ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ୧୨ ମାସ ମଧ୍ୟରୁ ଶ୍ରାବଣର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ ଶାସ୍ତ୍ର ଅନୁସାରେ ଶ୍ରାବଣକୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ। ତେବେ ଯୁବପିଢ଼ି ଏବଂ ନବବିବାହିତଙ୍କ ପାଇଁ ଶ୍ରାବଣ ରୋମାଣ୍ଟିକର ମାହୋଲ ସୃଷ୍ଟି କରିଥାଏ।

କବି ଓ ସାହତ୍ୟିକମାନେ ଶ୍ରାବଣକୁ ନେଇ ଅନେକ କବିତା ଓ ଗଳ୍ପ ଲେଖିଥିବା ବେଳେ ଗୀତିକାର ଏବଂ ସଙ୍ଗୀତକାରମାନେ ମଧ୍ୟ ଶ୍ରାବଣକୁ ନେଇ ରୋମାଣ୍ଟିକ ସଙ୍ଗୀତ ପରଶି ଦେଇଥାନ୍ତି। ଶ୍ରାବଣର ରିମ୍‍ଝିମ୍‍ ବର୍ଷାରେ ଯୁବପିଢ଼ି ଏହି ରୋମାଣ୍ଟିକ୍‍ ଗୀତ ମନେ ମନେ ଗୁଣ ଗୁଣେଇଥା’ନ୍ତି। ତେବେ ଶ୍ରାବଣରେ ମତୁଆଲା କରୁଥିବା କିଛି ସଙ୍ଗୀତ ସମ୍ପର୍କରେ ଆସନ୍ତୁ ଜାଣିବା।

ବଲିଉଡ୍‌‍ରେ ଶ୍ରାବଣ

ଶ୍ରାବଣର କଳାହାଣ୍ଡିଆ ବାଦଲ। ହାଲକା ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ଉଭୟ ବଲିଉଡ୍‍ ଏବଂ ଓଲିଉଡ ଇଣ୍ଡଷ୍ଟ୍ରିରେ ରୋମାଣ୍ଟିକର ଦାଗ ଲାଗିଯାଏ। ସେଥିପାଇଁ ଅତୀତରେ ଶ୍ରାବଣକୁ ନେଇ ଅନେକ ବଲିଉଡ୍‍ ଫିଲ୍ମ ମୁକ୍ତିଲାଭ କରିଛି। ଆଉ ଦର୍ଶକଙ୍କ ମନକୁ ଏହି ରୋମାଣ୍ଟିକ୍‍ ଫିଲ୍ମ ହଲଚଲ୍‍ କରି ଦେଇଛି। ୧୯୬୯ରେ ମୁକ୍ତିଲାଭ କରିଥିବା ‘ଆୟା ସାୱନ ଝୁମ୍‍ କେ’, ୧୯୭୦ର ‘ସାୱନ ଭାଦୋଁ’, ୧୯୭୯ର ‘ଷୋଲଭା ସାୱନ’ ଏବଂ ‘ସାୱନ କୋ ଆନେ ଦୋ’, ୧୯୮୦ର ‘ପ୍ୟାସା ସାୱନ’ ହେଉଛି ଗୋଟିଏ ଗୋଟିଏ ମାଇଲଖୁଣ୍ଟ।

ସେହିପରି ସଙ୍ଗୀତ ଜଗତ ମଧ୍ୟ ବାଦ୍‍ ପଡ଼ିନି। ‘ସାୱନ କି ଋତୁ ଆଇ’, ‘ସାୱନ କା ମହିନା ପୱନ କରେ ସୋର୍‍’ ‘ରିମ୍‍ଝିମ୍‍ ଗିରେ ସାୱନ’, ‘ଅବକେ ସଜନ ସାୱନ ମେଁ’, ‘ବର୍ଷେରେ ସାୱନ’ ଭଳି ଲୋକପ୍ରିୟ ସଙ୍ଗୀତ ଏବେ ବି ଶ୍ରାବଣ ରାତିରେ ସତେଜ ହୋଇ ଉଠିଥାଏ।

ଓଲିଉଡ୍‌‍ରେ ବି ଶ୍ରାବଣ ଛିଟା

ବଲିଉଡରେ ଶ୍ରାବଣକୁ ନେଇ ତିଆରି ହୋଇଥିବା ଫିଲ୍ମ ବକ୍ସ ଅଫିସରେ ବାଜିମାତ୍‍ କରିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ବି ଏହାର ଛିଟା ପଡ଼ିଥିଲା। ଭେଟେରାନ୍‍ କଳାକାର ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ୧୯୭୬ରେ ତିଆରି ହୋଇଥିଲା ସୁପର ଡୁପର ହିଟ୍‍ ଫିଲ୍ମ ‘ଶେଷ ଶ୍ରାବଣ’। ବସନ୍ତ ମହାପାତ୍ରଙ୍କ ଉପନ୍ୟାସକୁ ନେଇ ଏହି ଫିଲ୍ମ ତିଆରି ହୋଇଥିଲା। ଯେଉଁଥିରେ ମୁଖ୍ୟ ଭୂମିକାରେ ଥିଲେ ନିଜେ ପ୍ରଶାନ୍ତ ନନ୍ଦ, ମହେଶ୍ୱତା ରାୟ ଏବଂ ସ୍ୱର୍ଗତ ହେମନ୍ତ ଦାସ। ଏହି ଫିଲ୍ମ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସରେ ଚହଳ ପକାଇ ଦେଇଥିଲା। ଏହି ଫିଲ୍ମରେ ମେଘକୁ ନେଇ ଦୁଇଟି ଗୀତ ‘ହାଏରେ ହାଏ ଗରଜେ ମେଘ ଘୁମ୍‍ ଘୁମ୍‍ ମୟୁର ନାଚେ’… ଏବଂ ‘ମେଘ ବରଷିଲା ଟୁପୁରୁ ଟୁପୁରୁ’… ଏବେ ବି ଶ୍ରାବଣରେ ଅନେକଙ୍କୁ ମତୁଆଲା କରିଦିଏ। ଏହି ଫିଲ୍ମ ସେତେବେଳେ ବହୁତ ଆୱାର୍ଡ ମଧ୍ୟ ପାଇଥିଲା।

ଏହାପରେ ଯଦିଓ ଶ୍ରାବଣକୁ ନେଇ ଫିଲ୍ମ ତିଆରି ହୋଇନି ତେବେ ଅନେକ ଲୋକପ୍ରିୟ ଫିଲ୍ମରେ ଶ୍ରାବଣ ଶୀର୍ଷକକୁ ନେଇ ଗୀତ ରଚନା କରାଯାଇଛି। ‘ଶ୍ରାବଣକୁ ଭଲପାଏ ମେଘ ଯେମିତି’… ଏବଂ ନେଇ ଯା’ରେ ମେଘ ମୋତେ ଫିଲ୍ମର ‘ଶ୍ରାବଣରେ ବର୍ଷା ରାଣୀ ଲୁହ ଢାଳେ ଯେତେ’… ଭଳି ସଙ୍ଗୀତ ଶ୍ରୋତାଙ୍କୁ ଆକୃଷ୍ଟ କରିପାରିଛି।

ଆଲବମ୍‌‍ରେ ବି ଶ୍ରାବଣ

୯୦ ଦଶକରେ ଚହଳ ସୃଷ୍ଟି କରିଥିବା ଆଲବମ୍‍ ଇଣ୍ଡଷ୍ଟ୍ରିରେ ମଧ୍ୟ ଶ୍ରାବଣ ନିଆଁ ଲଗାଇ ଦେଇଥିଲା। ଏଣୁ ଏହାକୁ ନେଇ ଗୀତିକାରମାନେ ଗୋଟିଏ ପରେ ଗୋଟିଏ ଶ୍ରାବଣ ସଙ୍ଗୀତ ଭେଟି ଦେଇଥିବା ବେଳେ ସଙ୍ଗୀତକାରମାନେ ଏହାକୁ ନୂଆ ସ୍ୱର ଦେଇ ଶ୍ରାବଣକୁ ଆହୁରି ରୋମାଣ୍ଟିକ୍‍ କରି ଦେଇଥିବା ନଜିର ରହିଛି। ‘ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ…’, ‘ଶ୍ରାବଣ କହିଛି ମୋର ପାଉଁଜି ହେବ…’, ‘ଶ୍ରାବଣର ଋତୁ ଥିବ…’, ‘ଶ୍ରାବଣର ରାତି ଥିବ…’, ‘ଶ୍ରାବଣ ଆକାଶେ ମେଘ ଖାସ୍‍ ତୁମରି ପାଇଁ…’, ‘ମନେ ଯେବେ ଲାଗେ ନିଆଁ ଶ୍ରାବଣ ଲିଭେଇ ପାରେନା…’, ‘ଶ୍ରାବଣ ଫେରିଛି ଆଜି ତୁମରି ଗାଁକୁ…’, ‘ଲକ୍ଷେ ଶ୍ରାବଣରେ ଭିଜି ମୁଁ ପାଇଛି ଗୋଟିଏ ଫଗୁଣ ଠିକଣା ଆଜି…’, ‘ରେ ଶ୍ରାବଣ ଆଖି ଝୁରେ ମନ କାନ୍ଦେ ତା ବାଟ ଚାହିଁ…’, ‘ଆସ ଥରେ ଶ୍ରାବଣରେ…’ ଭଳି ମନଛୁଆଁ ସଙ୍ଗୀତ ଶୁଣିଲେ ଏବେ ବି ଶ୍ରାବଣରେ ନିଆଁ ଲାଗି ଯାଉଛି।

(ପ୍ରସ୍ତୁତି: ସରୋଜ)

Comment