ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ସାପକୁ ଦେଖିଲେ ସମସ୍ତେ ଭୟ କରିଥାନ୍ତି। ଅନେକ ଲୋକ ତାଙ୍କ ଜୀବନ ଭିତରେ ବିଭିନ୍ନ ପ୍ରକାର ସାପ ଦେଖିଥିବେ। କିନ୍ତୁ ସାପ ଜିଭର କାହିଁକି ଦୁଇ ଭାଗରେ କଟା ଥାଏ ତାହା ସମସ୍ତଙ୍କୁ ଜଣାନଥିବ। ଏହା ଭିତରେ ଏକ ବଡ଼ ରହସ୍ୟ ରହିଛି। ଯାହାର ଉଲ୍ଲେଖ ମହାଭାରତରେ ରହିଛି। ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ରଚିତ ମହାଭାରତରେ ସାପ ଜିଭକୁ ନେଇ ରୋଚକପୂର୍ଣ୍ଣ ତଥ୍ୟ ରହିଛି।

ମହାଭାରତ ଅନୁସାରେ, ମହର୍ଷି କଶ୍ୟପଙ୍କ ୧୩ ପତ୍ନୀ ଥିଲେ। ସେମାନଙ୍କ ମଧ୍ୟରୁ କଦ୍ରୁ ଥିଲେ ଅନ୍ୟତମ। ସମସ୍ତ ନାଗ କଦ୍ରୁଙ୍କ ସନ୍ତାନ ଅଟନ୍ତି। ମହର୍ଷିଙ୍କ ଅନ୍ୟ ପତ୍ନୀଙ୍କ ନାମ ବିନତା ଥିଲା। ତାଙ୍କ ପୁଅ ହେଉଛନ୍ତି ପକ୍ଷୀରାଜ ଗରୁଡ଼। ଥରେ ମହର୍ଷିଙ୍କ ଦୁଇ ପତ୍ନୀ କଦ୍ରୁ ଏବଂ ବିନତା ଏକ ଧଳା ଘୋଡ଼ା ଦେଖିଥିଲେ। ଏହାକୁ ଦେଖି କଦ୍ରୁ କହିଥିଲେ ଘୋଡ଼ାର ଲାଞ୍ଜ କଳା ଏବଂ ବିନତା କହିଲେ ଘୋଡ଼ା ଲାଞ୍ଜ ଧଳା। ଏହି କଥାକୁ ନେଇ ଦୁହେଁ ବାଜି ଲଗାଇଥିଲେ।

କଦ୍ରୁ ନାଗପୁତ୍ରକୁ କହିଥିଲେ ନିଜ ଆକାର ଛୋଟ କରି ଘୋଡ଼ା ଲାଞ୍ଜରେ ଲୁଚିଯାଅ। କିନ୍ତୁ ପୁଅ ଏହାକୁ ମନା କରିଦେଇଥିଲେ। ରାଗରେ କଦ୍ରୁ ନିଜ ପୁତ୍ରକୁ ଅଭିଶାପ ଦେଇ ରାଜା ଜନ୍ମଜେୟଙ୍କ ଯଜ୍ଞରେ ଭସ୍ମ ହେଇଯିବାକୁ ଅଭିଶାପ ଦେଇଥିଲେ। ଅଭିଶାପ କଥା ଶୁଣି ସମସ୍ତ ନାଗପୁତ୍ର ଧଳା ଘୋଡ଼ାର ଲାଞ୍ଜରେ ଲୁଚି ଯାଇଥିଲେ। ଯାହାଫଳରେ ଧଳା ଘୋଡ଼ାର ଲାଞ୍ଜ କଳା ହୋଇଯାଇଥିଲା।

ବାଜି ହାରିବା କାରଣରୁ ବିନତା କଦ୍ରୁଙ୍କ ଦାସୀ ବନିଥିଲେ।  ଯେତେବେଳେ ବିନତାଙ୍କ ପୁତ୍ର ଗରୁଡ଼ଙ୍କ କାନରେ ପଡ଼ିଲା ସେ କଦ୍ରୁ ଏବଂ ତାଙ୍କ ପୁତ୍ରଙ୍କୁ ଭେଟିଥିଲେ। ଏଭଳି କ’ଣ କଲେ ମୋ ମାଆ ଦାସତ୍ୱରୁ ମୁକ୍ତ ହେବେ ବୋଲି ପ୍ରଶ୍ନ କରିଥିଲେ। ସ୍ୱର୍ଗରୁ ଅମୃତ ଆଣିଦେଲେ ତୁମ୍ଭର ମାଆ ଦାସତ୍ୱରୁ ମୁକ୍ତ ହେବେ ବୋଲି ନାଗପୁତ୍ର କହିଥିଲେ।

ନାଗପୁତ୍ରଙ୍କ କହିବା ଅନୁସାରେ ଗରୁଡ଼ ସ୍ୱର୍ଗରୁ ଅମୃତ ଆଣି ଏକପ୍ରକାର ଘାସ ଉପରେ ରଖି ଦେଇଥିଲେ। ଅମୃତ ପିଇବା ପୂର୍ବରୁ ସମସ୍ତେ ସ୍ନାନ କରିବାକୁ ନାଗପୁତ୍ରଙ୍କୂ କହିଥିଲେ। ଗରୁଡ଼ଙ୍କ କହିବା ଅନୁସାରେ ସମସ୍ତ ନାଗ ସ୍ନାନ କରିବାକୁ ଚାଲି ଯାଇଥିଲେ, ଏହି ସମୟରେ ଦେବରାଜ ଇନ୍ଦ୍ର ସେଠାରେ ପହଞ୍ଚି  ଅମୃତ କଳସକୁ ନେଇ ଯାଇଥିଲେ।

ଯେତେବେଳେ ସମସ୍ତ ନାଗ ସ୍ନାନ କରି ଆସିଲେ ଅମୃତ କଳସ ନଥିବା ଦେଖିବାକୁ ପାଇଥିଲେ। ଯେଉଁ ସ୍ଥାନରେ ଅମୃତ କଳସ ଥିଲା ସେହି ସ୍ଥାନରେ ସମସ୍ତ ନାଗ ଘାସକୁ ଚାଟିବା ଆରମ୍ଭ କରିଦେଇଥିଲେ। ଘାସରେ ଅମୃତ ଲାଗିଥିବା ଭାବି ଚାଟିବାକୁ ଲାଗିଥିଲେ। ଏହା କରିବା ଦ୍ୱାରା ତାଙ୍କୁ ଅମୃତ ତ ମିଳିନଥିଲା ବରଂ ଘାସ ଚାଟିବା ପରେ ଜିଭ ଦୁଇ ଭାଗ ହୋଇଯାଇଥିଲା।

Comment