ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୁଇ ବର୍ଷ ତଳେ ରାଉରକେଲାରୁ ନିଖୋଜ ହୋଇଥିଲେ ନାବାଳିକା
  • ଲାଠିକଟା ଥାନାରେ ହୋଇଥିଲା ଏତଲା
  • ନାବାଳିକାକୁ ସାବାଳିକା କରିଦେଲେ ଥାନା ବାବୁ
  • ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପରିବାର
  • ଦିଲ୍ଲୀ ପୋଲିସ ସହାୟତାରେ ରାଜସ୍ଥାନରୁ ଉଦ୍ଧାର ହେଲେ ନାବାଳିକା
  • ଓଡ଼ିଶା ପୋଲିସକୁ ସମାଲୋଚନା କଲେ ଦିଲ୍ଲୀ ମହିଳା କମିଶନ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସୁନ୍ଦରଗଡ଼ର ନାବାଳିକା ଝିଅ ରାଜସ୍ଥାନର ଝୁନଝୁନୱାଲାରୁ ଗର୍ଭବତୀ ଅବସ୍ଥାରେ ଉଦ୍ଧାର ହେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଲାଠିକଟା ପୋଲିସର ଅବହେଳା ଓ ଜାଲିଆତି ଯୋଗୁଁ ଜଣେ ନାବାଳିକା ଆଜି ଯନ୍ତ୍ରଣା ଭୋଗୁଛି।

ଯଦି ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ପୋଲିସ୍‌ ନିଖୋଜ ନାବାଳିକାଙ୍କୁ ସାବାଳିକା ବୋଲି ଘୋଷଣା କରି ତଦନ୍ତ ଫାଇଲ୍‌ ବନ୍ଦ କରିଦେଇ ନଥାନ୍ତା ତେବେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।

ଏବେ ନାବାଳିକାକୁ ଦିଲ୍ଲୀ ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଜଣେ ପିଶାଚ କବଳରୁ ଉଦ୍ଧାର କରିଛି ଦିଲ୍ଲୀ ପୋଲିସ୍‌। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ ଉଦ୍ଧାର  ନାବାଳିକା ଜଣକ ଏବେ ୯ ମାସର ଗର୍ଭବତୀ।

କ’ଣ ଥିଲା ପୂରା ଘଟଣା

ଅଭାବୀ ପରିବାର। ପର ଘରେ ମୁଲ ଲାଗିଲେ ଘର ଚଳୁଥିଲା। ଘର ଚଳାଇବା ପାଇଁ ରାଉଲ୍‌କେଲାକୁ କୌଣସି କାମ ଅନ୍ୱେଷଣରେ ଆସିଥିଲେ ସୁନ୍ଦରଗଡ଼ ଲାଠିକଟାର ଜଣେ ୧୪ ବର୍ଷିୟା ନାବାଳିକା।

ରାଉରକେଲାରୁ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଝିଅର ପତ୍ତା ପାଇ ନଥିଲେ ପରିବାରବର୍ଗ।

ନାବାଳିକାର ବାପା ସ୍ଥାନୀୟ ଲାଠିକଟା ଥାନାରେ ଲିଖିତ ଏତଲା ଦେଇଥିଲେ। ହେଲେ ଲାଠିକଟା ଥାନା ବାବୁ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ଏତଲାକାରୀଙ୍କ ଦସ୍ତଖତକୁ ଜାଲ୍ କରି ଆଉ ଏକ ଏତଲା ଲେଖିଥିଲେ ଥାନା ବାବୁ। ଏଥିରେ ସେ ନାବାଳିକାକୁ ସାବିଳିକା ବୋଲି ଉଲ୍ଲେଖ କରିଥିଲେ। ନିଖୋଜ ଝିଅକୁ ଖୋଜିବା ପାଇଁ ପୋଲିସ କୌଣସି ଉଦ୍ୟମ କରି ନଥିଲା।

ହେଲେ ଏଥିରେ ନିଖୋଜ ନାବାଳିକାର ବାପା ବିଚଳିତ ନହୋଇ, ଝିଅକୁ ଖୋଜି ବୁଲିଥିଲେ। ଝିଅ ଓଡ଼ିଶା ବାହାରକୁ ଚାଲି ଯାଇଥିବା ଖବରପାଇ ଦିଲ୍ଲୀ ମହିଳା କମିଶନଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ନିଖୋଜ ଝିଅ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ତଥ୍ୟ ପାଇବା ପରେ ମାନବିକତା ଦୃଷ୍ଟିକୋଣରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବାକୁ ଏକ ଚ୍ୟାଲେଞ୍ଜ ରୁପେ ନେଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍‌।  ଦୁଇ ବର୍ଷ ଧରି ଦିଲ୍ଲୀ ମହିଳା କମିଶନ ନିଖୋଜ ଝିଅଙ୍କୁ ଖୋଜି ଚାଲିଥିଲେ। ଶେଷରେ ଦିଲ୍ଲୀ ପୋଲିସ୍‌ ସହାୟତାରେ ରାଜସ୍ଥାନର କିଶନ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

ଏ ସଂପର୍କରେ ବିସ୍ତୃତ ଭାବରେ ଦିଲ୍ଲୀ ମହିଳା କମିଶନ ଟୁଇଟ୍ କରିଛନ୍ତି।

ଦିଲ୍ଲୀ ମହିଳା କମିଶନଙ୍କ ଟୁଇଟ୍

ସେ ଟୁଇଟ୍ କରିଛନ୍ତି, “ଉଦ୍ଧାର ନାବାଳିକାକୁ ତାଙ୍କର ଜଣେ ସଂପର୍କୀୟ ରାଉଲ୍‌କେଲାରୁ ଦିଲ୍ଲୀକୁ ଆଣିଥିଲେ। କିଛିଦିନ ନିଜ ପାଖରେ ରଖିବା ପରେ ରାଜସ୍ଥାନର କିଶନ ଅଗ୍ରୱାଲ୍‌ଙ୍କୁ ୪ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ସଂପୃକ୍ତ ନାବାଳିକାଙ୍କୁ କିଶନ ଏବଂ ତାଙ୍କ ବନ୍ଧୁ ଯୌନନିର୍ଯାତନା ଦେଇ ଆସୁଥିଲେ। ଫଳରେ ସେ ଏବେ ୯ ମାସର ଗର୍ଭବତୀ।”

“ସଂପୃକ୍ତ ନାବାଳିକା ଜଣକ ସୁଯୋଗ ପାଇ ନିଜ ବାପାଙ୍କୁ ଫୋନ୍‌ ଯୋଗେ ସମସ୍ତ ବିଷୟ ଜଣାଇବା ସହ ଉଦ୍ଧାର ପାଇଁ ନିବେଦନ କରିଥିଲା। ତତ୍‌କ୍ଷଣାତ ନାବାଳିକାର ବାପା ଏ ସଂପର୍କରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ଦୃଷ୍ଟିକୁ ଆଣିଥିଲେ। ନାବାଳିକା ଯେଉଁଠୁ ଫୋନ୍ କରିଥିଲେ ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ଦିଲ୍ଲୀ ପୋଲିସର ସହାୟତାରେ ସଂପୃକ୍ତ ନାଳିବାକୁ ଉଦ୍ଧାର କରାଯାଇଛି”, ଟୁଇଟ୍ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମହିଳା କମିଶନ।

ଓଡ଼ିଶା ପୋଲିସକୁ ସମାଲୋଚନା

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍‌ ଓଡ଼ିଶା ପୋଲିସ ଏବଂ ଲାଠିକଟା ଥାନାଧିକାରୀଙ୍କ କାର୍ଯ୍ୟକଳାପ ତୀବ୍ର ସମାଲୋଚନା କରିଛନ୍ତି। ପୋଲିସ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଜଣେ ନାବାଳିକା ଯୌନଶୋଷଣର ଶିକାର ହେବା ଘଟଣାକୁ ସେ ନିନ୍ଦା କରିଛନ୍ତି।

କେବଳ ଲାଠିକଟାର ସଂପୃକ୍ତ ନାବାଳିକା ନୁହନ୍ତି, ସୁନ୍ଦରଗଡ଼ ଜିଲ୍ଲାରୁ ଏମିତି ଘଟଣା ପ୍ରତିଦିନ ଆସୁଛି। ଝିଅମାନଙ୍କୁ ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ନେଇ ଯୌନ ଶୋଷଣ ଦିଆଯାଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ।

Comment