ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନୂଆପଡ଼ାରୁ ନନ୍ଦୀଘୋଷ ଖମାରୀ) ଘରଟିଏ ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥାଭାବରୁ ଘରଟିଏ କରି ପାରିନଥିବାରୁ ଦୀର୍ଘ ୫ ବର୍ଷ ହେଲା ଗଛ ମୂଳରେ ଏକ ଭଙ୍ଗା କୁଡ଼ିଆ ଘରେ ଜୀବନ କଟୁଛି। ଏହି ବ୍ୟକ୍ତି ଜଣକ ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ର ୮୩ ବର୍ଷୀୟ ଅମର ସିଂ ମାଝି।

କିଛି ବର୍ଷ ହେଲା ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ସ୍ତ୍ରୀ ଚାଲିଯିବା ପରେ ବୃଦ୍ଧ ଜଣକ ପୂରା ଏକୁଟିଆ ହୋଇ ପଡ଼ିଛନ୍ତି। ଦୁଇ ପୁଅ ଥାଇ ମଧ୍ୟ ସେ ଏକାକୀ ଜୀବନ କଟାଉଛନ୍ତି କାରଣ ଦୁଇ ପୁଅ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି।

ମାନିଗୁଡ଼ା ୩୫୩ନଂ ଜାତୀୟ ରାଜପଥର ପାଖରେ ଥିବା ଏକ ଗଛ ମୂଳେ ଆଶ୍ରୟ ନେଉଛନ୍ତି ଅମର ସିଂ। କି ଖରା, କି ବର୍ଷା, କି ଶୀତ ବର୍ଷକ ବାରମାସ ଏହିଠାରେ ହିଁ ତାଙ୍କର ଜୀବନ କଟୁଛି।

ସରକାର ଯୋଜନା ପରେ ଯୋଜନା କରିଥିଲେ ମଧ୍ୟ ତାଙ୍କ ପାଖରେ କୌଣସି ସୁବିଧା ପହଞ୍ଚି ପାରିନାହିଁ। ପ୍ରଶାସନ ତାଙ୍କର ଏଭଳି ଅବସ୍ଥା ଦେଖି ମଧ୍ୟ ଆଖି ବୁଜି ଦେଇଛି। ବାରମ୍ବାର ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ବ୍ୟବସ୍ଥା କରୁନଥିବା ଅମର ସିଂ କହିଛନ୍ତି। ମାତ୍ର ୧୫ କେଜି ଚାଉଳ ଛାଡ଼ି ଦେଲେ ଆଉ କୌଣସି ସରକାରୀ ସହାୟତା ସେ ପାଉ ନାହାନ୍ତି।

ଦୁଇ ବର୍ଷ ପୂର୍ବେ ଘରଟିଏ ପାଇଥିଲେ ଓ ଘର ତିଆରି କରିବା ପାଇଁ ପଥର, ବାଲି ଯୋଗାଡ଼ କରିଥିଲେ। କିନ୍ତୁ ସେ ସମୟରେ ସରପଞ୍ଚ ଟଙ୍କା ନେଇଗଲେ ଓ ଘର ତିଆରି କଲେ ନାହିଁ ବୋଲି ଅମରସିଂ କହିଛନ୍ତି। ଏଣୁ ଘରଟିଏ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ୟବସ୍ଥା ହୋଇଗଲେ ତାଙ୍କ ଜୀବନଶୈଳୀ ଠିକ୍‌ ହୋଇଯିବ ସେ କହିଛନ୍ତି।

 

Comment