ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ପାଇଁ ବିଜେପି ହେଲାଣି ସଜବାଜ। ଯୁବକଙ୍କୁ ନିଶ୍ଚିତ ରୋଜଗାରର ପ୍ରତିଶ୍ରୁତି ଦେଲା ବିଜେପି।

“ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ଗରିବଙ୍କୁ ମିଳିବ ସ୍ଥାୟୀ ପଟ୍ଟା ସହ ପକ୍କା ଘର। ବେରୋଜଗାରୀଙ୍କୁ ମିଳିବ ରୋଜଗାର”, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ଏହି ପ୍ରତିଶ୍ରୁତି।

ବିଜେପି ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ପ୍ରତିଶ୍ରୁତି ସମାବେଶ। ସ୍ଥାୟୀ ପଟ୍ଟା, ପକ୍କାଘର ଓ ରୋଜଗାର ଆବେଦନର ଫର୍ମକୁ ଶୁଭାରମ୍ଭ କରିଥିଲେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ଯେଉଁ ଲୋକମାନଙ୍କର ସ୍ଥାୟୀ ପଟ୍ଟା କିମ୍ବା ପକ୍କା ଘର ନାହିଁ ୨୦୨୨ ସୁଦ୍ଧା ସେମାନଙ୍କୁ ଏସବୁ ସୁବିଧା ପ୍ରଦାନ କରାଯିବ। ପ୍ରତି ଓଡ଼ିଆ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଭାରତୀୟ ଜନତା ପାର୍ଟି ସରକାରର ପ୍ରାଥମିକ ଦାୟିତ୍ୱ ହେବ।”

ଏହି ପ୍ରତିଶ୍ରୁତି ଆବେଦନ ଫର୍ମକୁ ଦଳ ପ୍ରତି ବୁଥରେ ପହଞ୍ଚାଇବ। ବେରୋଜଗାର ଯୁବକ ଯୁବତୀ ଏବଂ ପଟ୍ଟା ଓ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଏହାକୁ ପୂରଣ କରି ପଠାଇବେ।

“ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ। ଭୂମିହୀନ ହୋଇଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ। ସେହିପରି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ଲୋକେ ଏହି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟରେ ଯୁବକ ଯୁବତୀମାନଙ୍କ ଆଗରେ ବେରୋଜଗାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ରାଜ୍ୟରେ ବିଜେପି ସରକାର ଗଢ଼ିଲେ ଏସବୁ ସମସ୍ୟାର ସମାଧାନ ହେବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଦଳର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ କହିଛନ୍ତି, “ରାଜ୍ୟ ସରକାର ଓଡ଼ିଆ ଲୋକମାନଙ୍କ ସହ ପ୍ରତାରଣା କରିଆସିଛି। ନବୀନ ପଟ୍ଟନାୟକଙ୍କ ସରକାର କେବଳ ଘୋଷଣା ସର୍ବସ୍ୱ ସରକାର। ଏ ସରକାରଠାରୁ ଆଉ ଅଧିକ କିଛି ଆଶା କରାଯାଇପାରେନା। ୨୦୧୯ରେ ଭାରତୀୟ ଜନତା ପାର୍ଟିର ହିଁ ସରକାର ହେବ। ଲୋକମାନଙ୍କୁ ରୋଜଗାର ସହ ଘର, ପିଇବା ପାଣି, ବିଜୁଳି ନିଶ୍ଚିତ ଦିଆଯିବ।”

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, “ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା କାମରେ କରିକି ଦେଖାଏ। ଏବେ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ଦିନରେ ଯୋଜନା ପ୍ରସ୍ତୁତ କରାଯାଉଛି। ଯେଉଁ ଯୋଜନାର ଲାଭ କାହା ପାଖରେ ପହଞ୍ଚି ପାରୁନାହିଁ। ହେଲେ ବିଜେପି ଆଜି ଯାହା କହୁଛି ତାହା କରିକି ଦେଖାଇବ।”

ରାଜ୍ୟ ଉପ-ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comment