ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି। ଜଣେ ହେଲେ ଉଷା ଦେବୀଙ୍କ ପୁଅ ଶ୍ରୀରୂପ ଏବଂ ଅନ୍ୟ ଜଣେ ଚନ୍ଦ୍ରଶେଖର ସାହୁ।

ବ୍ରହ୍ମପୁର ଲୋକସଭା ଆସନ ପାଇଁ ଶାସକ ବିଜେଡି ସମେତ ଅନ୍ୟ ସବୁ ଦଳ ସମସ୍ୟା ଭିତରେ ରହିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ସେ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ବର୍ତ୍ତମାନ ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେଡି ପୁଣି ଟିକେଟ୍ ଦେବ କି ନାହିଁ ତାହା ସନ୍ଦେହଘେରରେ ରହିଥିବା ବେଳେ କଂଗ୍ରେସ ଓ ବିଜେପି ପାଇଁ ଠିକଣା ପ୍ରାର୍ଥୀ ମିଳୁ ନାହାନ୍ତି।

ସିଦ୍ଧାନ୍ତ ଲଗାତର ଦୁଇ ଥର ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏଥର କିନ୍ତୁ ଏହି ଆସନ ପାଇଁ ଅନେକ ଆଶାୟୀ ସାମ୍ନାକୁ ଆସିଛନ୍ତି। ତେବେ ବିଜେଡିର ଯିଏ ବି ପ୍ରାର୍ଥୀ ହୁଅନ୍ତୁ ତାଙ୍କୁ ସାମ୍ନା କରିବା ପାଇଁ କଂଗ୍ରେସ ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେ କଥା ନିଷ୍ପତ୍ତି କରିପାରୁ ନାହାନ୍ତି।

୧୯୯୯ରେ ବିଜେପି ଏହି ଆସନଟି ଜିତିଥିଲେ ହେଁ ବ୍ରହ୍ମପୁର ସବୁବେଳେ କଂଗ୍ରେସର ଦୁର୍ଗ ହୋଇ ରହି ଆସିଥିଲା। ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀମାନେ ଏଠାରୁ ଲଗାତର ୧୨ଟି ନିର୍ବାଚନରେ ସଫଳ ହୋଇଥିଲେ।

୨୦୧୪ରେ ସିଦ୍ଧାନ୍ତ ମହାପାତ୍ର ଏଠାରୁ ନିର୍ବାଚିତ ହୋଇଥିଲେ। ଚନ୍ଦ୍ରଶେଖର ସାହୁ ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯଥାକ୍ରମେ କଂଗ୍ରେସ ଓ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ମଜା କଥା ହେଉଛି ସିଦ୍ଧାନ୍ତ ମହାପାତ୍ର ଓ ଚନ୍ଦ୍ରଶେଖର ସାହୁ ଉଭୟେ ଏବେ ବିଜେଡିରେ।

୨୦୧୯ ପାଇଁ ସିଦ୍ଧାନ୍ତଙ୍କ ନାଁ ବିଚାରରେ ଥିବା ବେଳେ ଚନ୍ଦ୍ରଶେଖର ସାହୁ ଓ ବିଜେଡିର ରାଜ୍ୟ ସମ୍ପାଦକ ଟି. ଗୋପିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ୨୦୦୪ରେ ଚନ୍ଦ୍ରଶେଖର ସାହୁ ଏଠାରୁ ଜିତି ମନମୋହନ ସିଂହ ସରକାରରେ ମନ୍ତ୍ରୀ ହୋଇଥିଲେ। ତେଲୁଗୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟି ଗୋପିଙ୍କ ନାଁ ସାମ୍ନାକୁ ଆସିଥିବା ଜଣାପଡ଼ିଛି। ବ୍ରହ୍ମପୁର ଲୋକସଭା ଆସନରେ ପ୍ରାୟ ୩୦ରୁ ୪୦ ପ୍ରତିଶତ ହେଉଛନ୍ତି ତେଲୁଗୁ ଭୋଟର। ତେବେ ସିଦ୍ଧାନ୍ତ, ଚନ୍ଦ୍ରଶେଖର ଓ ଗୋପିଙ୍କ ବ୍ୟତୀତ ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ଶ୍ରୀରୂପ ଦେବ ମଧ୍ୟ ବ୍ରହ୍ମପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଇଛୁକ ଥିବା ଜଣାପଡ଼ିଛି।

ତେବେ ଏହି ପ୍ରାର୍ଥୀ ଦୌଡ଼ରେ ଚନ୍ଦ୍ରଶେଖର ସାହୁ ହିଁ ଆଗରେ ଅଛନ୍ତି। କାରଣ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କର ବ୍ୟାପକ ପ୍ରଭାବ ରହିଛି। ଯଦି ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁରରୁ ପ୍ରାର୍ଥୀ ହୁଅନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କୁ ଆସ୍କାରୁ ଲଢ଼ିବା ପାଇଁ କୁହାଯାଇପାରେ। ଆସ୍କାରୁ ଗତଥର ନିର୍ବାଚନ ଜିତିଥିବା ଲଡୁକିଶୋର ସ୍ୱାଇଁଙ୍କର ନିକଟରେ ଦେହାନ୍ତ ହୋଇଯାଇଛି। ବ୍ରହ୍ମପୁରରୁ କିଏ ପ୍ରାର୍ଥୀ ହେବ ତାହା ଅଧିକାଂଶ ମାତ୍ରାରେ ନିର୍ଭର କରିବ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ। କାରଣ ବ୍ରହ୍ମପୁର ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଭିତରେ ଆସୁଛି।

କଂଗ୍ରେସ ଓ ବିଜେପି ପକ୍ଷରୁ ବହୁ ପ୍ରାର୍ଥୀଙ୍କ ନାମ ବଜାରକୁ ଛଡ଼ାଯାଇଛି। ବିଜେପିରୁ ଦଳର ସାଧାରଣ ସମ୍ପାଦକ ଭ୍ରୁଗୁ ବକ୍ସିପାତ୍ର ଓ ଦଳର ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ନାମ ଶୁଣାଯାଇଛି। ଭ୍ରୁଗୁ ବକ୍ସିପାତ୍ର ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ ଯିଏ କି ବିଜୁ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳରେ ଜଣେ ଟାଣୁଆ ମନ୍ତ୍ରୀ ଥିଲେ। ସେହିଭଳି କାହ୍ନୁଚରଣ ହେଉଛନ୍ତି ଚିକିଟିର ପୂର୍ବତନ ବିଧାୟକ ଜଗନ୍ନାଥ ପତିଙ୍କ ପୁଅ। ସେ ଯାହା ହେଉ ଜଣେ ବାହାର ବ୍ୟକ୍ତି ହିଁ ବିଜେପିରୁ ବ୍ରହ୍ମପୁର ଆସନରୁ ଲଢ଼ିବେ ଏହା ସ୍ପଷ୍ଟ ହୋଇଯାଇଛି।

କଂଗ୍ରେସ ପକ୍ଷରୁ ଯେଉଁମାନେ ଲୋକସଭା ପାଇଁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ସେମାନଙ୍କ ଭିତରେ ଅଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣୀ ଦ୍ୟାନସାମନ୍ତରାୟ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ ଓ ତ୍ରିନାଥ ବେହେରା। ଶ୍ରୀ ବେହେରା ପୂର୍ବରୁ ଗୋପାଳପୁର ବିଧାୟକ ଥିଲେ।

Comment