ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭର୍ତ୍ତୃହରିଙ୍କ ପ୍ରଶ୍ନ: ବୈଜୟନ୍ତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର।

ପୁଣି ଅଡୁଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ନାଁରେ ଆୟକର ଫାଙ୍କି ଏବଂ ବିଦେଶରୁ ବେଆଇନ୍ ଉପାୟରେ ଟଙ୍କା ଆଣିବା ଅଭିଯୋଗ ଆଣିଛି ବିଜେଡି।

ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏନେଇ ଲୋକସଭାରେ ପ୍ରଶ୍ନ କରିଛନ୍ତି। ବୈଜୟନ୍ତଙ୍କ ବିରୋଧରେ କାହିଁକି ଅପରାଧିକ ଓ ମନି ଲଣ୍ଡରିଂ ମାମଲା କରା ନଯିବ ସେନେଇ ପ୍ରଶ୍ନ ପଚାରି ରାଜନୀତିକୁ ସରଗରମ କରିଛନ୍ତି ଭର୍ତ୍ତୃହରି।

ଭର୍ତ୍ତୃହରି ପ୍ରଶ୍ନ କରିଥିଲେ, “ଭାରତୀୟ ପାସ୍‌ପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ପୂର୍ବରୁ ଆର୍‌ବିଆଇର ଅନୁମତି ନେଇଥିଲେ କି? ଯଦି ସେ ସମୟରେ ବୈଜୟନ୍ତ ବାହାରକୁ ଅଧ୍ୟୟନ କରିବାକୁ ଯାଇଥିଲେ ଭାରତ ଫେରିବା ପରେ ସେ ଏ ବିଷୟରେ ଆର୍‌ବିଆଇକୁ ସୂଚନା ଦେଇଥିଲେ କି? ”

ଭର୍ତ୍ତୃହରି ଶୂନ୍ୟକାଳରେ ଆହୁରି ପଚାରିଥିଲେ ଯେ ଯଦି ବୈଜୟନ୍ତ ବାହାମାସରେ ଆକାଉଣ୍ଟ ବନ୍ଦ କରିଛନ୍ତି ତାହାଲେ ଏ ସମ୍ପର୍କରେ ସେ ଆର୍‌ବିଆଇକୁ ସୂଚନା ଦେଇଥିଲେ କି?

ଯଦି ବୈଜୟନ୍ତ ଏ ସମ୍ପର୍କରେ ଭାରତ ସରକାର କିମ୍ବା ଆର୍‌ବିଆଇକୁ ସୂଚନା ଦେଇ ନାହାନ୍ତି ତାହାଲେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ଭର୍ତ୍ତୃହରି।

ବୈଜୟନ୍ତ ପଣ୍ଡା ମନି ଲଣ୍ଡରିଂ ଆଇନର ଉଲ୍ଲଂଘନ କରିଥିବା ଏବଂ ବିଦେଶରୁ ବେଆଇନ ଭାବେ ଟଙ୍କା ଆଣିଥିବା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା। ଏହି ଆଧାରରେ ଭର୍ତ୍ତୃହରି ଆଜି ଏହି ପ୍ରଶ୍ନ ଉଠାଇଛନ୍ତି।

ଭର୍ତ୍ତୃହରି ଲୋକସଭାରେ ଏହି ପ୍ରଶ୍ନ ଉଠାଇବା ପରେ ବୈଜୟନ୍ତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମୋର ବାହାମାସ୍‌ରେ କୌଣସି ଆକାଉଣ୍ଟ ନାହିଁ। ମୋ ପରିବାର ଦ୍ୱାରା ପରିଚାଳିତ କୌଣସି କମ୍ପାନିର ମଧ୍ୟ ବାହାମାସ୍‌ରେ ଆକାଉଣ୍ଟ ନାହିଁ। ଗତ ୬୦ ବର୍ଷ ହେଲା ମୋ ପରିବାର ପକ୍ଷରୁ ପରିଚାଳିତ କମ୍ପାନି ସାରା ବିଶ୍ୱରେ ବ୍ୟବସାୟ କରି ଆସୁଛି। ଏସବୁ ସରକାରୀ ନିୟମ ଭିତରେ କରାଯାଇଛି। ଆର୍‌ବିଆଇ କର୍ତ୍ତୃପକ୍ଷଙ୍କୁ ଜଣାଇ ଏସବୁ କାରବାର ହୋଇଛି। ଏହା ସର୍ବସାଧାରଣରେ ଉପଲବ୍ଧ ରହିଛି।”

Comment