ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଗତ କିଛି ଦିନ ଧରି ବିଭିନ୍ନ ଓପିନିୟନ ପୋଲରେ ଗୋଟିଏ କଥା ବରାବର କୁହାଯାଇଛି ଯେ ଆସନ୍ତା ଲୋକସଭା ନିର୍ବାଚନରେ ଶାସକ ବିଜେଡିଠାରୁ ବିଜେପି ଢେର ଆଗରେ ରହିବ। ଏହାର କାରଣ ସ୍ୱରୂପ କୁହାଯାଉଛି ଯେ ବିଜେଡି ବିରୁଦ୍ଧରେ ଭିତରେ ଭିତରେ ଏକ ହାୱା କାମ କରୁଛି ଓ ଲୋକେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଖାଲି ସେତିକି ନୁହେଁ ଏହି ଆକଳନ ମଧ୍ୟ କରାଯାଉଛି ଯେ ବିଧାନସଭା ନିର୍ବାଚନରେ ବି ବିଜେପିର ସଂଖ୍ୟା ଆଶାତୀତ ଭାବରେ ବଢ଼ିବ। ତେବେ ପ୍ରଶ୍ନ ହେଉଛି ବାସ୍ତବରେ ବିଜେପିକୁ ଫାଇଦା ହେବକି ଓ ବିଜେଡି କେତେ ପରିମାଣରେ କ୍ଷତି ସହିବ?

ଜାତୀୟ ସ୍ତରର କିଛି ବିଶ୍ଲେଷକଙ୍କ ମତରେ ବିଜେଡି ଓ ନବୀନଙ୍କ ସରକାର ବିରୁଦ୍ଧରେ ଭୋଟରମାନଙ୍କର କିଛିଟା ବିରକ୍ତିଭାବ ଆସିଥାଇପାରେ। କିନ୍ତୁ ବିଜେପି ଏହି ଜନ ଅସନ୍ତୋଷକୁ କେତେ ଦୂର ଭୋଟରେ ପରିଣତ କରିପାରୁଛି ସେଇଟି ହେଉଛି କୋଟିଏ ଟଙ୍କାର ପ୍ରଶ୍ନ। ଯେଉଁମାନେ ଆଗୁଆ ଭୋଟ ଆକଳନ କରନ୍ତି ବା ସେଫଲଜିଷ୍ଟ ସେମାନଙ୍କ ମତରେ ବିଜେପିକୁ ତେବେ ଯାଇ ଫାଇଦା ହେବ ଯଦି ଲୋକସଭା ନିର୍ବାଚନରେ ସିଧା ସଳଖ ଭୋଟ ବିଭାଜନ ହୁଏ।

କହିବା ବାହୁଲ୍ୟ ଯେ, ଆସନ୍ତା ନିର୍ବାଚନରେ ତିନୋଟି ପ୍ରମୁଖ ଦଳଙ୍କ ଭିତରେ ଲଢ଼େଇ ହେବ। ଶାସକ ବିଜେଡି ବିନ୍ଦାସରେ ରହିଥିବା ବେଳେ ବିଜେପି ନବୀନଙ୍କ ଦଳକୁ ଟକ୍କର ଦେବା ପାଇଁ ଚାହୁଁଛି। ଏହି କ୍ଷମତା ଖେଳରେ କଂଗ୍ରେସର ହାଲତ କିନ୍ତୁ ଅତି ଖରାପ ଓ ଯାହା କୁହାଯାଏ ଉପସ୍ଥିତି କେବଳ ଉପସ୍ଥିତି ପାଇଁ। ମୁଖ୍ୟ ଲଢ଼େଇଟି ବିଜେଡି ଓ ବିଜେପି ଭିତରେ ହିଁ ହେବ।
ସୁତରାଂ ଯଦି ଭୋଟ ବିଭାଜନ ନହୁଏ ଓ ବିଜେଡି ବିରୁଦ୍ଧରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଯଦି ବୁଥରେ ପ୍ରତିଫଳିତ ନହୁଏ ତେବେ ତାହା ବିଜେପିର ଫାଇଦା ହେବା ବଦଳରେ କ୍ଷତି ସାଧନ କରିବ।

ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାର ଆଦିବାସୀ ଆସନଗୁଡ଼ିକ ବିଜେପିକୁ ଯିବ। ୨୦୧୪ରେ ବିଜେପି ଜିତିଥିବା ସୁନ୍ଦରଗଡ଼ ଆସନ ମଧ୍ୟ ଏଥର ତା ମୁଣିରେ ହିଁ ପଡ଼ିବ ବୋଲି ଅନୁମାନ କରାଯାଉଛି।

ସାଧାରଣତଃ, ଉତ୍ତର ପ୍ରଦେଶ ଓ ବିହାର ଭଳି ଓଡ଼ିଶାରେ ଭୋଟ ବିଭାଜନର ଆଶଙ୍କା ନଥାଏ। ୨୦୦୪ ପରଠାରୁ ଏକା ଥରକେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ହେଉଥିବାରୁ ଭୋଟରମାନେ ଗୋଟିଏ ଦଳକୁ ହିଁ ପ୍ରାୟ ଭୋଟ ଦେଇ ଆସିଛନ୍ତି। ପୁଲିଂ ବୁଥରେ ଭୋଟ ଦେବା ବେଳେ ଏଠା ପାଇଁ ଶଙ୍ଖ ଓ ଦିଲ୍ଲୀ ପାଇଁ ପଦ୍ମ ଭୋଟରଙ୍କ ଏଭଳି ଏକ ପସନ୍ଦ ପ୍ରାୟତଃ ଓଡ଼ିଶାରେ ଦେଖା ଯାଇନାହିଁ। କିନ୍ତୁ ଏଥର ଦେଖା ଯାଇପାରେ।

ପ୍ରାୟ ସବୁ ଓପିନିଅନ ପୋଲରେ କୁହାଯାଉଛି ଯେ ଓଡ଼ିଶାରେ ବିଜେପିର ଭୋଟ ବଢ଼ୁଛି, ବିଶେଷ କରି ଲୋକସଭା ଆସନ ପାଇଁ। ୨୦୧୪ ନିର୍ବାଚନରେ ୨୧ ଲୋକସଭା ଆସନ ମଧ୍ୟରୁ ୧୦ଟିରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡ଼ିକୁ ୪୭୩ ଆସନ ମିଳିଥିବା ବେଳେ ବିଜେପିକୁ ୨୯୭ ଜିଲ୍ଲା ପରିଷଦ ଆସନ ମିଳିଥିଲା। ଏଣୁ ବିଜେପି ଏଥର ଭଲ କରିବାର ବହୁ ସମ୍ଭାବନା ରହିଛି।

ଓଡ଼ିଶାରେ ବିଜେପି ଭଲ କରିବା ପଛରେ ଆଉ ଗୋଟିଏ କାରଣ ବି ରହିଛି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନିର୍ବାଚନ ଲଢ଼ନ୍ତି ଏହା ବିଜେପିର ଭୋଟ ଉପରେ ଭଲ ପ୍ରଭାବ ପକାଇବ ବୋଲି ଓଡ଼ିଶା ବିଜେପିର ନେତାମାନେ କହୁଛନ୍ତି। କିନ୍ତୁ ରାଫେଲ ଦୁର୍ନୀତି ନେଇ ଯେଉଁ ଉଠାପକା ଚାଲିଛି  ଓ ଯାହା ଆଶଙ୍କା କରାଯାଉଛି ଯଦି ବିଜେପିକୁ ଲୋକସଭାରେ ସଂଖ୍ୟା ଗରିଷ୍ଠତା ହାସଲ ନହୁଏ, ବିଜେଡିର ସମର୍ଥନ ନ ଲୋଡ଼ିବା ଛଡ଼ା ଦଳ ପାଖରେ ଆଉ କିଛି ଉପାୟ ନାହିଁ।

Comment