ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧର୍ମ ଏବଂ ଆସ୍ଥାରେ ଏଭଳି ଚମତ୍କାର ଘଟେ, ଯେଉଁଥିପାଇଁ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଆହୁରି ବଢ଼ିଯାଇଥାଏ। ଏଭଳି ଏକ ଚମତ୍କାର ଦେବୀ ମନ୍ଦିର ରହିଛି ଯେଉଁଠି ଘିଅ କି ତେଲ ନୁହେଁ ପାଣିରେ ଜଳୁଛି ଦୀପ। ଗତ ୫ବର୍ଷ ଧରି ମନ୍ଦିରେ ଏହା ହୋଇ ଆସୁଅଛି।

ମଧ୍ୟପ୍ରଦେଶ ସାଜାପୁର ଜିଲ୍ଲାରେ ଗାଡିଆଘାଟ ବାଲି ମାତାଜୀ ନାମରେ ଦେବୀ ମନ୍ଦିର ରହିଛି। ମନ୍ଦିରଟି କାଳୀସିଦ୍ଧ ନଦୀ କୂଳରେ ଅବସ୍ଥିତ। ଆଗ୍ରା-ମାଲୱାରର ନଲଖେଡା ଗାଁରୁ ପାଖାପାଖି ୧୫ କିମି ଦୂରରେ ମନ୍ଦିରଟି ରହିଛି।

କୁହାଯାଉଛି, ଗତ ୫ବର୍ଷ ଧରି ଗୋଟିଏ ଦୀପ ସେମିତି ଜଳି ରହିଛି। ଦେଶର ଏହା ଏକମାତ୍ର ମନ୍ଦିର ଯେଉଁଠି ଏତେ ଦିନ ଧରି ଦୀପଟି ଲଗାତାର ଜଳି ରହିଛି। ମନ୍ଦିରରେ ରହୁଥିବା ବ୍ରାହ୍ମଣ ଯେଉଁ ଅଲୌକିକ କଥା କହିଛନ୍ତି ତାହାକୁ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। ପୂଜାରୀଙ୍କ କହିବା କଥା ମନ୍ଦିରରେ ଯେଉଁ ମହାଜ୍ୟୋତି ଜଳୁଛି, ତାକୁ ଜାଳିବା ପାଇଁ କୌଣସି ପ୍ରକାର ଘିଅ କି ତେଲ, ମହମ କିମ୍ବା ଅନ୍ୟ କୌଣସି ଇନ୍ଧନର ଆବଶ୍ୟକ ହୋଇନଥାଏ। ବରଂ ଏହି ଦୀପ ପାଣିରେ ଜଳିଥାଏ।

ମା’ଙ୍କ ସ୍ୱପ୍ନାଦେଶରେ ତେଲ ବଦଳରେ ପାଣିରେ ଜଳୁଛି ଦୀପ:

ପୂଜାରୀ ସିଦ୍ଧୁ ସିଂହଙ୍କ କହିବା ଅନୁସାରେ ପୂର୍ବରୁ ମନ୍ଦିରରେ ତେଲ ଦୀପ ଜଳୁଥିଲା। କିନ୍ତୁ ଗତ ୫ ବର୍ଷ ପୂର୍ବେ ତେଲ ବଦଳରେ ପାଣିରେ ଜାଳିବାକୁ ମା’ ସ୍ୱପ୍ନାଦେଶ ଦେଇଥିଲେ। ପରଦିନ ସକାଳୁ ଉଠି ପୂଜାରୀ ମନ୍ଦିର ନିକଟରେ ଥିବା କାଳୀସିଦ୍ଧ ନଦୀକୁ ଯାଇଥିଲେ। ସେଠାରୁ ପାଣି ଆଣି ଦୀପରେ ଦେଇଥିଲେ । ଦିଆସିଲି ମାରିବା ପରେ ଦୀପଟି ତେଲରେ ଜଳିବା ପରି ପାଣିରେ ମଧ୍ୟ ଜଳିଥିଲା। ଏଭଳି ହେବା ପରେ ନିଜେ ପୂଜାରୀ ମଧ୍ୟ ବିଶ୍ୱାସ କରିପାରୁନଥିଲେ।

ପାଖାପାଖି ୨ ମାସ ପର୍ଯ୍ୟନ୍ତ ଏଭଳି ଅଲୌକିକ ଘଟଣା ସମ୍ପର୍କରେ ପୂଜାରୀ କାହାକୁ କିଛି କହିନଥିଲେ। ପରେ ଏହି କଥାକୁ ଗ୍ରାମବାସୀଙ୍କ ଆଗରେ କହିଥିଲେ କିନ୍ତୁ ପ୍ରଥମେ ପ୍ରଥମେ ଗ୍ରାମବାସୀ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ଯେତେବେଳେ ନିଜେ ନଦୀରୁ ପାଣି ଦୀପରେ ଢାଳିଥିଲେ ସେତେବେଳେ ଯାଇ ମା’ଙ୍କ ଅଲୌକିକତାକୁ ବିଶ୍ୱାସ କରିଥିଲେ। ଏଭଳି ଘଟଣା ଚାରିଆଡ଼େ ପ୍ରଚାରିତ ହେବା ପରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା।

Comment