ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଜାତୀୟ ନେତାଙ୍କ ବାୟୋପିକ ନିର୍ମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାୟୋପିକ ‘ଦ ଆକ୍ସି ଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କବ ବାୟୋପିକକୁ ନେଇ ଚର୍ଚ୍ଚା ଧରିଥିଲା। ବର୍ତ୍ତମାନ ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବାୟୋପିକ ‘ମାଇଁ ନେମ୍‌ ଇଜ୍‌ ରା ଗା’ ଚର୍ଚ୍ଚାର ଘେରକୁ ଆସିଛି।

 

ଶନିବାର ରାହୁଲ ଗାନ୍ଧିଙ୍କ ବାୟୋପିକ ‘ମାଇଁ ନେମ୍‌ ଇଜ୍‌ ରା ଗା’ର ଟିଜର ରିଲିଜ ହୋଇଛି। ୪.୦୩ ମିନିଟର ଏହି ଟିଜରରେ ରାହୁଲ ଗାନ୍ଧିଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କ ଠାରୁ ଆରମ୍ଭ କରି ରାହୁଲ କଂଗ୍ରେସ ସୁପ୍ରିମୋ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣା ସ୍ଥାନ ପାଇଛି। ଏହି ଫିଲ୍ମ ଆସନ୍ତା ଏପ୍ରିଲ ମାସରେ ରିଲିଜ ହେବ।

‘ମାଇଁ ନେମ୍‌ ଇଜ୍‌ ରା ଗା’ ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ରୂପେଷ ପଲ। ଫିଲ୍ମ ଟିଜରରେ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂହଙ୍କ ଭୂମିକା ଦର୍ଶାଯାଇଛି। ଏହି ଫିଲ୍ମରେ ରାହୁଲ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଅଶ୍ୱିନୀ କୁମାର। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାରେ ଅଭିନେତା ଅନୁପମ ଖେରଙ୍କ ଭାଇ ରାଜୁ ଖେର ଅଭିନୟ କରିଛନ୍ତି।

ଅନ୍ୟପଟେ ଦେଖିବାକୁ ଗଲେ ଚଳିତ ନିର୍ବାଚନରେ ଦେଶର ଶୀର୍ଷ ନେତାମାନେ ବାୟୋପିକକୁ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି।

Comment