ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝିଅ ଇଶାଙ୍କ ବିବାହ ପରେ ଅମ୍ବାନି ପରିବାରରେ ପୁଣି ଖୁସିର ମାହୋଲ। ମାର୍ଚ୍ଚ ୯ରେ ବଡ଼ପୁଅ ଆକାଶ ଅମ୍ବାନିଙ୍କ ରୟାଲ ୱେଡିଂ।

ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଝିଅ ଇଶାଙ୍କ ବିବାହ ପରେ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନି ବିବାହ କରିବାକୁ ଯାଉଛନ୍ତି। ଆକାଶ ଅମ୍ବାନି ରୋଜି ବ୍ଲୁ ଡାଇମଣ୍ଡସ୍‌ର ମୁଖ୍ୟ ରଶେଲ ମେହେଟ୍ଟାଙ୍କ ଝିଅ ଶ୍ଳୋକାଙ୍କ ହାତ ଧରିବେ। ଆସନ୍ତା ମାର୍ଚ୍ଚ ମାସ ୯ ତାରିଖରେ ଏହି ବିବାହ ହେବ।

ଅମ୍ବାନି ପରିବାରର ପରମ୍ପରା ଅନୁଯାୟୀ ବିବାହ ପୂର୍ବରୁ ପ୍ରଥମ ନିମନ୍ତ୍ରଣ କାର୍ଡ ଦେବା ପାଇଁ ସିଦ୍ଧି ବିନାୟକ ମନ୍ଦିର ପହଞ୍ଚିଥିଲେ। ଭଗବାନ ସିଦ୍ଧି ବିନାୟକଙ୍କୁ ନିମନ୍ତ୍ରଣ କରିବା ସହ ସପରିବାରେ ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

ଆକାଶ ଓ ଶ୍ଳୋକାଙ୍କ ନିର୍ବନ୍ଧ ଗତ ବର୍ଷ ଜୁନ ୨୮ ତାରିଖରେ ମୁମ୍ବାଇରେ ହୋଇଥିଲା। ରାଜନୀତି, କଳା ତଥା ବ୍ୟବସାୟ ଜଗତ ସହ ଜଡିତ ଅନେକ ଲୋକେ ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ। ଝିଅ ଇଶା ଅମ୍ବାନିଙ୍କ ବିବାହ ପରେ ଅମ୍ବାନି ପରିବାରର ବଡ଼ ପୁଅ ଆକାଶ ଅମ୍ବାନିଙ୍କ ରୟାଲ ୱେଡିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବିବାହର କାର୍ଯ୍ୟକ୍ରମ

ଆକାଶ ଓ ଶ୍ଳୋକାଙ୍କ ବିବାହ ମୁମ୍ବାଇ ସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରରେ ହେବ। ବିବାହର କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ। ଆକାଶଙ୍କ ବାରାତ୍‌ ୯ ମାର୍ଚ୍ଚରେ ଯାଉଥିବା ବେଳେ ବିବାହ ମାର୍ଚ୍ଚ ୧୦ରେ ବିବାହର ଉତ୍ସବ ପାଳନ ହେବ। ଉଭୟ ଅମ୍ବାନି ଓ ମେହେଟ୍ଟା ପରିବାର ମିଳିତ ଭାବେ ବିବାହର ଆୟୋଜନ କରୁଛନ୍ତି।

ବିବାହ ପୂର୍ବରୁ ବ୍ୟାଚଲର ପାର୍ଟି

ବିବାହ ପୂର୍ବରୁ ଆକାଶ ଅମ୍ବାନି ୨୩-୨୫ ଫେବ୍ରୁଆରିରେ ନିଜ ସାଙ୍ଗମାନଙ୍କୁ ବ୍ୟାଚଲର ପାର୍ଟି ଦେଉଛନ୍ତି। ଖବର ମୂତାବିକ, ଏହି ପାର୍ଟି ସୁଇଜରଲ୍ୟାଣ୍ଡର ସେଣ୍ଟ ମେରିଟସ୍‌ ହୋଟେଲରେ ଆୟୋଜିତ ହେବ। ଏହି ପାର୍ଟିରେ କରଣ ଜୋହର, ରଣବୀର କପୁରଙ୍କ ସମେତ ବଲିଉଡର ବହୁ ନାମୀଦାମୀ କଳାକାର ମାନେ ଯୋଗଦେବେ।

Comment