ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗୁଣପୁର ବିଧାନସଭା ଆସନ ପାଇଁ ବିଜେଡି ଖୋଜୁଛି ନୂଆ ମୁହଁ।

ରାୟଗଡା ଜିଲ୍ଲାର ଗୁଣୁପୁର ବିଧାନସଭା ଆସନ ଶାସକ ବିଜେଡି ପାଇଁ ସବୁବେଳେ ମୁଣ୍ଡବ୍ୟଥାର କାରଣ ହୋଇ ଆସିଛି। ଖବର ମିଳିଛି ଯେ ଗତଥର ଭଳି ଏଥର ମଧ୍ୟ ବିଜେଡି ଜଣେ ନୂଆ ମୁହଁ ଦେବ। ୨୦୦୯ ନିର୍ବାଚନରେ  ରାମମୂର୍ତ୍ତି ମୁତିକା ଟିକେଟ ପାଇ ଜିତିଥିବା ବେଳେ ୨୦୧୪ରେ ତ୍ରିନାଥ ଗମାଙ୍ଗଙ୍କୁ ଟିକେଟ ଦିଆଯାଇଥିଲା।

ମୁତିକା ହେଉଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ନିକଟ ଲୋକ। ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ଏନ ଭାସ୍କର ରାଓ ଓ ଜୟରାମ ପାଙ୍ଗୀଙ୍କ ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ମୁତିକା ୨୦୧୪ରେ ବଳି ପଡ଼ିଥିଲେ।

୨୦୧୪ରେ ତ୍ରିନାଥ ଗମାଙ୍ଗଙ୍କୁ ଏଥିପାଇଁ ଟିକେଟ ମିଳିଥିଲା ଯେ ସେ ହେଉଛନ୍ତି ପୂର୍ବତନ ସାଂସଦ ହେମା ଗମାଙ୍ଗଙ୍କ ଭାଇ ଓ ତାଙ୍କ ପଛରେ ଲୋକ ସମର୍ଥନ ରହିଥିଲା। ଏଥର କିନ୍ତୁ ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି। ଏହି ସ୍ଥିତିରେ ଗୁଣୁପୁରରୁ କିଏ ପ୍ରାର୍ଥୀ ହେବ ସେ ନେଇ ନେତାଙ୍କ ଭିତରେ ବିଭିନ୍ନ ସ୍ଥାନରେ ବୈଠକ ଅନୁଷ୍ଠିତ ହୋଇଥିଲା ସତ କିନ୍ତୁ କୌଣସି ନିଷ୍ପତ୍ତି ହୋଇପାରୁନାହିଁ।

ପ୍ରାର୍ଥୀ ଖୋଜା ଚାଲିଥିବା ବେଳେ ଖବର ଆସୁଛି ଯେ ଗଜପତି ଜିଲ୍ଲାରେ ଯୋଗାଣ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ରଘୁମଣି ଗମାଙ୍ଗଙ୍କୁ ବିଜେଡିର ପ୍ରାର୍ଥୀ କରାଯାଇପାରେ। ସେ ଗୁଡାରୀର ବାସିନ୍ଦା। ଖୁବ୍ ଶୀଘ୍ର ସେ ସରକରୀ ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବେ ଓ ତାଙ୍କୁ ଗୁଣୁପୁରରୁ ପ୍ରାର୍ଥୀ କରାଯିବ ବୋଲି ଶୁଣାଯାଉଛି। କିନ୍ତୁ ଏଥିରେ ବି ଅସୁବିଧା ଅଛି।

ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଶିବ ପ୍ରସାଦ ଗୌଡ଼ ଓ ଦଳର ସମ୍ପାଦକ କେ ରାମକୃଷ୍ଣ ଗୁଣୁପୁରରୁ କେହି ନୂଆ ପ୍ରାର୍ଥୀ ହୁଅନ୍ତୁ ତାହା ଚାହୁଁ ନାହାନ୍ତି। ସେମାନଙ୍କ ମତ ହେଉଛି ଯେ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ନୂଆ ପ୍ରାର୍ଥୀ ଦିଆଗଲେ ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିବେ।

Comment