ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଫେବ୍ରୁଆରି ୧୭ରେ ଏକ ବୈଠକ ଡକାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ଶଙ୍କରାଚାର୍ଯ୍ୟ। ଏନେଇ ମଙ୍ଗଳବାର ପୁରୀ ଗୋବର୍ଦ୍ଧନ ମଠର ପ୍ରବକ୍ତା ମନୋଜ ରଥ ସୂଚନା ଦେଇଛନ୍ତି।

ଏ ବାବଦରେ ମନୋଜ ରଥ ସୂଚନା ଦେଇ କହିଛନ୍ତି, “ଆସନ୍ତା ଫେବ୍ରୁଆରି ୨୨ ଓ ୨୩ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଓଡ଼ିଶା ଆସିବେ। ଏହାକୁ ଦୃଷ୍ଟିରେ ରଖି ପୁରୀ ଶଙ୍କରାଚାର୍ଯ୍ୟ ଫେବ୍ରୁଆରି ୧୭ରେ ଏକ ବୈଠକ ଡକାଇଛନ୍ତି।”

 

ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରି, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୁରୀ ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପିକେ ମହାପାତ୍ର, ହାଇକୋର୍ଟ ବାର ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି।

ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମିକସ କ୍ୟୁରି ରଞ୍ଜିତ କୁମାର ପୁରୀ ଆସି ଶ୍ରୀମନ୍ଦିର ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଉକ୍ତ ରିପୋର୍ଟକୁ ଆସନ୍ତା ଫେବ୍ରୁଆରି ୨୭ରେ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ଏହି ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଗାମୀ ଶୁଣାଣି କରିବେ।

Comment