ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚେନ୍ନାଇର ପୋରୁର୍‌ରେ ପ୍ରଥମଥର ପାଇଁ ଏମିତି ଏକ ରେସ୍ତୋରାଁ ଖୋଲିଛି ଯେଉଁଠି ରୋବୋଟ ଖାଇବା ପରଷୁଛି। ରୋବୋଟ କେବଳ ଖାଇବା ପରଷିବନି ବରଂ ଇଂରାଜୀ ଏବଂ ତାମିଲ ଭାଷାରେ ଲୋକଙ୍କ ସହ କଥା ମଧ୍ୟ ହେବେ। ଏହି ହୋଟେଲରେ ୭ଟି ରୋବଟଙ୍କୁ ଏକ ଟିମ କାମ କରୁଛି। ଏହି ସବୁ ରୋବୋଟ୍ ଧଳା ଏବଂ ନୀଳ ରଙ୍ଗର। ଏହି ରୋବୋଟ୍ ଗ୍ରାହକଙ୍କୁ ବହୁତ ଖୁସିରେ ସ୍ୱାଗତ ଜଣାଇଥାନ୍ତି। ଏମାନେ ଗ୍ରାହକଙ୍କୁ ଫୁଡ ଏବଂ ଡ୍ରିଙ୍କ ପରଷିଥାନ୍ତି। ଏହାଛଡା ଏହି ରୋବୋଟ୍ ଗ୍ରାହକଙ୍କୁ ଗାଇଡ଼ ମଧ୍ୟ କରୁଛନ୍ତି। ଗ୍ରାହକ କେଉଁ ଟେବୁଲରେ ବସିବେ ତାହା ମଧ୍ୟ କହିଦେଇଥାନ୍ତି।

ରୋବଟର ଦାମ ୫ ଲକ୍ଷ

ଏହି ହୋଟେଲରେ ଥିବା ରୋବଟର ମୂଲ୍ୟ ୫ ଲକ୍ଷ ଟଙ୍କା। ଏହି ସବୁ ରୋବଟଙ୍କୁ ଅପରେଟ କରିବା ପାଇଁ ହୋଟେଲ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି। ହୋଟେଲ କର୍ମଚାରୀ ରୋବଟଙ୍କୁ ତିଆରି କରିଥିବା ବ୍ୟକ୍ତିଙ୍କ ସହ ସବୁବେଳେ ଯୋଗାଯୋଗରେ ରହିଥାନ୍ତି। ଜରୁରୀକାଳୀନ ପରିସ୍ଥିତିରେ ରୋବଟ ତିଆରି କରିଥିବା ବ୍ୟକ୍ତି ହୋଟେଲ କର୍ମଚାରୀଙ୍କୁ ସହଯୋଗ କରିଥାନ୍ତି।

ରୋବଟଙ୍କ ନାଁ ପାଇଁ ନିଆଯାଉଛି ଲୋକଙ୍କ ପରାମର୍ଶ    

ହୋଟେଲର ଜେନେରାଲ ମ୍ୟାନେଜର କୈଳାସ କହିଛନ୍ତି ଯେ, ଭାରତରେ ଏହି ହୋଟେଲର ୩ଟି ଶାଖା ରହିଛି। ଏହା ପୂର୍ବରୁ ଦେଶରେ ରୋବଟ ହୋଟେଲ ନଥିଲା। ପ୍ରଥମଥର ପାଇଁ ସଫଳତାର ସହ ଏହି ହୋଟେଲ ଲଞ୍ଚ ହୋଇଛି। ଏହି ସବୁ ରୋବଟଙ୍କ ନାଁ ରଖାଯାଇନାହିଁ। ରୋବଟଙ୍କ ନାଁ ରଖିବା ପାଇଁ ଗ୍ରାହକଙ୍କ ପରାମର୍ଶ ଲୋଡୁଛନ୍ତି ବୋଲି କହିଥିଲେ ହୋଟେଲର ମ୍ୟାନେଜର। ଗ୍ରାହକଙ୍କ ଠାରୁ ମତାମତ ମିଳିବା ପରେ ରୋବଟଙ୍କ ନାଁ ରଖିବା ପାଇଁ ଏକ ସମାରୋହ ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

ଦୁଇ ପ୍ରକାର ରୋବଟ

ହୋଟେଲ ମ୍ୟାନେଜର କୈଳାସ କହିଛନ୍ତି ଯେ, ତାଙ୍କ ପାଖରେ ଦୁଇ ପ୍ରକାର ରୋବଟ ଅଛନ୍ତି। ଗୋଟିଏ ପ୍ରକାର ରୋବଟ ଗ୍ରାହକଙ୍କ ସହ କଥାବାର୍ତ୍ତା କରିବେ ଏବଂ ଅନ୍ୟ ରୋବଟ ଗ୍ରାହକଙ୍କୁ ଖାଇବା ପରଷିବେ। ତେବେ ଏହି ହୋଟେଲର ଆହୁରି ଅନେକ ଗୁଡିଏ ଶାଖା ଖୋଲିବା ପାଇଁ ବିଚାର କରାଯାଉଛି ବୋଲି କହିଛନ୍ତି କୈଳାସ। ବେଙ୍ଗାଲୁରୁରେ ଖୁବଶୀଘ୍ର ଏହାର ଆଉ ଏକ ଶାଖା ଖୋଲାଯିବ ବୋଲି କୈଳାସ କହିଛନ୍ତି।

ପ୍ରତ୍ୟେକ ଟେବୁଲରେ ମେନ୍ୟୁ ବୁକ ରହିଥାଏ। ଗ୍ରାହକ ଥରେ ନିଜ ପସନ୍ଦର ଭୋଜନ ଚୟନ କରିବା ପରେ ଅର୍ଡର ହୋଟେଲ ରୋଷେଇଘରକୁ ଯାଇଥାଏ। ସେଠାରୁ ରୋବଟ୍ ଅର୍ଡର ଅନୁସାରେ ଖାଇବା ସଂଗ୍ରହ କରିଥାନ୍ତି। ରୋବଟଙ୍କୁ ଏଭଳି ଭାବେ ତିଆରି କରାଯାଇଛି ଯେ, ଯେଉଁ ଅର୍ଡର ଯେଉଁ ଟେବୁଲରୁ ଆସିଛି ରୋବଟ ଖାଇବା ନେଇ ସେହି ଟେବୁଲକୁ ହିଁ ଯାଇଥାନ୍ତି।

Comment