ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପୂର୍ବରୁ କଂଗ୍ରେସ, ବିଜେପିର ଗ୍ୟାରେଣ୍ଟି କାର୍ଡକୁ ନେଇ ରାଜନୀତିରେ ସରଗରମ୍।

ଏଥର ପ୍ରାକ-ନିର୍ବାଚନରେ ଓଡ଼ିଶାରେ ନୂଆ ନୂଆ କଥା ଦେଖିବାକୁ ମିଳିଛି। ସେଥି ଭିତରୁ ଗୋଟିଏ ହେଉଛି ଲିଖିତ ପ୍ରତିଶ୍ରୁତି ପତ୍ର ବା ଗ୍ୟାରେଣ୍ଟି କାର୍ଡ। ମୁଖ୍ୟତଃ କଂଗ୍ରେସ ଓ ବିଜେପି ଏହି ଧାରାଟି ଆରମ୍ଭ କରିଛନ୍ତି। ଏହି ଗ୍ୟାରେଣ୍ଟି କାର୍ଡର ଲକ୍ଷ୍ୟ ହେଉଛି କ୍ଷମତାକୁ ଆସିଲେ ପ୍ରତିଶ୍ରୁତିକୁ ନିଶ୍ଚିତ ଭାବରେ ପାଳନ କରାଯିବ।

ମିଛ ପ୍ରତିଶ୍ରୁତିର ଫଳ

ଏହି ନୂଆ ଧାରା ଆରମ୍ଭ କରିବା ପୂର୍ବରୁ ବିରୋଧୀ ଦଳର କୁଆଡ଼େ ହୃଦଙ୍ଗମ ହୋଇଥିଲା ଯେ ମୁହଁରେ କହିଲେ ଲୋକେ ବିଶ୍ୱାସ କରିବେ ନାହିଁ, ଏଣୁ ଲିଖିତ ଗ୍ୟାରେଣ୍ଟି ଦିଆଯାଉ। ବର୍ଷ ବର୍ଷ ଧରି ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନହୋଇପାରିବା ଦୃଷ୍ଟିରୁ ଭୋଟରମାନେ ଏହି ମିଛ ସଂକଳ୍ପକୁ ଆଉ ଗୁରୁତ୍ୱ ଦେଉନାହାନ୍ତି ଏହା ଜଣାଶୁଣା କଥା। ଏଣୁ ଏହି ଗ୍ୟାରେଣ୍ଟି କାର୍ଡ ଦେବା ଆରମ୍ଭ  ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାରକୁ ମାତ ଦେବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଯେଉଁ ସବୁ ରଣନୀତି ପ୍ରସ୍ତୁତ କରାଯାଇଛି ତା’ ଭିତରୁ ଏହା ଗୋଟିଏ।

କଂଗ୍ରେସରୁ ଆରମ୍ଭ 

ରାଜନୈତିକ ଚାଲବାଜି କୁହନ୍ତୁ କି ଉଦ୍ଦେଶ୍ୟ ଭଲ କୁହନ୍ତୁ, ଏହି ଲିଖିତ ପ୍ରତିଶ୍ରୁତିକୁ ନେଇ କିନ୍ତୁ ବେଶ୍ ଚର୍ଚ୍ଚା ହେଉଛି। ନିକଟରେ ରାଉରକେଲା ଗସ୍ତ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି କାର୍ଡ ବାଣ୍ଟିବା  ଆରମ୍ଭ କରିଥିଲେ। ଯୁବକ, ମହିଳା ଓ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଡରେ ଲେଖା ଅଛି ଯେ କ୍ଷମତାକୁ ଆସିଲେ ଯାହା ଲେଖିଛୁ ତାହା ପାଳନ କରାଯିବ।

ବିଭିନ୍ନ ବର୍ଗ ପାଇଁ ଏଥିରେ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦିଆଯାଇଛି : ଝିଅ ବାହାଘର  ଓ ଝିଅଙ୍କ ଉଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ତଥା ହିଂସାକୁ ରୋକିବା ପାଇଁ ପ୍ରତି ପଂଚାୟତରେ ମହିଳା ଅଫିସର ନିଯୁକ୍ତି। ସେହିଭଳି ଶପଥ ଗ୍ରହଣ ଦିନ ହିଁ ଚାଷୀମାନଙ୍କ ପାଇଁ ଧାନର ସହାୟତା ମୂଲ୍ୟ ୨୬୦୦ ଟଙ୍କା କରିବୁ ଓ ଯୁବକମାନଙ୍କୁ ମିନିମମ ଇନକମ୍ ଗ୍ୟାରେଣ୍ଟି ଲାଗୁ ହେବ ବୋଲି ଏହି କାର୍ଡରେ ଉଲ୍ଲେଖ କରାଯାଇଛି।

ବିଜେପି ବି ସେଇ ରାସ୍ତାରେ

କଂଗ୍ରେସ ଭଳି ବିଜେପି ମଧ୍ୟ ପ୍ରତିଶ୍ରୁତି ପତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି। ପକ୍କା ଘର, ଘର ପାଇଁ ଗରିବଙ୍କୁ ଜାଗା, ଯୁବକଙ୍କୁ ଚାକିରି ଇତ୍ୟାଦି ଏହି ପ୍ରତିଶ୍ରୁତି ପତ୍ରରେ ଲେଖା ଅଛି। ଏହି ପ୍ରତିଶ୍ରୁତି ପତ୍ରରେ ଦୁଇଟି ଭାଗ ରହିଛି। ପ୍ରଥମ ଭାଗଟି ଲୋକଙ୍କ ଦ୍ୱାରା ପୂରଣ କରାଯିବ। ଏଥିରେ ନାମ, ଠିକଣା ଓ WhatsApp  ନମ୍ବର ରହିବ।

ଦ୍ୱିତୀୟ ଭାଗରେ ବିଜେପିର ପ୍ରତିଶ୍ରୁତି କଥା ରହିଛି। ଦଳ ପ୍ରଥମ ଭାଗଟି ସଂଗ୍ରହ କରି ନେଇଯିବ ଓ ଦ୍ୱିତୀୟ ଭାଗଟି ଭୋଟରଙ୍କ ପାଖରେ ଛାଡ଼ିବ। ନିର୍ବାଚନ ପୂର୍ବରୁ ୫୦ ହଜାର ଗ୍ରାମରେ ଏହି ପ୍ରତିଶ୍ରୁତି ପତ୍ର ବାଣ୍ଟିବେ ବୋଲି ବିଜେପି ନେତାମାନେ ଲକ୍ଷ୍ୟ ରଖିଛନ୍ତି।

ତେବେ ରାଜନୀତିକ ପର୍ଯ୍ୟବେକ୍ଷକଙ୍କ ଅନୁସାରେ କଂଗ୍ରେସ ଓ ବିଜେପି ଯେତେ ରକମ ପ୍ରତିଶ୍ରୁତି ପତ୍ର ଦେଲେ ବି ଏଥିରେ ସେମାନଙ୍କର ବିଶେଷ ଫାଇଦା ହେବ ନାହିଁ। କାରଣ ଏବେ ବି  ଶାସକ ଦଳର ପଲ୍ଲା ଭାରି। ଆହୁରି ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଥିବା ବିଧାନସଭାରେ ବଜେପିର ମାତ୍ର ୧୦ ଓ କଂଗ୍ରେସର ମାତ୍ର ୧୪ ବିଧାୟକ ଥିବା ବେଳେ ଏହି ସଂଖ୍ୟାକୁ ବଜାୟ ରଖିବା କଷ୍ଟକର ବ୍ୟାପାର ହୋଇ ପଡ଼ିବ ବୋଲି ଜଣେ ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି, କ୍ଷମତାକୁ ଆସିବା ତ ପଛ କଥା।

Comment