ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନେତାଙ୍କ ପୁଅମାନଙ୍କ ପରି ଝିଅମାନେ ବି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର) :୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ଦେଖିବେ ଭିନ୍ନ ରାଜନୀତି। କିଛି ନେତା ନିଜ ପୁଅମାନଙ୍କ ପାଇଁ ଟିକେଟ ଗଣିତ କଷୁଥିବା ବେଳେ ଝିଅମାନେ ବି ପଛରେ ପଡ଼ି ନାହାନ୍ତି। କିଛି ନେତାଙ୍କ ଝିଅ ଟିକେଟ ନେବା ଦୌଡ଼ରେ ସାମିଲ ହୋଇଛନ୍ତି।

ଏମାନଙ୍କ ଭିତରେ ରହିଛନ୍ତି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର, ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ, ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ସସ୍ମିତା ବେହେରା।

ଯଦିଓ ଏହି ନାରୀ ନେତ୍ରୀମାନଙ୍କୁ ଟିକେଟ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନି, ହେଲେ ଏମାନେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କୁହାଯାଉଛି। ଏମାନେ ବି ନିଜ ନିଜ ନିର୍ବାଚନମଣ୍ଡଳୀରେ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୪ ନିର୍ବାଚନରେ ମଧ୍ୟ ଏହି ନାଁକୁ ନେଇ ଚର୍ଚ୍ଚା ହୋଇଥିଲା।

ମଇଦାନକୁ ଓହ୍ଲାଇବେ ଲୁଲୁଙ୍କ ଝିଅ ଉପାସନା!

ଗତ ୨୦୧୪ ନିର୍ବାଚନ ପ୍ରଚାର ମଇଦାନରେ କଂଗ୍ରେସର ଫାୟାରବ୍ରାଣ୍ଡ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ତାଙ୍କ ଝିଅ ଉପାସନାଙ୍କୁ ଦେଖିବାକୁ ମିଳିଥିଲା ବ୍ରହ୍ମଗିରି ପ୍ରଚାର ମଇଦାନରେ। ଯୁବ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉପାସନାଙ୍କୁ ସାଙ୍ଗରେ ଧରି ବ୍ରହ୍ମଗିରିରେ ଗାଁଗୁ ଗାଁ ବୁଲୁଥିଲେ ଲୁଲୁ।

ଏବେ ଲୁଲୁ ଆର ପାରିକୁ ଚାଲିଯିବା ପରେ ଉପାସନା ଖୋଲାଖୋଲି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଲୁଲୁଙ୍କ ଦେହାନ୍ତ ପରେ ବିଜେପିରେ ସାମିଲ ହୋଇଛନ୍ତି ଉପାସନା। ଉପାସନାଙ୍କୁ ମଧ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ହେଲେ ଉପାସନା ୨୦୧୯ରେ ପ୍ରାର୍ଥୀ ହେବେ ନାହିଁ ବୋଲି କୁହାଯାଉଛି।

ଲୁଲୁଙ୍କ ଭାଇ ତଥା ଉପାସନାଙ୍କ କାକା ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେପି ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଉପାସନା ବ୍ରହ୍ମଗିରିରେ ପ୍ରଚାର ମଙ୍ଗ ଧରିବେ ଏହା ନିଶ୍ଚିତ। ବାପାଙ୍କ ଅଧୁରା ସ୍ୱପ୍ନକୁ ଆଗେଇ ନେବା ଲାଗି ଉପାସନା ଏବେ ତତ୍ପର।

କବିସୂର୍ଯ୍ୟନଗରରୁ ଲତିକାଙ୍କ ନାଁ!

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ନେତାଙ୍କ ଝିଅ ଟିକେଟ ନେବାକୁ ଆଗକୁ ଆସିଛନ୍ତି। ସେ ହେଉଛନ୍ତି ଆସିକାର ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ।

୨୦୧୪ରେ ନିଜ ଝିଅ ଲତିକା ପ୍ରଧାନଙ୍କୁ କବିସୂର୍ଯ୍ୟନଗରରୁ ଟିକେଟ ଦେବାକୁ ଲବି କରିଥିଲେ ନିତ୍ୟାନନ୍ଦ। ହେଲେ ଲତିକା ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଗଞ୍ଜାମ ଜିଲା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ସଂଯୋଜିକା କରାଯାଇଥିଲା। ଏହାସହ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଭାବେ ମଧ୍ୟ ଲତିକାଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର।

ଏବେ ଲତିକା ୨୦୧୯ ନିର୍ବାଚନ ପାଇଁ ସଜବାଜ ହେଲେଣି। ନିଜ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଲତିକା ଭୋଟରଙ୍କ ନିକଟତର ହେଉଛନ୍ତି।

ଅନିତାଙ୍କୁ ନେଇ ଅଙ୍କକଷା!

ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ପଟ୍ଟନାୟକଙ୍କୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ୁଛି। ସେ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ୨୦୧୪ ନିର୍ବାଚନରେ ରାମକୃଷ୍ଣ, ତାଙ୍କ ପତ୍ନୀ କୁମୁଦିନୀ ଏବଂ ଝିଅ ଅନିତା ପଟ୍ଟନାୟକ ବିଜେପିରେ ସାମିଲ ହୋଇଥିଲେ। ୨୦୧୪ରେ ରାମକୃଷ୍ଣ ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଗଲା। କିନ୍ତୁ ସେମିତି କିଛି ଘଟିଲା ନାହିଁ।

୨୦୧୯ରେ ଅନିତା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଅନିତା ଯଦିଓ ବର୍ତ୍ତମାନସୁଦ୍ଧା କୌଣସି ରାଜେୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି, ହେଲେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି।

ତାଳଚେରରୁ ସସ୍ମିତା ବେହେରା!

ରାଜନୈତିକ ପରିବାରରୁ ଆସିଥିବା ସସ୍ମିତା ବେହେରା ମଧ୍ୟ ଜଣେ ଆଗଧାଡିର ମହିଳା ନେତ୍ରୀ ଭାବେ ପରିଚୟ ହାସଲ କରିଛନ୍ତି। ସେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ହୋଇଥିବାରୁ ୨୦୧୪ରେ ତାଳଚେର ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ଏହାସହ ସେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମଧ୍ୟ ରହିଥିଲେ। ସସ୍ମିତା ଏବେ ୨୦୧୯ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସସ୍ମିତା। ୨୦୧୯ ନିର୍ବାଚନରେ ସେ ପୁଣିଥରେ ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ଗୋଟି ଚାଳନା କରୁଛନ୍ତି।

ତନୟାଙ୍କୁ ନେଇ ଚର୍ଚ୍ଚା ଥମୁନି

ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ଥମୁନି। ଗତ ୨୦୧୪ ନିର୍ବାଚନରେ ସୌମ୍ୟଙ୍କ ଝିଅ ତନୟାଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ନିର୍ବାଚନ ପ୍ରଚାର ମଇଦାନରେ।

ସୌମ୍ୟ ୨୦୧୪ରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ଆସନରୁ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ବାପାଙ୍କୁ ନିର୍ବାଚନରେ ଜିତାଇବା ପାଇଁ ପ୍ରଚାର କରିଥିଲେ ତନୟା। କିଛି ଗାଁରେ ଭୋଟରଙ୍କୁ ଭେଟି ତନୟା ସୌମ୍ୟଙ୍କ ପାଇଁ ଭୋଟ ମାଗିଥିଲେ। ସେବେଠାରୁ ତନୟା ସକ୍ରିୟ ରାଜନୀତିକୁ ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୧୭ରେ ସୌମ୍ୟ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହୋଇଛନ୍ତି। ଚର୍ଚ୍ଚା ହେଉଛି ଯେ ଖଣ୍ଡପଡ଼ା ଆସନ ପାଇଁ ଝିଅ ତନୟାଙ୍କ ପାଇଁ ସୌମ୍ୟ ଗୋଟି ଚାଳନା କରୁଛନ୍ତି। ଯଦି ଗୋଟି ଚଳାନା ସଫଳ ହୁଏ ତାହାଲେ ତନୟା ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି।

ପୂର୍ବରୁ ମନ୍ତ୍ରୀ ଚୈତନ୍ୟପ୍ରସାଦ ମାଝିଙ୍କ ଝିଅ ସରୋଜିନୀ ହେମ୍ବ୍ରମ, ସ୍ୱର୍ଗତ ତ୍ରିନାଥ ନାୟକଙ୍କ ଝିଅ ଅଞ୍ଜଳି ବେହେରାଙ୍କୁ ଛାଡ଼ିଦେଲେ ଅନ୍ୟ କେଉଁ ନେତାଙ୍କ ଝିଅ ସକ୍ରିୟ ନିର୍ବାଚନରେ ଅଂଶ ଗ୍ରହଣ କରି ସଫଳ ହୋଇପାରିନାହାନ୍ତି। ଏବେ ଯେଉଁମାନଙ୍କୁ ନେଇ ରାଜନୀତି କରିଡରରେ ଆଲୋଚନା ହେଉଛି ସେମାନଙ୍କୁ ନେଇ ରାଜନୀତି ପାଣିପାଗ ଆଗାମୀ ଦିନରେ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଯଦି ଆମେ ୨୦୦୯ ନିର୍ବାଚନର ସ୍ଥିତି ଉପରେ ନଜର ପକାଇବା, ତେବେ ରାଜନୀତିରେ ମହିଳାଙ୍କ ପ୍ରବେଶ କମ୍‍ ଥିଲା। ହେଲେ ୨୦୧୪ରେ ଏହି ଚିତ୍ର ସମ୍ପୂର୍ଣ୍ଣ ବଦଳିଥିଲା। ଆଗ ଅପେକ୍ଷା ଅଧିକ ସଂଖ୍ୟାରେ ମହିଳା ସକ୍ରିୟ ରାଜନୀତିରେ ସାମିଲ ହେଉଛନ୍ତି।

ବାପାମାନଙ୍କ ଉତ୍ତରାଧିକାରୀ ସୂତ୍ରରେ ହେଉ କି ନିଜ ବଂଶଗତ ରାଜନୀତିକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ହେଉ କିମ୍ବା ସମ୍ପୂର୍ଣ୍ଣ ଭାବେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଏମାନେ ରାଜନୀତିରେ ପ୍ରବେଶ କରୁଥିବା ଚର୍ଚ୍ଚା ହେଉଛି।

Comment