ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗୋଟିଏ ପଟେ ପଶ୍ଚିମ ଓଡ଼ିଶାରେ ପଶିବା ପାଇଁ ଶାସକ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଥିବା ବେଳେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ପରିସ୍ଥିତି ଦିନକୁ ଦିନ ମୁସ୍କିଲ ହେଉଥିବା ଲକ୍ଷ୍ୟ କରାଯାଉଛି। ଆସନ୍ତା ନିର୍ବାଚନରେ ଏହି ଗୋଷ୍ଠୀ ବିବାଦ ଦଳ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଲୋଚନା ହେଉଛି।

ସମ୍ବଲପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ତିନିଟି ବିଧାନସଭା ଆସନ ବିଜେଡି ହାତରେ ଏବେ ରହିଛି। କିନ୍ତୁ ଜଣେ ଗ୍ରହଣୀୟ ନେତାଙ୍କ ଅଭାବ ଯୋଗୁଁ ଜିଲ୍ଲାରେ ଦଳ ଆଗେଇ ପାରୁନାହିଁ।

ମିଶ୍ରିତ ପ୍ରତିନିଧିତ୍ୱ

ସମ୍ବଲପୁର ଲୋକସଭା ଆସନ ଅଧୀନରେ ରହିଛି ସାତଟି ବିଧାନସଭା ଆସନ। ଏଥି ମଧ୍ୟରୁ ସମ୍ବଲପୁର, ରେଢ଼ାଖୋଲ, ରେଙ୍ଗାଲି, କୁଚିଣ୍ଡା, ସମ୍ବଲପୁର ଲୋକସଭା ଆସନ ଭିତରେ ଆସୁଛି। ଏହି ଚାରି ଆସନକୁ ଯଥାକ୍ରମେ ପ୍ରତିନିଧିତ୍ୱ କରୁଛନ୍ତି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଶାସକ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଓ ରମେଶ ପଟୁଆ। କୁଚିଣ୍ଡା ଆସନ ବିଜେପି ହାତରେ ରହିଛି। ରବି ନାଏକ ଏଠାକାର ବିଧାୟକ।

ସଂଗଠନ ନାହିଁ

ସମ୍ବଲପୁର ଲୋକସଭା ଆସନକୁ ପ୍ରସତିନିଧିତ୍ୱ କରୁଛନ୍ତି ଦଳର ବରିଷ୍ଠ ଓ ଅଭିଜ୍ଞ ନେତା ନଗେନ୍ଦ୍ର ପ୍ରଧାନ। ୨୦୧୪ ସାଧାରଣ ନିର୍ବାଚନରେ ନଗେନ୍ଦ୍ର ପ୍ରଧାନ ବିଜେପିର ସୁରେଶ ପୂଜାରୀଙ୍କୁ ହରାଇଥିଲେ। ତେବେ ବିଜେଡିର ସମସ୍ତ ତିନି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ନାମରେ  ହିଁ ଭୋଟ ପାଇଥିଲେ। ହେଲେ  ଏହି ବିଧାୟକ/ବିଧାୟିକା ଦଳର ସଂଗଠନକୁ ଦୃଢ଼ କରିବା ପାଇଁ ଏହି ପାଞ୍ଚ ବର୍ଷ ମଧ୍ୟରେ ବିଶେଷ କିଛି କରିନାହାନ୍ତି ବୋଲି ଆଲୋଚନା ହେଉଛି।

ସାଂସଦ ନଗେନ୍ଦ୍ର ପ୍ରଧାନ ଏ ପର୍ଯ୍ୟନ୍ତ ମଇଦାନକୁ ଆସି ନଥିବା ବେଳେ ରାସେଶ୍ୱରୀ, ରୋହିତ ଓ ରମେଶ ନିଜ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ହିଁ କାର୍ଯ୍ୟକଳାପକୁ ସୀମିତ ରଖିଛନ୍ତି। ଆହୁରି ସାଙ୍ଘାତିକ କଥା ହେଲା ଏ ତିନି ଶାସକ ଦଳର ବିଧାୟକଙ୍କ ଭିତରେ ସମନ୍ଵୟ ରହୁନଥିବା ଦେଖାଯାଇଛି। ଏହା ଫଳରେ ନିର୍ବାଚନ ପାଇଁ କର୍ମୀମାନେ ଉତ୍ସାହିତ ଥିବା ଆଖିରେ ପଡୁନାହିଁ।

ରାସେଶ୍ୱରୀଙ୍କ ଭୂମିକା

ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ରୋହିତ ପୂଜାରୀ ଦୁଇ ଥର କାମ କରି ଥିଲେ ମଧ୍ୟ ସଙ୍ଗଠନକୁ ସଜାଡ଼ିବାରେ ବିଶେଷ କିଛି କରିପାରି ନାହାନ୍ତି। ପରେ ରାସେଶ୍ୱରୀଙ୍କ ସୁପାରିଶ କ୍ରମେ ପ୍ରମୋଦ ରଥଙ୍କୁ ଜିଲ୍ଲା ସଭାପତି କରାଗଲା। କିନ୍ତୁ  ଦଳ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ପ୍ରମୋଦଙ୍କୁ ବି ବାହାର କରି ଦିଆଗଲା। ଆଉ ଏ ପର୍ଯ୍ୟନ୍ତ ଜିଲ୍ଲା କମିଟି ଗଠନ ହୋଇପାରିନାହିଁ।

ମଜା କଥା ହେଉଛି ବିଜେଡି ଗଠନ ହେବାର ୨୧ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ଗଠନ ହୋଇ ପାରିନାହିଁ। ନିକଟରେ ଯୁବ କାର୍ଯ୍ୟବାହୀ ସଭାପତି ସଞ୍ଜିତ ମହାନ୍ତି ଏକ ଜୋନାଲ କମିଟି ଗଠନ କରିଥିଲେ। କିନ୍ତୁ ଚାରିଆଡ଼ୁ ବିରୋଧ ଫଳରେ ଏହି କମିଟି କାମ ଆରମ୍ଭ କରି ପାରୁନାହିଁ। ଏହି କମିଟିକୁ ଉଭୟ ରୋହିତ ଓ ରାସେଶ୍ୱରୀ ବିରୋଧ କରୁଛନ୍ତି।

Comment