ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡିକୁ ତେଲୁଗୁ ଦେଶମ ପାର୍ଟିର ଭୟ ଘାରିଛି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ରାଜନୀତି ବିଚିତ୍ର ସ୍ଥିତିରେ ରହିଛି। ଏହି ଚାରି ଜିଲ୍ଲାରେ ଶାସକ ବିଜେଡିର ଦବଦବା କାଏମ୍ ରହିଥିଲେ ବି ତେଲୁଗୁ ଦେଶମ୍‌ ପାର୍ଟିର ଭୟ ଦଳକୁ ଘାରିଛି। ତେଲୁଗୁ ଦେଶମ୍‌ ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲାର ଭୋଟ ଉପରେ ଆଖି ପକାଇବା ଆରମ୍ଭ କରିଛି।

ବିଶେଷକରି କୋରାପୁଟ ଜିଲ୍ଲାରେ ଦଳ ପଶିବାକୁ ଚାହୁଁଛି। ଖବର ଆସୁଛି ଯେ ଇତିମଧ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ତା’ର ରାଜନୀତିକ କାର୍ଯ୍ୟକଳାପକୁ ଜୋରଦାର କରିଛି।

କିଛି ଦିନ ତଳେ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଆଗାମୀ ବିଧାନସଭା ଅଧିବେଶନରେ ତେଲୁଗୁ ଦେଶମ୍‌ ପାର୍ଟି ପ୍ରାର୍ଥୀ ଦେବ। ଏବେ ଦଳ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ତା’ର ଉପସ୍ଥିତିକୁ ଜାହିର୍ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ଏହିସବୁ ଜିଲ୍ଲାମାନଙ୍କରେ ଅଧିକାଂଶ ଭୋଟର ହେଉଛନ୍ତି ତେଲୁଗୁ।

ତେଲୁଗୁ ଦେଶମ୍‌ ପାର୍ଟିର ଓଡ଼ିଶା ପର୍ଯ୍ୟବେକ୍ଷକ ରାଜେଶ ପୁତ୍ର ଗତମାସରେ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାକାର ରାଜନୈତିକ ପାଣିପାଗ ସମ୍ପର୍କରେ ଧାରଣା କରିଥିଲେ। ତା’ ପରେ ସେ କହିଥିଲେ ଯେ ତେଲୁଗୁ ଲୋକଙ୍କ ମତକୁ ନେଇ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯିବ। ରାଜେଶ ଏକଥା ମଧ୍ୟ କହିଥିଲେ ଯେ ଚାରି ଜିଲ୍ଲାରେ ଜିତିବାର ସମ୍ଭାବନାକୁ ନେଇ ଏକ ସର୍ଭେ କରାଯିବ ଓ ସେହି ସର୍ଭେର ଫଳାଫଳ ଦଳର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ଦିଆଯିବ।

ଇତିମଧ୍ୟରେ ଟିଡିପିର ଅନ୍ୟାନ୍ୟ ନେତାମାନେ ମଧ୍ୟ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାକାର ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଗତ ଚାରି ବର୍ଷ ଭିତରେ ଚନ୍ଦ୍ରବାବୁ ନାଇଡୁ ସରକାର ଆନ୍ଧ୍ରର ଲୋକଙ୍କ ପାଇଁ କ’ଣ କରିଛନ୍ତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଶାସନ ଭିତରେ କି ପ୍ରକାର ବିକାଶ କରିଛନ୍ତି ସେ କଥା ଭୋଟରମାନଙ୍କୁ ସଚେତନ କରାଉଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ଭୋଟରଙ୍କ ଭିତରୁ ୩୦ ପ୍ରତିଶତ ହେଉଛନ୍ତି ତେଲୁଗୁଭାଷୀ ଭୋଟର। ଏମାନେ ମୁଖ୍ୟତଃ ଜୟପୁର, କୋଟପାଡ଼, ମାଲକାନଗିରି, ରାୟଗଡ଼ା, ଗୁଣୁପୁର, କୋରାପୁଟ, ଲକ୍ଷ୍ମୀପୁର, ପଟାଙ୍ଗୀ, ଚିତ୍ରକୋଣ୍ଡା, ବିଷମକଟକ ଓ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ବସବାସ କରନ୍ତି। ପ୍ରାୟ ପ୍ରତିଟି ନିର୍ବାଚନରେ ଏହି ତେଲୁଗୁ ଜନସଂଖ୍ୟାର ଭୋଟ ନିର୍ଣ୍ଣାୟକ ହୋଇଥାଏ।

ଟିଡିପି ପକ୍ଷରୁ ଉଭୟ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା ହେବା ପରେ ଶାସକ ବିଜେଡିର ଚିନ୍ତା ବଢ଼ିଯାଇଛି। ଯଦିଓ ବିଗତ ନିର୍ବାଚନଗୁଡ଼ିକରେ ତେଲୁଗୁ ଭୋଟରମାନେ ବିଜେଡିକୁ ଭୋଟ ଦେଇଛନ୍ତି ଏଥର ହୁଏତ ପରିସ୍ଥିତି ଅଲଗା ହୋଇପାରେ। ବିଜେଡି ଏଥିରେ ଅତ୍ୟଧିକ ବିବ୍ରତ ହେବାର କାରଣ ତେଲୁଗୁ ଦେଶମ୍‌କୁ ମୁକାବିଲା କରିବା ପାଇଁ ଓ ତେଲୁଗୁ ଲୋକଙ୍କ ଭାଷାରେ କହିବା ପାଇଁ ଦଳରେ ସେଭଳି କେହି ପ୍ରଭାବଶାଳୀ ନେତା ନାହାନ୍ତି।

ରାଜ୍ୟସଭା ସାଂସଦ ଭାସ୍କର ରାଓଙ୍କୁ ଅବଶ୍ୟ ଏହିସବୁ ଅଞ୍ଚଳରେ ରହି ତେଲୁଗୁ ଦେଶମ୍‌ର କାର୍ଯ୍ୟକଳାପକୁ ମୁକାବିଲା କରିବା ପାଇଁ କୁହାଯାଇଛି। ବିଗତ ଗୋଟିଏ ବର୍ଷ ଧରି ଭାସ୍କର ରାଓଙ୍କୁ ନବରଙ୍ଗପୁର ଓ କୋରାପୁଟ ଅଞ୍ଚଳରେ ଦେଖିବାକୁ ମିଳୁନଥିବା ବେଳେ ଏବେ ସେ ଘନ ଘନ ଗସ୍ତ କରୁଛନ୍ତି ଓ କର୍ମୀମାନଙ୍କ ସହିତ ବୈଠକ କରୁଛନ୍ତି।

ବିଶେଷକରି ଚାରି ଜିଲ୍ଲାର ତେଲୁଗୁ ନେତାମାନଙ୍କ ସହିତ ସେ ଆଲୋଚନା କରିବା ଦେଖାଯାଉଛି। ଖାଲି ସେତିକି ନୁହେଁ, ଶାସକ ଦଳ ପକ୍ଷରୁ ତେଲୁଗୁଭାଷୀ ୱାର୍ଡ କାଉନସିଲର ଓ ବିଜେଡିକୁ ସମର୍ଥନ କରୁଥିବା ତେଲୁଗୁ ଓକିଲମାନଙ୍କୁ ନିଜ ଆଡକୁ ଆଣି ଭୋଟ ପାଇଁ ପ୍ରଭାବିତ କରିବା ଦେଖାଯାଉଛି। ସତ କହିବାକୁ ଗଲେ ‘ଟିଡିପି ହଟାଅ’ ଏଭଳି ଏକ ବଡ଼ ଧରଣର ଅଭିଯାନ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି।

ତେଲୁଗୁ ଭୋଟରମାନେ ଆସନ୍ତା ନିର୍ବାଚନରେ କେତେ ଦୂର ବିଜେଡିର ଭୋଟକୁ ଖାଇବେ ତାହା ଅପେକ୍ଷା କରି ଦେଖିବାର କଥା।

Comment