ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ବସିଥିଲା ଲୋକାୟୁକ୍ତ ଚୟନ କମିଟିର ବୈଠକ। ଏହି ବୈଠକରେ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି। ତେବେ କାହାକୁ ଅଧ୍ୟକ୍ଷ ଭାବେ ଚୂଡ଼ାନ୍ତ କରାଯାଇଛି ସେନେଇ କୌଣସି ସୂଚନା ମିଳିନାହିଁ।

ଲୋକାୟୁକ୍ତରେ କେଉଁମାନେ ସଦସ୍ୟ ରହିବେ ସେନେଇ ଆଉ ଥରେ ଚୟନ କମିଟିର ବୈଠକ ବସିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

“ଚୟନ କମିଟି ବୈଠକରେ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି। ଏହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳ ଅନୁମୋଦନ କରିବା ପରେ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ”, କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ।

ଏହି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ୍ ଝାବେରୀ, ବାଚସ୍ପତି ପ୍ରଦୀପ କୁମାର ଅମାତ ଏବଂ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ଥିଲେ।

୨୦୧୪ ଫେବ୍ରୁଆରି ୧୪ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ବିଲ୍ ପାସ୍ କରିଥିଲା। ବିଲ୍‌ ପାସ୍ ହେବାକୁ ୫ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ଏଯାଏଁ ଲୋକାୟୁକ୍ତ ନିଯୁକ୍ତି ହୋଇପାରି ନାହିଁ।

ଲୋକାୟୁକ୍ତ ନିଯୁକ୍ତ ହୋଇ ନଥିବାରୁ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଥିଲା। ଏନେଇ ଶୀଘ୍ର ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ। ତାଗିଦ ପରେ ଗତ ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

Comment