ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସମ୍ବଲପୁରରେ ନିଜ ହକ୍‌ ଲାଗି ହଜାର ହଜାର ଚାଷୀଙ୍କ ବିଶାଳ ଶୋଭାଯାତ୍ରା

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) : ରାଜ୍ୟ ସରକାରଙ୍କ କାଳିଆ ଓ ପୀଠା ଯୋଜନା ଚାଷୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ପଶ୍ଚିମଓଡିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ଚାଷୀମାନେ ଗୁରୁବାର ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା କରିବା ସହ, କଚେରୀ ଛକରେ ଧାରଣାରେ ବସିଥିଲେ।

ଚାଷୀଙ୍କ ଦାବି ହେଲା, ସରକାର କାଳିଆ ଯୋଜନାରେ ୫ହଜାର ଟଙ୍କା ଦେଇ ଖସି ଯାଇପାରିବେ ନାହିଁ। ଚାଷୀମାନଙ୍କୁ ସଂପୂର୍ଣ୍ଣ ଋଣମୁକ୍ତ କରିବା ସହ, ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନ୍‌ସ ଦିଅନ୍ତୁ। ଚଳିତ ବିଧାନସଭା ଅଧିବେସନରେ ସରକାର ଚାଷୀଙ୍କ ପାଇଁ ଏହି ଘୋଷଣା ନକଲେ, ଚାଷୀମାନେ ଗାଁ ଗାଁରେ ମେଳି କରି, ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବାକୁ ଚେତାବନୀ ଦେଇଛନ୍ତି ଚାଷୀସମୂହ।

ତାଲିଲେ ଚାଷୀ। ସମ୍ବଲପୁର କଚେରୀ ଛକରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିରୋଧରେ ଗର୍ଜିଛନ୍ତି। କାଳିଆ ଯୋଜନାରେ ବର୍ଷକୁ ୫ହଜାର ଟଙ୍କା ସନ୍ତୁଷ୍ଟ କରିପାରିନି ଚାଷୀଙ୍କୁ। ଗତ ୨୦୧୭ ମସିହାରୁ ପ୍ରଧାନମନ୍ତ୍ରୀ କୃଷିବୀମା ଯୋଜନା କରି ମଧ୍ୟ,ଏ ପର୍ଯ୍ୟନ୍ତ କ୍ଷତିପୁରଣ ପାଇନାହାଁନ୍ତି। ୨୦୧୮ ମସିହାରେ ଚକଡାପୋକ ଓ ମରୁଡି ଜନିତ ବୀମାରାଶି ବର୍ତ୍ତମାନ ପର୍ଯ୍ୟନ୍ତ ପାଇନାହାଁନ୍ତି।

ସେପଟେ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରି, ଚାଷୀଙ୍କ ଭୋଟ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ପଶ୍ଚିମଓଡିଶା କୃଷକ ସମନ୍ୱୟ ସମିତି ଅଭିଯୋଗ କରିଛି ଯେ, ସରକାର ଗୋଟିଏ ପଟେ କାଳିଆ ଯୋଜନା କରି,ଚାଷୀଙ୍କ ପାଇଁ ଭଣ୍ଡାର ଖୋଲିଦେଇଥିବା କହୁଥିବା ବେଳେ, ଅନ୍ୟପଟେ ଭୁବନଶ୍ୱର ଭିତରକୁ ଚାଷୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଉନାହାଁନ୍ତି। ଏଥରୁ ସ୍ପଷ୍ଟ ଯେ,ସରକାରଙ୍କ ଚାଷୀପ୍ରତି କେତେ ଦରଦ ରହିଛି ବୋଲି ଚାଷୀନେତା  ଚନ୍ଦ୍ରଶେଖର ପଣ୍ଡା ଓ ଗୋବିନ୍ଦ ସାହୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ପଶ୍ଚିମଓଡିଶା କୃଷକ ସମନ୍ୱୟ ସମିତି ଆହ୍ୱାନରେ ୧୦ଟି ଜିଲ୍ଲାର ଚାଷୀ ଏକଜୁଟ୍‌ ହୋଇ ଉଭୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି।

ଗତ ୩ବର୍ଷ ମଧ୍ୟରେ,କେବଳ ପଶ୍ଚିମଓଡିଶାରେ ୪ଶହରୁ ଅଧିକ ଚାଷୀ,ଋଣବୋଝ ଓ ଫସଲଜନିତ କ୍ଷତି ଯୋଗୁ ଆତ୍ମହତ୍ୟା କରିଛନ୍ତି। ହେଲେ ସରକାର ଏମାନଙ୍କୁ ମଦ୍ୟପ,ଘରେ ଗଣ୍ଡଗୋଳ କରିବା କାରଣରୁ ଆତ୍ମହତ୍ୟା କରିଛନ୍ତି ବୋଲି ରିପୋର୍ଟ ଦେଖାଉଛନ୍ତି। ଏଥିରୁ ଚାଷୀଙ୍କ ପାଇଁ ସରକାରଙ୍କ କେତେ ଦରଦ ଅଛି ସ୍ପଷ୍ଟ ଜଣାପଡୁଛି ବୋଲି,ଚାଷୀମାନେ କହିଛନ୍ତି।

ସରକାର ଚାଷୀକୂଳକୁ ସଂପୂର୍ଣ୍ଣ ଋଣଛାଡ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଗାଁଗାଁରେ ପହଞ୍ଚାଇବାକୁ ଅଣ୍ଟା ଭିଡିଛି ପଶ୍ଚିମଓଡିଶା କୃଷକ ସମନ୍ୱୟ ସମିତି। ସମିତିର ଆବାହକ ଅଶୋକ ପ୍ରଧାନ ସରକାରଙ୍କୁ ଆହ୍ୱାନ କରିଛନ୍ତି ଯେ, ପ୍ରକୃତରେ ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ ଥିଲେ ପ୍ରଥମେ ଅନ୍ତତଃ ତରେ ଋଣମୁକ୍ତ କରନ୍ତୁ ସରକାର। ତାପରେ ନୂଆଦିଲ୍ଲୀରେ ଏମ୍‌ଏସ୍‌ପି ୨୯୩୦ଟଙ୍କା ଲାଗି ଆନ୍ଦୋଳନ କରନ୍ତୁ। ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ସରକାର ଧାନର ସର୍ବନିମ୍ନ ମୂଲ୍ୟ ଉପରେ ଟଙ୍କାଟିଏ ବି ବୋନସ୍‌ ଦେଇନାହାଁନ୍ତି। ବରଗଡରେ ୨୦୧୬ ମସିହାରେ ଚାଷୀସମାବେଶରେ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର କ୍ବିଣ୍ଟାଲ୍‌ ପିଛା ଶହେ ଟଙ୍କା ବୋନ୍‌ସ ଘୋଷଣା କରିଥିଲେ।

ହେଲେ ଆଜି ପର୍ଯ୍ୟନ୍ତ ତାହା ଚାଷୀଙ୍କୁ ମିଳିଲା ନାହିଁ। ଏବେ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାଷୀଙ୍କ ଭୋଟ ହାତେଇବା ପାଇଁ କାଳିଆ ଯୋଜନା କରିଛନ୍ତି ସରକାର। ଚାଷୀସମାଜ ତାକୁ ପ୍ରତ୍ୟାଖାନ କରୁଥିବା କହିଛନ୍ତି ଚାଷୀମାନେ।

ଆଉ କିଛି ସପ୍ତାହପରେ, ସାଧାରଣ ନିର୍ବାଚନ ଥିବାବେଳେ,ଚାଷୀଙ୍କ ଅସନ୍ତୋଷ ନିଶ୍ଚିତ ରୁପେ ଫଳାଫଳ ଉପରେ ପ୍ରଭାବ ପକାଇବ।

Comment