ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲମ୍ବା ସମୟ ଧରି ଭାଷଣ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ମୋଦି ପାଖାପାଖି ୧ ଘଣ୍ଟା ୪୦ ମିନିଟ୍ ଧରି କହିଥିଲେ।

କୁହାଯାଉଛି ସଂସଦରେ ପ୍ରଧାନମନ୍ତ୍ରୀଙ୍କର ଏହି ଭାଷଣ ସବୁଠୁ ଲମ୍ବା। ଗତବର୍ଷ ମୋଦି ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ୧ ଘଣ୍ଟା ୩୧ ମିନିଟ୍ ଯାଏଁ କହିଥିଲେ।

ଲୋକସଭାରେ ମୋଦି ପୁଣି କଂଗ୍ରେସ ଉପରେ ବର୍ଷିଥିଲେ। ଭାଷଣରେ ମୋଦି କହିଥିଲେ ଯେ ‘ଚୋର ଆଜି ଚୌକିଦାର’କୁ ଗାଳି ଦଉଛି।

ମୋଦି କହିଥିଲେ, “୫୫ ବର୍ଷ ଧରି କଂଗ୍ରେସ ଦେଶକୁ ଶାସନ କରିଛି। ହେଲେ ଆମେ ୫୫ ମାସ ଶାସନ କରିଛୁ। ଆମେ ସେବା ମନୋଭାବ ନେଇ ଶାସନ କରୁଛୁ। କଂଗ୍ରେସମୁକ୍ତ ଭାରତ ଗଠନ ଆମର ସ୍ୱପ୍ନ ନୁହେଁ, ଆମେ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ଗଠନ କରିବା ପାଇଁ ପ୍ରୟାସ କରୁଛୁ।”

ମୋଦି ଆହୁରି କହିଥିଲେ ଯେ କଂଗ୍ରେସ ସରକାର ଅମଳରେ ଭାରତୀୟ ସେନାଙ୍କୁ ବୁଲେଟ ପ୍ରୁଫ୍ ଜ୍ୟାକେଟ ଦିଆଯାଉ ନଥିଲା। ସେମାନେ ସର୍ଜିକାଲ ଷ୍ଟ୍ରାଇକ କଥା କହିବା ଠିକ୍ ନୁହେଁ। ଭାରତୀୟ ସେନାଙ୍କୁ କଂଗ୍ରେସ କୋଣଠେସା କରି ରଖିଥିଲା। ଦେଶବାସୀ ସେମାନଙ୍କୁ କେବେ ବି କ୍ଷମା ଦେବେ ନାହିଁ। ଭାରତୀୟ ସେନାବାହିନୀକୁ ଆମେ ସକ୍ତିଶାଳୀ କରିଛୁ।

ରାଫେଲ ଉପରେ ମୁହଁ ଖୋଲି ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ।

“ରାଫେଲକୁ ନେଇ କଂଗ୍ରେସ ସାରା ଦେଶରେ ହଙ୍ଗାମା କରୁଛି। ଏଭଳି କରି ଦେଶର ସୁରକ୍ଷା ପ୍ରତି ଉପହାସ କରୁଛି କଂଗ୍ରେସ। କଂଗ୍ରେସ ଭାରତୀୟ ବାୟୁସେନାକୁ ମଜଭୁତ କରିବାକୁ ଚାହୁଁନି”, କହିଥିଲେ ମୋଦି।

ବିମୁଦ୍ରାକରଣ ପରେ ଦେଶରେ ୩ ଲକ୍ଷ ଜାଲ୍ କମ୍ପାନି ବନ୍ଦ ହୋଇଛି। ଜାଲିଆତି କରି ବିଦେଶରୁ ଟଙ୍କା ଆଣୁଥିବା ୨୦ ହଜାର ସଙ୍ଗଠନ ବନ୍ଦ ହୋଇଛି। ଦୁର୍ନୀତିଗସ୍ତ ଲୋକଙ୍କ ସଂସ୍ଥାରେ ତାଲା ଝୁଲିଛି। ଯେଉଁମାନଙ୍କ କାରବାର ବିମୁଦ୍ରାକରଣ ପରେ ବନ୍ଦ ହୋଇଛି ସେମାନେ ହିଁ ଆମକୁ ସମାଲୋଚନା କରିଛନ୍ତି ବୋଲି ମୋଦି କହିଥିଲେ।

Comment