ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜଗତସିଂହପୁର ବିଧାନସଭା ଆସନରେ କଂଗ୍ରେସର ଚିରଞ୍ଜିବ ବିଶ୍ୱାଳଙ୍କୁ ଟକ୍କର ଦେବା ପାଇଁ ବିଜେଡି ଓ ବିଜେପି ଶିବିରରେ ଚାଲିଛି ରଣନୀତି।

ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଗତସିଂହପୁର ଆସନ ପାଇଁ ବିଜେପି ଓ ବିଜେଡି ତୁଳନାରେ କଂଗ୍ରେସ ତା’ର ରଣକୌଶଳ ଠିକ୍ କରିସାରିଛି। ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡିକୁ ପଶିବା କାଠିକର ପାଠ ହେବାରେ ଲାଗିଛି। ବର୍ତ୍ତମାନ ଜଗତସିଂହପୁର ବିଧାୟକ ଥିବା ଚିରଞ୍ଜିବ ବିଶ୍ୱାଳଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ସେ ନେଇ ବିଜେପି ଓ ବିଜେଡି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଦ୍ୱନ୍ଦ୍ୱରେ ପଡ଼ିବା କାରଣ ହେଉଛି ବିଶ୍ୱାଳଙ୍କର ଲୋକପ୍ରିୟତା, ନିର୍ମଳ ଭାବମୂର୍ତ୍ତି ଏବଂ ବିଗତ ୫ ବର୍ଷ ଭିତରେ ଏହି ନିର୍ବାଚନ ମଣ୍ଡଳୀରେ ସେ କରିଥିବା କାମ। ଏସବୁ ତାଙ୍କ ପାଇଁ ଆସେଟ୍‌ ହେବ ବୋଲି ଆଲୋଚନା ହେଉଛି।

ନିକଟରେ ପିସିସି ସଭାପତି ଘୋଷଣା କରିଥିଲେ ଯେ ଯେଉଁମାନେ ବର୍ତ୍ତମାନ ବିଧାନସଭାରେ କଂଗ୍ରେସ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି ସେ ସମସ୍ତଙ୍କୁ ଟିକେଟ୍ ଦିଆଯିବ। ଏଣୁ ସମ୍ବେଦନଶୀଳ ଜଗତସିଂହପୁର ଆସନରୁ ଚିରଞ୍ଜିବଙ୍କ ଟିକଟ୍‌ ପକ୍କା। ତା’ଛଡ଼ା ଚିରଞ୍ଜିବଙ୍କ ବିରୋଧରେ କଂଗ୍ରେସରୁ ଅନ୍ୟ କେହି ପ୍ରାର୍ଥୀ ଠିଆ ହେବା ଦେଖାଯାଉନାହିଁ।

ଆହୁରି ମଧ୍ୟ ଚିରଞ୍ଜିବ ଜଣେ ନିଷ୍ଠାପର ବିଧାୟକ ଓ ତାଙ୍କର ସାଧୁତା ଉପରେ କେହି କେବେ ପ୍ରଶ୍ନ କରିନାହାନ୍ତି। ବିଧାନସଭା ନିର୍ବାଚନ ଜିତିବା ପରେ ଚିରଞ୍ଜିବ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବ୍ୟତୀତ ସ୍ଥାନୀୟ ପ୍ରସଙ୍ଗ ଓ ଚାଷୀମାନଙ୍କ ସମସ୍ୟାକୁ ବିଧାନସଭା ଓ ରାଜ୍ୟ ସ୍ତରରେ ବରାବର ଉଠାଇଥିଲେ।

୨୦୧୪ ବିଧାନସଭା ନିର୍ବାଚନରେ ଜଗତସିଂହପୁର ଆସନରେ ବିଜେଡିର ବିଷ୍ଣୁ ଦାସଙ୍କୁ ମାତ୍ର ୨୮୮୮ ଭୋଟ୍‌ରେ ଚିରଞ୍ଜିବ ପରାସ୍ତ କରିଥିଲେ। ଜଗତସିଂହପୁର ଜିଲ୍ଲାର ଅନ୍ୟ ତିନୋଟି ବିଧାନସଭା କ୍ଷେତ୍ରରେ ବିଜେଡିର ପ୍ରାର୍ଥୀମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ୩୦,୦୦୦ ଲେଖା ଭୋଟ୍‌ରେ ହରାଇଥିଲେ। ମଜା କଥା ହେଉଛି ଯେଉଁମାନେ ଗତଥର ହାରିଥିଲେ ସେ ସମସ୍ତେ ପୁଣି ଏଥର କଂଗ୍ରେସ ଟିକେଟ୍ ପାଇବା ପାଇଁ ଆଗ୍ରହୀ।

ଜଗତସିଂହପୁର ଆସନ ପାଇଁ ଶାସକ ବିଜେଡିର କିନ୍ତୁ ବହୁ ପ୍ରାର୍ଥୀ ଆଶାୟୀ ଥିବା ଦେଖାଯାଉଛି। ସ୍ୱାସ୍ଥ୍ୟଗତ କାରଣରୁ ବିଷ୍ଣୁ ଦାସଙ୍କୁ ପୁଣି ଥରେ ଟିକେଟ୍‌ ମିଳିବା ସମ୍ଭାବନା ନାହିଁ। ଏଣୁ ତାଙ୍କର ଜଣେ ବଡ଼ ସମର୍ଥକ ଓ ଯୁବନେତା ଅମରେନ୍ଦ୍ର ଦାସ ଆଶାୟୀଙ୍କ ଭିତରେ ସବା ଆଗରେ ଅଛନ୍ତି। ଅମରେନ୍ଦ୍ର ହେଉଛନ୍ତି ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ପୁଅ। ସେହିଭଳି ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା କନକଲତା ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବୀଦତ୍ତ ମହାନ୍ତି ଓ ଏପରିକି ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ ମଧ୍ୟ ଟିକେଟ୍ ପାଇଁ ଲବି କରୁଥିବା ଜଣାପଡ଼ିଛି।

ଏଣେ ବିଜେପି ଶିବିରରେ ମଧ୍ୟ ଜଗତସିଂହପୁର ଆସନ ପାଇଁ ଆବଶ୍ୟକତା ଅପେକ୍ଷା ଅଧିକ ଉତ୍ସାହ ଲକ୍ଷ୍ୟ କରାଯାଉଛି। ଟିକେଟ୍ ଦୌଡ଼ରେ ପ୍ରଥମେ ଅଛନ୍ତି ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର। ଗତ ନିର୍ବାଚନରେ ସେ ସ୍ୱାଧୀନ ଭାବେ ଏହି ଆସନରୁ ନିର୍ବାଚନ ଲଢ଼ିଥିଲେ। ସେହିଭଳି ପାରାଦୀପ ବନ୍ଦରର ଟ୍ରଷ୍ଟି ଥିବା ଆଉ ଜଣେ ବିଜେପି ନେତା ମଧ୍ୟ ଟିକେଟ୍‌ ଦୌଡ଼ରେ ଅଛନ୍ତି।

ରାଜନୀତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ବିଜେଡି ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଏତେ ଜଣ ଆଶାୟୀଙ୍କ ଭିତରୁ କାହାକୁ ଟିକେଟ୍ ଦିଆଯିବ। ଯାହା ଲାଗୁଛି ଏଥର ନିର୍ବାଚନରେ ଜଗତସିଂହପୁର ଆସନ ସିଧାସଳଖ ଲଢ଼େଇର ସମ୍ମୁଖୀନ ହେବ। ଏହି ଲଢ଼େଇଟି କେବଳ ବିଜେଡି ଓ କଂଗ୍ରେସ ଭିତରେ ସୀମିତ ରହିବା ସ୍ପଷ୍ଟ ଦେଖାଯାଉଛି। ଗତ ନିର୍ବାଚନରେ ବିଜେପି କମ୍‌ ଭୋଟ୍ ପାଇଥିଲେ ହେଁ ଏଥର ତା’ର ଭୋଟ୍ ପରିମାଣ ବୃଦ୍ଧି ପାଇବା ଆଶା କରାଯାଉଛି।

Comment