ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ବିଜେଡିରେ ଗୋଷ୍ଠୀ ବିବାଦ ଯୋଗୁଁ ବିରୋଧୀ ଫାଇଦା ନେବାକୁ ଅଣ୍ଟା ଭିଡ଼ିଛନ୍ତି।

୨୦୧୯ ନିର୍ବାଚନରେ ଶାସକ ବିଜେଡି ପାଇଁ ରାୟଗଡା ଜିଲ୍ଲା ଏତେ ଶୁଭଙ୍କର ହେବ ନାହିଁ। ଏହା ଏବେଠାରୁ ଜଣାପଡ଼ିଲାଣି। ଦଳ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଅନ୍ୟ ଦଳର ପ୍ରାର୍ଥୀ ଫାଇଦା ନେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

ଅତୀତରେ ରାୟଗଡ଼ା ବିଧାନସଭା ଆସନ କଂଗ୍ରେସର ଦୁର୍ଗ ହୋଇ ରହିଥିଲା। ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ୨୦୦୦ ଓ ୨୦୦୯ ନିର୍ବାଚନରେ ଏହି ଆସନରୁ ଜିତିବା ପରେ ଦଳ ଏଠାରେ ଖାତା ଖୋଲିଥିଲା। ହିମିରିକା ପ୍ରଥମେ ଉପବାଚସ୍ପତି ଓ ପରେ ମନ୍ତ୍ରୀ ହୋଇଥିଲେ। ସେ କଂଗ୍ରେସର ରାମଚନ୍ଦ୍ର ଉଲାକଙ୍କୁ ପରାସ୍ତ କରିଥିଲେ।

ଭାସ୍କର ରାଓଙ୍କ କରାମତି

ଗତ ନିର୍ବାଚନରେ ରାୟଗଡା ଜିଲ୍ଲାର ତିନୋଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ରାୟଗଡ଼ା, ବିଷମ କଟକ ଓ ଗୁଣୁପୁର ବିଜେଡି ହାତକୁ ଯାଇଥିଲା। ଏହି ତିନୋଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥର କିନ୍ତୁ ପରିସ୍ଥିତି ପୂରା ଅଲଗା। ଗତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ଦକ୍ଷ ନିର୍ବାଚନ ପରିଚାଳନା ପାଇଁ ଦଳ  ଜିତିପାରିଥିଲା। ଏହି ବିଜୟର ପୁରସ୍କାର ସ୍ୱରୂପ ଭାସ୍କର ରାଓଙ୍କୁ ରାଜ୍ୟସଭା ପଠାଯାଇଥିଲା।

ପରେ କିନ୍ତୁ ଜିଲ୍ଲାରେ ବିଜେଡି ଭିତରେ ଭୀଷଣ ଗୋଷ୍ଠୀ ବିବାଦ ସୃଷ୍ଟି ହୋଇଥିଲା। ଏହା ଫଳରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଧକ୍କା ଖାଇବାକୁ ପଡ଼ିଥିଲା। ଜିଲ୍ଲାର ୨୨ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି କେବଳ ୭ଟିରେ ଜିତିପାରିଥିଲା। ୧୧ଟି ଆସନ ଜିତି କଂଗ୍ରେସ ଜିଲ୍ଲା ପରିଷଦ ଗଠନ କଲା।

ଦଳର କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାଶଙ୍କ ହମବଡା ନୀତି ଯୋଗୁଁ ଦଳକୁ ଖରାପ ଦଶା ଭୋଗିବାକୁ ପଡ଼ିଲା। ପରେ କିନ୍ତୁ ନବୀନ ପଟ୍ଟନାୟକ ସୁଧୀରଙ୍କୁ ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ଭାବେ ନିଯୁକ୍ତ କଲେ।

ପଞ୍ଚାୟତ ନିର୍ବାଚନରେ ହାରିବା ପରେ ବି ଦଳର ନେତାମାନେ କିଛି ଶିକ୍ଷା ଲାଭ କରିନଥିବା ଦେଖାଯାଉଛି। ଦଳ ଭିତରେ ଯେଉଁ ଗୋଷ୍ଠୀକନ୍ଦଳ ଚାଲିଛି ତାହାର ସମାଧାନ ପାଇଁ କେହି ବି ଉଦ୍ୟମ କରୁନାହାନ୍ତି। ସୁଧୀର ଓ ତାଙ୍କ ସମର୍ଥକମାନେ ଭାସ୍କର ରାଓଙ୍କ ନେତୃତ୍ୱକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା।

ଇତିମଧ୍ୟରେ ରାୟଗଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା ଜିଲ୍ଲା ଓ ବ୍ଲକ ସ୍ତରରେ ବହୁ ଥର ବୈଠକ କରି ସାରିଲେଣି। କିନ୍ତୁ ବିବାଦର ସମାଧାନ ହୋଇ ପାରୁନାହିଁ। ଉଭୟ ଗୋଷ୍ଠୀ ଭିତରେ ମିଳାମିଶା କରିବାରେ ସଞ୍ଜୟ ପୂରା ବିଫଳ ହୋଇଛନ୍ତି। ଯଦି ଏହା ଅଧିକ ଦିନ ଚାଲେ ନିର୍ବାଚନରେ  ବିଜେଡି ପୂରା ଘାଟାରେ ପଡ଼ିବା ଜଳଜଳ ଦେଖାଯାଉଛି। ଅନ୍ୟ ଅର୍ଥରେ କଂଗ୍ରେସ ପୁଣି ତାର ଦୁର୍ଗକୁ ରକ୍ଷା କରିବା ପାଇଁ ସମର୍ଥ ହେବ।

Comment