମ ଓଡ଼ିଶାରେ ହାଇଭୋଲଟେଜ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ସହର ଭବାନିପାଟଣା ଏବଂ ରାଉରକେଲାରେ ନିର୍ବାଚନୀ ପ୍ରଚାର କରି ରାହୁଲ ଭୋଟରଙ୍କ ମନ ଜିଣିବା ପାଇଁ ଉଦ୍ୟମ କରିଛନ୍ତି।

ରାହୁଲଙ୍କର ଏହି ପ୍ରଚାର ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଭୋଟବ୍ୟାଙ୍କକୁ କେତେଦୂର ସୁଦୃଢ଼ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରାହୁଲ ଯେଉଁ ସମୟରେ ପଶ୍ଚିମ ଓଡ଼ିଶାରେ ସଭା କରିଛନ୍ତି ସେହି ସମୟରେ କଂଗ୍ରେସ ଘର ଅସଜଡ଼ା ହୋଇ ରହିଛି। କଂଗ୍ରେସର ତିନି ଟାଣୁଆ ନେତା ନବ ଦାସ, ଯୋଗେଶ ସିଂ ଏବଂ ପ୍ରଣୟ ସାହୁ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଏହି ତିନି ନେତା  ଦଳ ଛାଡ଼ିବା ପରେ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ବଡ଼ ଝଟକା ଲାଗିଛି। ତେବେ ରାହୁଲଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ୨୦୧୯ ନିର୍ବାଚନରେ କଂଗ୍ରେସକୁ କେତେ ଶକ୍ତି ଯୋଗାଇବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅତୀତରେ ପଶ୍ଚିମ ଓଡ଼ିଶା ଥିଲା କଂଗ୍ରେସର ଗଡ଼। ୨୦୦୯ରେ କଂଗ୍ରେସ ୨୧ଟି ଲୋକସଭା ଆସନରୁ ୬ଟିରେ ବିଜୟୀ ହୋଇଥିଲା। ଯେଉଁ ୬ଟିରେ କଂଗ୍ରେସ ବିଜୟୀ ହୋଇଥିଲା ସେଥିମଧ୍ୟରେ କେବଳ ଚାରିଟି ଆସନ ଥିଲା ପଶ୍ଚିମ ଓଡ଼ିଶାର।

କଂଗ୍ରେସ ଟିକେଟରେ ବରଗଡ଼ରୁ ସଞ୍ଜୟ ଭୋଇ ନିର୍ବାଚିତ ହୋଇଥିବା ବେଳେ କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ସମ୍ବଲପୁରରୁ ଅମରନାଥ ପ୍ରଧାନ ଏବଂ ସୁନ୍ଦରଗଡ଼ରୁ ହେମାନନ୍ଦ ବିଶ୍ୱାଳ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୪ରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା।

୨୦୦୯ରେ ଯେଉଁ ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ସେହି ଆସନକୁ ୨୦୧୪ରେ ହରାଇଥିଲା ଏହି ଜାତୀୟ ଦଳ। ଏବେ ୨୦୧୯ରେ ପୁଣି ଫର୍ମକୁ ଫେରିବା ପାଇଁ କଂଗ୍ରେସ କସରତ ଆରମ୍ଭ କରିଛି।

କଂଗ୍ରେସକୁ ଫର୍ମକୁ ଆଣିବା ପାଇଁ ରାହୁଲ ଅଭିଯାନ ଆରମ୍ଭ କରିଛନ୍ତି। ଜାନୁଆରି ୨୫ରେ ରାହୁଲ ଭୁବନେଶ୍ଵରରେ ସଭା କରି ଉପକୂଳ ଓଡ଼ିଶା ଉପରେ ଫୋକସ୍ କରିଥିବା ବେଳେ ଆଜି ଭବାନିପାଟଣା ଏବଂ ରାଉରକେଲାରେ ସଭା କରି ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ କରିଛନ୍ତି। କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କର୍ମକର୍ତ୍ତାଙ୍କୁ ରାହୁଲ ଗୁରୁମନ୍ତ୍ର ଦେଇଛନ୍ତି। ତେବେ ଏହି ମନ୍ତ୍ରକୁ କଂଗ୍ରେସ କର୍ମୀ କେମିତି କାର୍ଯ୍ୟକାରୀ କରୁଛନ୍ତି ତାକୁ ହିଁ ଦେଖିବାକୁ ବାକି ରହିଛି।

ପଞ୍ଚାୟତ ପରୀକ୍ଷାରେ ଫେଲ୍

୨୦୧୪ ନିର୍ବାଚନରେ ୧୬ଟି ବିଧାନସଭା ଆସନରେ ଜିତି କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଥିଲା। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ସବୁ ଅଙ୍କ ଭୁଲ୍ ହୋଇଯାଇଥିଲା। ଦ୍ୱିତୀୟ ସ୍ଥାନରୁ ଖସି କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା।

ବିଜେପି ଏବେ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟରେ ମୁଣ୍ଡ ଟେକିଛି। ୧୮ ବର୍ଷ ହେଲା କଂଗ୍ରେସ ଗୋଟି ଦଳ ବିଜେଡିକୁ ଟକ୍କର ଦେଇ ଆସୁଥିଲା। କଂଗ୍ରେସ ତାର ପୁରୁଣା ଫର୍ମକୁ ଫେରିବାକୁ ହେଲେ ବର୍ତ୍ତମାନ ଦୁଇଟି ଦଳକୁ ମୁକାବିଲା କରିବାକୁ ପଡ଼ିବ।

ପଶ୍ଚିମ ଓଡ଼ିଶା ଉପରେ ସବୁ ଦଳର ଆଖି!

ପଶ୍ଚିମ ଓଡ଼ିଶା ଭୋଟରଙ୍କୁ କବ୍‌ଜା କରିବା ପାଇଁ ସବୁ ଦଳ ଆରମ୍ଭ କରିଛନ୍ତି କସରତ। ବିଜେପିର ହେବିୱେଟ ନେତା ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବଲାଙ୍ଗିର ଏବଂ ଭବାନିପାଟଣାରେ ସଭା କରି ପ୍ୟାକେଜ ବର୍ଷା କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସମ୍ବଲପୁର, ବଲାଙ୍ଗିରରେ ଯୁବ ସମାବେଶ କରି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ମୋଦି, ନବୀନଙ୍କ ପରେ ଏବେ ରାହୁଲ ପଶ୍ଚିମ ଓଡ଼ିଶା ଉପରେ ନଜର ପକାଇଛନ୍ତି। ପଶ୍ଚିମ ଓଡ଼ିଶା ଭୋଟର କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ।

Comment