ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚଳିତ ଫେବ୍ରୁଆରି ଶେଷ ସୁଦ୍ଧା କଂଗ୍ରେସ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ବୋଲି ପିସିସି ପକ୍ଷରୁ କୁହାଯାଇଛି। ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ ଓ ସେହି ସାକ୍ଷାତ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ଉଜ୍ଜଳ ହୋଇଛି।

ଓଡ଼ିଶାର ପ୍ରାର୍ଥୀ ତାଲିକା ସମ୍ପର୍କିତ ଆଲୋଚନା ପାଇଁ ପିସିସି ମୁଖ୍ୟ, ଦଳର ସାଧାରଣ ସମ୍ପାଦକ ଓ ସଭାପତି ତଥା ବିଧାନସଭାରେ ବିଧାୟକ ଦଳର ନେତା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ପ୍ରାର୍ଥୀ ତାଲିକା ବ୍ୟତୀତ ଓଡ଼ିଶାରେ ଦଳର ନିର୍ବାଚନ ରଣନୀତି କ’ଣ ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। କଂଗ୍ରେସ ଏଥର ବୁଥ୍‌ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ତା’ଛଡ଼ା ଯେଉଁମାନେ ନିର୍ବାଚନ ଲଢ଼ିବେ ସେମାନଙ୍କର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯିବ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ କଂଗ୍ରେସ ପକ୍ଷରୁ ଗତ ଅଗଷ୍ଟ ଶେଷ ସୁଦ୍ଧା ପ୍ରଥମ ୫୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା କିନ୍ତୁ ବିଭିନ୍ନ କାରଣରୁ ତାହା ବିଳମ୍ବ ହୋଇ ଚାଲିଥିଲା। ନିର୍ବାଚନର ଢେର ଆଗରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲେ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଓ ଭୋଟରମାନଙ୍କ ସହିତ ସମ୍ପର୍କ ରକ୍ଷା କରିପାରିବେ ଓ ଅନ୍ୟ ଦଳଠାରୁ ଆଗରେ ରହିପାରିବେ ବୋଲି ଚିନ୍ତା କରାଯାଇଥିଲା।

କିନ୍ତୁ ଦଳର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଏହା ସମ୍ଭବ ହୋଇନଥିଲା। ଦଳର କନ୍ଦଳ ଏତେ ଦୂର ଚାଲିଯାଇଥିଲା ଯେ ନିକଟରେ ତିନି ଜଣ ବିଧାୟକ ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ମିଶିସାରିଲେଣି।

ନବକିଶୋର ଦାସ ଓ ଯୋଗେଶ ସିଂହ ଶାସକ ବିଜେଡିରେ ଯୋଗ ଦେବା ସହିତ ସେମାନେ ପୂର୍ବରୁ ଯେଉଁଠୁ ନିର୍ବାଚିତ ହୋଇଥିଲେ ସେହି ନିର୍ବାଚନ ମଣ୍ଡଳୀରୁ ପୁଣି ଲଢ଼ିବେ ବୋଲି ସ୍ଥିର ହୋଇଛି। ଅନ୍ୟ ଜଣେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ତାଲିକା ବିଳମ୍ବ ହେବା ପଛରେ ଦୁଇ ତିନୋଟି ନିର୍ଦ୍ଦିଷ୍ଟ କାରଣ ରହିଛି। ଏକେତ ଜିତିବା ଭଳି ପ୍ରାର୍ଥୀ କଂଗ୍ରେସକୁ ମିଳୁନାହାନ୍ତି। ଦ୍ୱିତୀୟରେ ବାମ ପନ୍ଥୀ ଦଳମାନଙ୍କ ସହିତ  କଂଗ୍ରେସର ଆସନ ବୁଝାମଣା ହେବ ବୋଲି ନିଷ୍ପତ୍ତି ହୋଇଛି।

କେଉଁ କେଉଁ ଆସନ ବାମପନ୍ଥୀଙ୍କୁ ଛଡ଼ାଯିବ ତାହା ସ୍ଥିର ହୋଇପାରୁନଥିବା କାରଣରୁ ପ୍ରାର୍ଥୀ ତାଲିକା ବିଳମ୍ବିତ ହୋଇଥିବା କୁହାଯାଉଛି। ଆହୁରି ମଧ୍ୟ ଅନ୍ୟ ଦଳରୁ କିଛି ନେତା ଓ ପୁରୁଖା ନେତା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ମଧ୍ୟ ରହିଛି।

ଖାଲି ସେତିକି ନୁହେଁ, କିଛି ପ୍ରାର୍ଥୀଙ୍କୁ କଂଗ୍ରେସ ବାହାରୁ ସମର୍ଥନ ଦେଇପାରେ। ଏହିସବୁ କାରଣରୁ କଂଗ୍ରେସର ପ୍ରାର୍ଥୀ ତାଲିକା ବିଳମ୍ବ ହୋଇଥିବା କୁହାଯାଉଛି। ମାସ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନଙ୍କ ହାତରେ ଆଉ ବିଶେଷ ସମୟ ରହିବ ତାହା ଦେଖାଯାଉନାହିଁ। ଏଣୁ ଯିଏ ବି ପ୍ରାର୍ଥୀ ହେବେ ତାଙ୍କୁ ଦିନରାତି କସରତ କରିବାକୁ ପଡ଼ିବ।

Comment