ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମେଗା ରୋଡ୍ ଶୋ’ରେ ଉତ୍ତରପ୍ରଦେଶର କୋଣ ଅନୁକୋଣରେ ଶୁଭୁଛି ଗୋଟିଏ ସ୍ଲୋଗାନ୍ – ‘ପ୍ରିୟଙ୍କା ପ୍ରିୟଙ୍କା’।

ମେଗା ରୋଡ୍ ଶୋ’ କରି ଉତ୍ତରପ୍ରଦେଶ ରାଜନୀତିରେ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ପ୍ରିୟଙ୍କାଙ୍କ ରୋଡ୍‌ ଶୋ କଂଗ୍ରେସ କର୍ମୀଙ୍କ ମନରେ ଜୋସ୍ ଫେରାଇଛି। ବିଜେପି ଗଡ଼ରେ ୧୫ କିଲୋମିଟର ରୋଡ ଶୋ’ କରି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପରେ ଏବେ ସବୁଠି ପ୍ରିୟଙ୍କା ପ୍ରିୟଙ୍କା ଶୁଭୁଛି।

ଦିନ ଥିଲା ଉତ୍ତରପ୍ରଦେଶ ଥିଲା କଂଗ୍ରେସର ଗଡ଼। ଉତ୍ତରପ୍ରଦେଶର ଆମେଥି ଏବଂ ରାୟବରେଲି ଲୋକସଭା ଆସନ ସବୁବେଳେ ଗାନ୍ଧି ପରିବାର କବ୍‌ଜାରେ ରହି ଆସିଛି। ଇନ୍ଦିରା ଓ ରାଜୀବ ଗାନ୍ଧିଙ୍କ ପରେ ଏହି ଦୁଇ ଆସନରୁ ସୋନିଆ ଓ ରାହୁଲ ଗାନ୍ଧି ନିର୍ବାଚିତ ହୋଇ ଆସୁଛନ୍ତି।

ହେଲେ ୨୦୧୪ ନିର୍ବାଚନରେ ଗାନ୍ଧି ପରିବାରର ମ୍ୟାଜିକ କାମ ଦେଇ ନଥିଲା। ଉତ୍ତରପ୍ରଦେଶ ଭଳି ରାଜ୍ୟରୁ କଂଗ୍ରେସର ମାତ୍ର ଦୁଇ ଜଣ ସାଂସଦ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ସୋନିଆ ଏବଂ ରାହୁଲ।

୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଜେପି ବିଜୟରେ ବ୍ରେକ୍ ଲଗାଇବା ପାଇଁ କଂଗ୍ରେସ ସମାଜବାଦୀ ପାର୍ଟି ସହ ହାତ ମିଳାଇଥିଲା। କିନ୍ତୁ କିଛି ଲାଭ ହେଲାନି। ଶେଷରେ ବିଜେପି ପୂର୍ଣ୍ଣ ବହୁମତ ପାଇ ସରକାର ଗଢ଼ିଲା ଏବଂ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେଲେ। ରାହୁଲଙ୍କ ଫର୍ମୁଲା ୟୁପି ପଲିଟିକ୍ସରେ କାମ ଦେଲାନି।

ଶେଷରେ ମଇଦାନକୁ ଓହ୍ଲାଇଛନ୍ତି ପ୍ରିୟଙ୍କା। ଉତ୍ତରପ୍ରଦେଶରେ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରିୟଙ୍କା ଅଣ୍ଟା ଭିଡ଼ିଛନ୍ତି। ପ୍ରିୟଙ୍କାଙ୍କୁ ସ୍ୱାଗତ କରି ପାଛୋଟି ନେଇଛନ୍ତି ଉତ୍ତରପ୍ରଦେଶ ଭୋଟର।

କାହିଁକି ପ୍ରିୟଙ୍କାଙ୍କ କ୍ରେଜ୍?

ପ୍ରିୟଙ୍କା ଗାନ୍ଧିଙ୍କ ମୁହଁରେ କଂଗ୍ରେସ କର୍ମୀ ଆଇରନ୍ ଲେଡି ଇନ୍ଦିରା ଗାନ୍ଧିଙ୍କ ଛବି ଦେଖୁଛନ୍ତି। ଇନ୍ଦିରା ଯେଉଁଭଳି ଢଙ୍ଗରେ ପ୍ରଚାର କରନ୍ତି ପ୍ରିୟଙ୍କା ମଧ୍ୟ ସେହିଭଳି ଢଙ୍ଗରେ ପ୍ରଚାର କରୁଥିବା କଂଗ୍ରେସ କର୍ମୀମାନେ କୁହନ୍ତି। ଇନ୍ଦିା ଯେମିତି ଲୋକଙ୍କ ସହ ମିଶୁଥିଲେ ପ୍ରିୟଙ୍କା ମଧ୍ୟ ଠିକ୍ ସେମିତି ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖୁଛନ୍ତି। ଏହାର ପ୍ରମାଣ ବିଗତ ଦିନରେ ଆମେଥି ଏବଂ ରାୟବରେଲି କ୍ୟାମ୍ପେନିଂରୁ ସ୍ପଷ୍ଟ ଜଣାପଡ଼ିଛି। ଏବେ ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଓହ୍ଲାଇଥିବାରୁ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇ ଯାଇଛନ୍ତି।

ଭାଇ ରାହୁଲ ଓ ମା’ ସୋନିଆଙ୍କ ପାଇଁ ପ୍ରଚାର କରିଥିଲେ ପ୍ରିୟଙ୍କା

ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିକୁ ଆସିବେ କି ନାହିଁ ତାହା ପ୍ରଶ୍ନବାଚୀ ଘେରରେ ରହିଥିଲା। ଶେଷରେ ପ୍ରିୟଙ୍କା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। କୁହାଯାଉଛି ମୋଦିଙ୍କ ଲୋକପ୍ରିୟତାକୁ ଚେକ୍ ଦେବା ପାଇଁ କଂଗ୍ରେସ ଏହି ରଣନୀତି କରିଛି।

ସାଇକୋଲୋଜିରେ ଡିଗ୍ରୀ ଏବଂ ବୁଦ୍ଧିଷ୍ଟ ଷ୍ଟଡିଜରେ ଏମ୍‌ଏ କରିଥିବା ପ୍ରିୟଙ୍କାକୁ ବିଗତ ଦିନରେ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। ସେ ଅଧିକାଂଶ ସମୟ ମା’ ସୋନିଆଙ୍କ ନିର୍ବାଚନମଣ୍ଡଳୀ ରାୟବରେଲୀ ଏବଂ ଭାଇ ରାହୁଲଙ୍କ ନିର୍ବାଚନମଣ୍ଡଳୀ ଆମେଥିକୁ ଯାଇଥିଲେ। ଲୋକଙ୍କ ସହ ସିଧାସଳଖ ମିଶୁଥିଲେ।

ସେଥିପାଇଁ ପ୍ରତିଥର ନିର୍ବାଚନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍ଲୋଗାନ ଦେଉଥିଲେ। ତାହା ହେଉଛି ‘ଆମେଥିକା ଡଙ୍କା, ବେଟିଆ ପ୍ରିୟଙ୍କା’। ଭାଇ ଏବଂ ମା’ଙ୍କ ପାଇଁ ପ୍ରଚାର କରୁଥିବା ପ୍ରିୟଙ୍କା ଏବେ ସକ୍ରିୟ ରାଜନୀତିକୁ ଓହ୍ଲାଇ ଥିବାରୁ କଂଗ୍ରେସ ସଙ୍ଗଠନ ପୁଣି ମଜଭୁତ ହେବ ବୋଲି ଆଶା ବାନ୍ଧିଛନ୍ତି କର୍ମକର୍ତ୍ତା।

୨୦୦୪ ସାଧାରଣ ନିର୍ବାଚନ ବେଳେ ପ୍ରିୟଙ୍କା ମା’ ସୋନିଆଙ୍କ ପ୍ରଚାର କମିଟିର ମ୍ୟାନେଜର ରହିଥିଲେ। ଖାଲି ସେତିକି ନୁହେଁ, ଭାଇ ରାହୁଲଙ୍କୁ ବି ପ୍ରଚାରରେ ବି ସହଯୋଗ କରିଥିଲେ ପ୍ରିୟଙ୍କା। ୨୦୦୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଯେତେବେଳେ ରାହୁଲ ସାରା ରାଜ୍ୟର ପ୍ରଚାର ମଙ୍ଗ ଧରିଥିଲେ ସେତେବେଳେ ପ୍ରିୟଙ୍କା ହିଁ ରାୟବରେଲୀର ପ୍ରଚାର ଦାୟିତ୍ୱ ତୁଲାଇଥିଲେ।

କାହିଁକି ଆସିଲେ ପ୍ରିୟଙ୍କା?

ପ୍ରତିଦିନ ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ ବଦଳୁଛି। ନୂଆ ସମୀକରଣ ସୃଷ୍ଟି ହେଉଛି। ହେଲେ କଂଗ୍ରେସ ସଙ୍ଗଠନ ଭଲଭାବେ ସୁଦୃଢ଼ ହେବା ବଦଳରେ ଦୁର୍ବଳ ହୋଇଯାଉଛି।  ସୋନିଆ ଗାନ୍ଧି ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିଥିଲେ ମଧ୍ୟ ତାଙ୍କ ଉପରେ ଭୋଟର ଆସ୍ଥା ପ୍ରକଟ କରିପାରୁ ନାହାନ୍ତି। ରାହୁଲ ଯୁବକ ହୋଇଥିଲେ ବି କଂଗ୍ରେସ ପ୍ରତି ଯୁବକମାନେ ଆକର୍ଷିତ ହେଉ ନାହାନ୍ତି।

ଗୋଟିଏ ପଟେ ସାରା ଦେଶରେ ମୋଦିଙ୍କ ଲୋକପ୍ରିୟତା ବଢ଼ି ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ମାୟାବତୀ-ଅଖିଳେଶ ଯାଦବଙ୍କ ମେଣ୍ଟ କଂଗ୍ରେସକୁ ଚିନ୍ତାରେ ପକାଇଛି। ଏଣୁ ଏସବୁ ଅସୁବିଧାକୁ ସୂରେଇ ବା ପାଇଁ ଏବଂ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ପ୍ରିୟଙ୍କା ଶେଷରେ ସକ୍ରିୟ ରାଜନୀତିକୁ ଆସିଥିବା ଚର୍ଚ୍ଚା ହେଉଛି। ଭାଇ ରାହୁଲଙ୍କୁ ସଙ୍କଟରୁ ଉଦ୍ଧାର କରିବା ଲାଗି ପ୍ରିୟଙ୍କା ଅସ୍ତ୍ର ଭାବେ କାମ କରିବେ ବୋଲି କୁହାଯାଉଛି।

ପ୍ରିୟଙ୍କା ଲାଓ, ଦେଶ୍ ବଚାଓ!

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର ଚାଲିଥିଲା। ଏହି ସରକାର ଅମଳରେ ଅନେକ ଲୋକପ୍ରିୟ ଯୋଜନା ହୋଇଥିଲେ ବି ତାହା ଭୋଟରଙ୍କୁ ପ୍ରଭାବିତ କରିପାରି ନଥିଲା।

୨୦୧୪ ନିର୍ବାଚନରେ ରାହୁଲଙ୍କ ହାତରେ ପ୍ରଚାର ଦାୟିତ୍ୱ ସମର୍ପି ଦେଇଥିଲେ ସୋନିଆ। ରାହୁଲ ବିଭିନ୍ନ ରାଜ୍ୟ ବୁଲି କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ଉପା ସରକାର ଅମଳର ସଫଳତା ବଖାଣିଥିଲେ। କିନ୍ତୁ ଭୋଟର ଏହାକୁ ଗ୍ରହଣ କଲେନି। ମୋଦି ମ୍ୟାଜିକ ଆଗରେ ରାହୁଲଙ୍କ ପ୍ରଚାର ଫିକା ପଡ଼ିଗଲା। ଫଳରେ କଂଗ୍ରେସକୁ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ୪୬୪ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୪୪ଟି ଆସନରେ ବିଜୟ ବାନା ଉଡ଼ାଇଥିଲା କଂଗ୍ରେସ।

ଏହି ଫଳାଫଳ କଂଗ୍ରେସ ଶିବିରରେ ହତାଶା ଖେଳାଇ ଦେଇଥିଲା। ରାହୁଲଙ୍କୁ ବିରୋଧ କରି ୨୦୧୪ରେ ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ଚାଲି ଯାଇଥିଲେ। ଏହାସହ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବି ରାହୁଲଙ୍କ ମ୍ୟାଜିକ କାମ କଲାନି। ଶେଷରେ କଂଗ୍ରେସରେ ଦୀର୍ଘ ଦିନ ଧରି ରହିଥିବା କର୍ମୀମାନେ ‘ପ୍ରିୟଙ୍କା ଲାଓ, ଦେଶ ବଚାଓ’ ସ୍ଲୋଗାନ ଦେଇଥିଲେ।

ଉତ୍ତର ପ୍ରଦେଶର କୋଣ ଅନୁକୋଣରେ ଏବେ ପ୍ରିୟଙ୍କାଙ୍କ ପୋଷ୍ଟର ବ୍ୟାନର ଛାଇ ଯାଇଛି। ସଭିଙ୍କ ମୁହଁରେ ପ୍ରିୟଙ୍କା ପ୍ରିୟଙ୍କା ନାରା ଶୁଭୁଛି। ଉତ୍ତରପ୍ରଦେଶରୁ ଯେଉଁ ସ୍ଲୋଗାନ ଶୁଭୁଛି ତାହା ଆଗାମୀ ଦିନରେ ସାରା ଦେଶରେ ଝଙ୍କୃତ ହୋଇପାରେ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

Comment