ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ଭୀମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ, ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେବାପରେ ସମ୍ବଲପୁରରେ ରାଜନୈତିକ ଗତିବିଧୀ ଜୋର୍‌ ଧରିଛି। ସୋନପୁର ଜନ୍ମିତ ଏହି ବରିଷ୍ଠ ଡାକ୍ତରଙ୍କୁ ନିଜ ଦଳକୁ ନେବାପାଇଁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ହେଲେ ନିର୍ଦ୍ଦେଶକ ପଦବୀ ଯିବାରେ ଶାସକ ଦଳର ହାତ ରହିଥିବା ଅଭିଯୋଗ ରହିଛି।

ତେଣୁ ପ୍ରଫେସର ପୂଜାହାରୀ ବିଜେଡିକୁ ଯିବା ସମ୍ଭାବନା କମ୍‌ଥିବା ବେଳେ କଂଗ୍ରେସର ମୁଖିଆ ତାଙ୍କ ସହ ସିଧା କଥା ହୋଇଛନ୍ତି। ହେଲେ ବିଜେପି କିନ୍ତୁ ପୂରା ପ୍ରସ୍ତୁତି ସାରିଛି ପ୍ରଫେସର ପୂଜାହାରୀଙ୍କୁ ନିଜ ଦଳରେ ସାମିଲ୍‌ କରିବା ସହ ଡାକ୍ତର ରାଶେସ୍ୱରୀଙ୍କ ବିରୋଧରେ ତାଙ୍କୁ ପ୍ରାର୍ଥୀ କରିବାକୁ। ଏହା ହେଲା ସମ୍ବଲପୁର ବିଧାନସଭା ଇତିହାସରେ ପ୍ରଥମ ଥର ଲାଗି ଦୁଇଜଣ ଡାକ୍ତର ପ୍ରତ୍ୟକ୍ଷ ନିର୍ବାଚନରେ ମୁହାଁମୁହିଁ ହେବା ପରିସ୍ଥିତି ସୃଷ୍ଟି ହେବ।

ସମ୍ବଲପୁର ରାଜନିତୀ ଏବେ ଘଡ଼ିକୁ ଘୋଡ଼ା ଛୁଟୁଛି। ମୁଖ୍ୟତଃ ଭୀମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ନିର୍ଦ୍ଦେଶକ ପଦରୁ ଗତକାଲି ଇସ୍ତଫା ଦେବାପରେ, ତାଙ୍କୁ ନିଜ ଦଳରେ ସାମିଲ୍‌ କରିବାକୁ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରେ ସବୁଠାରୁ ଆଗରେ ଅଛି ବିଜେପି। ପୂର୍ବରୁ ପ୍ରଫେସର ପୂଜାହାରୀଙ୍କୁ ଶାସକଦଳ ପକ୍ଷରୁ ଜେଡିଏକୁ ବ୍ୟବହାର କରି ନିନ୍ଦିତ କରିବା ତାଙ୍କ ବିରୋଧରେ ଆନ୍ଦୋଳନ କରିବା ସମୟରେ ବିଜେପି କିନ୍ତୁ ପ୍ରଫେସର ପୂଜାହାରୀଙ୍କ ସହ ରହିଥିଲା। ସେହିପରି ପଶ୍ଚିମଓଡ଼ିଶାର ସୋନପୁରରେ ଜନ୍ମିତ ଏହି ବରିଷ୍ଠ ଡାକ୍ତର ଏ ଅଞ୍ଚଳରେ ନିଜର ସଚୋଟ ପଣିଆ ଓ ଗରିବ ରୋଗୀଙ୍କ ସେବା କରି ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି। ତେଣୁ ସମ୍ବଲପୁରରେ ଯଦି ଡାକ୍ତର ରାଶେସ୍ୱରୀ ପାଣିଗ୍ରାହୀ ପୁଣି ଥରେ ବିଜେଡି ଟିକେଟ୍‌ ପାଆନ୍ତି ତେବେ ତାଙ୍କ ବିରୋଧରେ ଆଉ ଜଣେ ଡାକ୍ତରଙ୍କୁ ଠିଆ କରାଇବା ଲକ୍ଷ୍ୟରେ ବିଜେପି ଏହି ପ୍ରଫେସରଙ୍କ ନିଜ ଦଳରେ ସାମିଲ୍‌ କରିବାକୁ ସବୁ ପ୍ରସ୍ତୁତି ସାରିଦେଇଛି।

ଏବେ ଅପେକ୍ଷା ଆସନ୍ତା ୧୫ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ସମୟକୁ। ସେଦିନ ପ୍ରଫେସର ଅଶ୍ୱିନୀ ପୂଜାହାରୀ ବିଜେପିରେ ସାମିଲ୍‌ ହେବା ସହ ପଦ୍ମଧରିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି। ହେଲେ ବରିଷ୍ଠ ବିଜେପି ନେତା ପୁର୍ବରୁ ଏହି କାର୍ଡ ଖୋଲିବା ମୁଡ୍‌ରେ ନାହାଁନ୍ତି। ବୁଲେଇ ବଙ୍କେଇ ସେହି କଥା କହୁଛନ୍ତି, ସବୁ ଭଲଲୋକଙ୍କୁ ହେଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି ପ୍ରଫେସର ପୂଜାହାରୀଙ୍କୁ ଦଳ ନିଶ୍ଚିତ ସ୍ୱାଗତ କରିବ। ସେପଟେ ମନରେ ଭୟ ଥିଲେ ମଧ୍ୟ ବର୍ତ୍ତମାନର ବିଜେଡି ବିଧାୟିକା ଡାକ୍ତର ରାଶେସ୍ବରୀ ପାଣିଗ୍ରାହୀଙ୍କ କହିବା ହେଲା, ଗଣତନ୍ତ୍ର ରାଷ୍ଟ୍ରରେ ଯେ କେହିବି ନିର୍ବାଚନ ଲଢ଼ିପାରନ୍ତି। ପ୍ରଫେସର ପୂଜାହାରୀ ନିର୍ବାଚନ ଲଢ଼ିଲେ ସେମିତି କିଛି ଫରକ ପଡ଼ିବନି। ହେଲେ ପ୍ରଫେସର ପୂଜାହାରୀଙ୍କ ସପକ୍ଷରେ ଜନମତ ଥିବାରୁ ନିର୍ବାଚନ ଅଧିକ ରୋଚକ ହେବ ବୋଲି ରାଜନୈତିକ ସମୀକ୍ଷମାନେ କହିଛନ୍ତି।

ଏ ସଂପର୍କରେ ବିଜେଡିର ବରିଷ୍ଠ ନେତାମାନେ କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ସମ୍ବଲପୁର ବିଧାୟିକା ସେପରି କିଛି ଆଖି ଦୃଶିଆ କାର୍ଯ୍ୟ କରିନଥିବା ବେଳେ ପ୍ରଫେସର ପୂଜାହାରୀଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର କରାଯାଇଥିବା ତାହା ବିଧାୟିକାଙ୍କ ଇଙ୍ଗିତରେ ହୋଇଥିବା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସମସ୍ତେ ଜାଣିଛନ୍ତି। ତେଣୁ ଯଦି ଡାକ୍ତର ରାଶେସ୍ୱରୀ ପାଣିଗ୍ରାହୀ ଓ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କ ମଧ୍ୟରେ ମୁହାଁ ମୁହିଁ ନିର୍ବାଚନୀ ଲଢେଇ ହୁଏ, ତେବେ ନିଶ୍ଚିତ ରୁପେ ଏହା ବିଜେଡି ପାଇଁ କାଠିକର ପାଠ ହେବ।

ତେବେ ବିଜେପି କହିଛି, ଯେ ଡାକ୍ତର ରାଶେସ୍ୱରୀ ପାଣିଗ୍ରାହୀଙ୍କ ବିରୋଧରେ ଆଣ୍ଟି ଇନ୍‌କନ୍‌ଭେନ୍ସି ଫାକ୍ଟର ରହିଛି ତେଣୁ ପ୍ରଫେସର ପୂଜାହାରୀଙ୍କ ଜିତାପଟ୍‌ ସୁନିଶ୍ଚିତ। ହେଲେ  ସମ୍ବଲପୁର ଜିଲ୍ଲା କଂଗ୍ରେସ ପ୍ରଫେସର ପୂଜାହାରୀଙ୍କ ନିଜ ଦଳକୁ ନେବାର  ସବୁଚେଷ୍ଟା କରି ବିଫଳ ହେବାପରେ, ଏବେ ପିସିସି ମୁଖିଆଙ୍କ ଉପରେ ଦାୟୀତ୍ବ ଛାଡିଦେଇଛି। ହେଲେ ଇସ୍ତଫା ଦେବାପରେ, ଏବେ ପୁରା ରିଲାକ୍ସ ମୁଡ୍‌ରେ ଥିବା ପ୍ରଫେସର ପୂଜାହାରୀ କିନ୍ତୁ ନିଜ କାର୍ଡ ଶୋ’ କରିବାକୁ ନାରାଜ। କହୁଛନ୍ତି ସମୟ ଆସୁଛି ସବୁକିଛି ସ୍ପଷ୍ଟ ହୋଇଯିବ। ହେଲେ ତାଙ୍କ ନିକଟତମ ମହଲରୁ ସ୍ପଷ୍ଟ ସୂଚନା ମିଳିସାରିଛି ଯେ, ଆସନ୍ତା ୧୫ତାରିଖରେ ପଦ୍ମ ଧରିବେ ଏହି ବରିଷ୍ଠ ଡାକ୍ତର ଆଉ ସମ୍ବଲପୁର ବିଧାନସଭା ଆସନରୁ ଡାକ୍ତର ରାଶେସ୍ୱରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ଇସ୍ତଫାପରେ ବୁର୍ଲାରେ ଥିବା ସରକାରୀ ବଙ୍ଗଳା ଖାଲି କରି ପ୍ରଫେସର ପୂଜାହାରୀ ଏବେ ସମ୍ବଲପୁରରେ ରହୁଛନ୍ତି। ଆଉ ପ୍ରତିଦିନ ତାଙ୍କ ଘରକୁ ବିଭିନ୍ନ ରାଜନୈତିକଦଳର ନେତାଙ୍କ ସହ ସାଧାରଣ ଲୋକଙ୍କ ସୁଅ ଛୁଟୁଛି। ସମସ୍ତଙ୍କ ସହ ବସି ଦୀର୍ଘ ସମୟ ଧରି ରାଜନୈତିକ ଚର୍ଚ୍ଚା କରିବା ସହ ମଇଦାନକୁ ଓହ୍ଲାଇବାକୁ ପୂରା ପ୍ରସ୍ତୁତ ହେଉଛନ୍ତି ଏହି ବରିଷ୍ଠ ଡାକ୍ତର।

ଆଉମାତ୍ର କିଛି ସପ୍ତାହ ପରେ,ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଏତିକି ସମୟରେ କାହାକୁ କିଏ ନିଜ ଦଳକୁ ଟାଣୁଛି ଓ କାହାର ପତ୍ତା ସାଫ୍‌ ହେଉଛି, ତାକୁ ଏବେଠାରୁ ଆକଳନ କରିବା କଷ୍ଟକର ନିଶ୍ଚିତ। ହେଲେ ଯଦି ପ୍ରଫେସର ପୂଜାହାରୀ ବିଜେପିରେ ଯୋଗଦେଇ ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ନ୍ତି, ତେବେ ଏହି ଆସନରୁ ୩ଥର ବିଜୟୀ ହୋଇ ମନ୍ତ୍ରୀ ହୋଇସାରିଥିବା ଜୟନାରାୟଣ ମିଶ୍ର କେଉଁଠାରୁ ଲଢ଼ିବେ ନା ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।

Comment