ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଆଜି ଥିଲା ଉଦଘାଟନୀ ସନ୍ଧ୍ୟା। ଏହାକୁ ଉଦଘାଟନ କରିଥିଲେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିଜୟ କୁମାର ମହାନ୍ତି,  ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବରମୁଣ୍ଡା କର୍ପୋରେଟର ସୁଜିତ ସ୍ୱାଇଁ, ଘାଟିକିଆ କର୍ପୋରେଟର ଦିଲ୍ଲୀପ ମାଝି, ଆଇଗିଣିଆ କର୍ପୋରେଟର ଅଶ୍ୱିନୀ ସୁନ୍ଦରାୟ ଓ ପୋଖରିପୁଟ କର୍ପୋରେଟର ହୃଦୟବଲ୍ଲଭ ସୁନ୍ଦରାୟଙ୍କ ସହିତ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଅଜୟ କୁମାର ରାଉତ ଉପସ୍ଥିତ ଥିଲେ।

କଟକରୁ ଆସିଥିବା ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ରାଉରକେଲାରୁ ଆସିଥିବା ରାକେଶ ଓ ସାଥୀଙ୍କ ଦ୍ୱାରା ହିପହୋପ ଓ ସମକାଳ ନୃତ୍ୟ ପରିବେଷଣ କରାଯାଇଥିଲା।

ଶେଷରେ ଗାୟିକା ଦିପ୍ତିରେଖା ଓ ଓମ କୁମାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା।

ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଖାଦ୍ୟ ମେଳା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାମଗ୍ରୀ ମେଳା ଏବଂ ଲଳିତ କଳା ଏକାଡେମୀ ଦ୍ୱାରା ପ୍ରଦର୍ଶିତ ଚିତ୍ରକଳା ପ୍ରଦର୍ଶନୀ।

ଖଣ୍ଡଗିରି ଓ ଉଦୟଗିରିର ପଥରରେ ରହିଥିବା ଜୈନ ଗୁମ୍ଫା ଭାରତ ତଥା ସାରା ବିଶ୍ୱ ଇତିହାସରେ ପ୍ରସିଦ୍ଧି ଲାଭ କରିଛି। ସେତେବେଳର ଓଡ଼ିଶାର ଲୋକପ୍ରିୟ ରାଜା ଐରଖାରବେଳ ଜୈନ ଧର୍ମର ପ୍ରବର୍ତ୍ତକ ରହି ଏହି ପଥର ଶିଳାକୁ ସୁନ୍ଦର ଭାବରେ ଖୋଦିତ କରି ପାହାଡ଼ ଉପରେ ସୌନ୍ଦର୍ଯ୍ୟର ପରିବେଶ ତିଆରି କରି ଜୈନ ସନ୍ୟାସୀମାନଙ୍କୁ ସମର୍ପିତ କରିଥିଲେ। ଓଡ଼ିଶାର ପାରମ୍ପରିକ ଲୋକ କଳା, ଭାସ୍କର୍ଯ୍ୟକୁ ଲୋକ ଲୋଚନକୁ ଆଣିବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ।

Comment