ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେଡି ଟିକେଟ ପାଇଁ ତିନି ଆଶାୟୀ କରୁଛନ୍ତି ଗୋଟି ଚାଳନା।

  • ୨୦୧୪ରେ ଜିତିଥିଲେ ରଜନୀକାନ୍ତ ସିଂହ
  • ୫୨ ହଜାର ଭୋଟରେ ଜିତିଥିଲେ ରଜନୀକାନ୍ତ
  • ରଜନୀକାନ୍ତଙ୍କ ଚିନ୍ତା ବଢ଼ାଇଲେ ଦୁଇ ଆଶାୟୀ
  • କଂଗ୍ରେସରୁ ବିପ୍ଲବ, ବିଜେପିରୁ ପ୍ରତାପଙ୍କୁ ନେଇ ଚର୍ଚ୍ଚା

ବିଧାନସଭା ନିର୍ବାଚନ ନିକଟତର ହେବାକୁ ଯାଉଥିବା ବେଳେ ଅନୁଗୁଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଶାସକ ବିଜେଡି କାହାକୁ ଏଠାରୁ ପ୍ରାର୍ଥୀ କରିବ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ। କିନ୍ତୁ ଯାହା ଶୁଣାଯାଉଛି ବର୍ତ୍ତମାନ ବିଧାୟକଙ୍କୁ ପୁଣି ଥରେ ଲଢ଼ିବାକୁ କୁହାଯିବ। ହେଲେ ଦୁଇ ଜଣ ଆଶାୟୀ ଏବେ ରଜନୀକାନ୍ତଙ୍କ ଚିନ୍ତା ବଢ଼ାଇଛନ୍ତି।

ବର୍ତ୍ତମାନ ଅନୁଗୁଳ ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି ରଜନୀକାନ୍ତ ସିଂହ। ସେ ୨୦୦୪ରୁ ଲଗାତାର ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ଗତ ୨୦୧୪ ନିର୍ବାଚନରେ ଶ୍ରୀ ସିଂହ ତାଙ୍କର କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫୨ ହଜାର ଭୋଟରେ ହରାଇଥିଲେ। ସେହି ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା।

ଖବର ମିଳିଛି ଯେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା  ପ୍ରତାପ ପ୍ରଧାନଙ୍କୁ ଏଥର ପଦ୍ମ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ବଅଁରପାଳଠାରେ ଏହି ଘୋଷଣା କରିଥିଲେ। ଅବଶ୍ୟ ବିଜେପି ପକ୍ଷରୁ ଆଉ ଜଣେ ବି ଆଶାୟୀ ଅଛନ୍ତି। ସେ ହେଉଛନ୍ତି ଲୁଲୁ ଅମାତ।

ଅତୀତରେ ସେ ବିଜେପି ଟିକେଟରେ ବହୁବାର ଲଢ଼ିଛନ୍ତି। ପ୍ରତାପ ପ୍ରଧାନ ଆଗରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିଲେ ଓ ଗତଥର ବିଜୟୀ ପ୍ରାର୍ଥୀଙ୍କୁ ଭଲ ଫାଇଟ ଦେଇଥିଲେ। ନିକଟରେ ସେ ବିଜେପିକୁ ଆସିଛନ୍ତି।

କଂଗ୍ରେସରୁ ବିପ୍ଲବ?

ତେଣେ ପିସିସି ପକ୍ଷରୁ ଅନୁଗୁଳ ଆସନ ପାଇଁ ବିପ୍ଳବ ଜେନାଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଯିବ ବୋଲି ଏକ ପ୍ରକାର ସ୍ଥିର ହୋଇଛି। ବିପ୍ଳବ ଏବେ ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ବିପ୍ଲବଙ୍କ ପଛରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥନ ରହିଛି। ଜିଲ୍ଲାରେ କଂଗ୍ରେସକୁ ପୁଣି ଥରେ ଶକ୍ତିଶାଳୀ କରିବା ପାଇଁ ବିପ୍ଲବ ଖୁବ୍ ଜୋରରେ  ଲାଗି ପଡ଼ିଛନ୍ତି। ଯେହେତୁ ଗତ ନିର୍ବାଚନରେ କଂଗ୍ରେସ ଦୁଇ ନମ୍ବର ସ୍ଥାନରେ ଥିଲା,ଏଥର ଏହି ଆସନଟିକୁ ନିଜ ଦଖଲକୁ ଆଣିବା ପାଇଁ କଂଗ୍ରେସ ଆପ୍ରାଣ ଚେଷ୍ଟା ଚଳାଇଛି।

ତଥାଗତଙ୍କ ଭୂମିକା

ଅନୁଗୁଳ ବିଧାନସଭା ଆସନ ପାଇଁ ଶାସକ ଦଳ ପ୍ରକୃତରେ ଅସୁବିଧାରେ ପଡ଼ିବା କଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ରଜନୀକାନ୍ତ ସିଂହଙ୍କୁ ଟିକେଟ ମିଳିବାର ସମ୍ଭାବନା ରହିଛି ସତ ହେଲେ  ୨୦୧୯ ପାଇଁ ଆଉ ଦୁଇ ଜଣ ଆଶାୟୀ ବାହାରିଛନ୍ତି। ଏ ଦୁଇ ଜଣ ହେଲେ ଶକ୍ତି ପଟ୍ଟନାୟକ ଓ ଭକ୍ତି ଦାଶ। ଭକ୍ତିଙ୍କୁ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ସମର୍ଥନ କରୁଥିବା ଶୁଣାଯାଉଛି। ଭକ୍ତିଙ୍କୁ ଆଉ କେତେ ଜଣ ତୁଙ୍ଗ ବିଜେଡି ନେତା ମଧ୍ୟ ସମର୍ଥନ କରୁଥିବା କୁହାଯାଉଛି।

ଅନୁଗୁଳ ଭଳି ଏକ  ସମ୍ମାନଜନକ ଆସନ ପାଇଁ ଟିକେଟ ଅଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯେଉଁମାନେ ଟିକେଟ ନିଶ୍ଚିତ ଭାବରେ ପାଇବାର ଆଶା କରୁଛନ୍ତି ସେମାନେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଥିବା ଦେଖାଯାଇଛି।

Comment