ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଭୋଗରାଇ ନିର୍ବାଚନମଣ୍ଡଳୀରୁ କିଏ ନେବ ବିଜେଡି ଟିକେଟ?

୨୦୧୯ ନିର୍ବାଚନ ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍। କିଏ ଟିକେଟ ପାଇବ ଏବଂ କାହାର ଟିକେଟ କଟିବ ସେନେଇ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏସବୁ ଭିତରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଚାଲିଛି।

ବାଲେଶ୍ୱର ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀରୁ କିଏ ବିଜେଡି ଟିକେଟ ନେବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କର ବୟସ ଅଧିକ ହୋଇଯାଇଥିବାରୁ ଜଣେ ନୂଆ ତଥା ଯୁବ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ହେଉଛି। ଏହି ରେସ୍‌ରେ ଆଗଧାଡ଼ିରେ ଅଛନ୍ତି ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ।

୧୯୯୦ରୁ ବଦଳିଛି ସମୀକରଣ

ଭୋଗରାଇ ନିର୍ବାଚନମଣ୍ଡଳୀର ଇତିହାସକୁ ଯଦି ଦେଖିବା ତାହାଲେ ୧୯୫୧ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଏହି ଆସନ ବିଭିନ୍ନ ସମୟରେ କଂଗ୍ରେସ ଏବଂ ବାମପନ୍ଥୀ ପ୍ରତିନିଧିଙ୍କ ହାତରେ ରହି ଆସିଛି। ହେଲେ ୧୯୯୦ରୁ ଏହି ଆସନରୁ ଅଣକଂଗ୍ରେସ ପ୍ରତିନିଧି ନିର୍ବାଚିତ ହୋଇ ଆସୁଛନ୍ତି।

୧୯୯୦ରୁ ୨୦୦୦ ଯାଏଁ ଜନତା ଦଳ ଟିକେଟରୁ କମଳା ଦାସ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ବିଜେଡି ଟିକେଟରେ କମଳା ତୃତୀୟ ଥର ପାଇଁ ବିଧାନସଭାକୁ ଆସିଥିଲେ। କିନ୍ତୁ ୨୦୦୪ରେ ଭୋଗରାଇବାସୀ ଦେଖିଥିଲେ ନୁଆ ମୁହଁଙ୍କୁ।

କମଳାଙ୍କ ବଦଳରେ ବିଜେଡି ଟିକେଟ ପାଇଥିଲେ ଅନନ୍ତ ଦାସ। ଅନନ୍ତ ଲଗାତର ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଏବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଛନ୍ତି। ହେଲେ ୨୦୧୯ ନିର୍ବାଚନ ଲଢ଼ିବା ପାଇଁ ଅନନ୍ତଙ୍କୁ ତାଙ୍କ ବୟସ ସାଥ୍ ଦେଉନି। ଅନନ୍ତଙ୍କ ସ୍ଥାନରେ ଟିକେଟ ନେବା ପାଇଁ ଗୌତମ ବୁଦ୍ଧ ଦାସ ଗୋଟି ଚାଳନା କରୁଛନ୍ତି।

ଚର୍ଚ୍ଚାରେ ଗୌତମ ବୁଦ୍ଧଙ୍କ ନାଁ

ବୟସାଧିକ କାରଣ ପାଇଁ ଯଦି ଅନନ୍ତଙ୍କୁ ଟିକେଟ ନମିଳେ ତାହାଲେ ଭୋଗରାଇକୁ କିଏ ବିଜେଡି ପ୍ରାର୍ଥୀ ହେବ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୋଗରାଇ ପାଇଁ ବିଜେଡି ଟିକେଟ ନେବାକୁ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ଗୌତମ ବୁଦ୍ଧ ଦାସ ଆଗରେ ରହିଛନ୍ତି।

ଗୌତମ ବୁଦ୍ଧ ଦାସ ଜଣେ ଯୁବକ ଏବଂ ଶିକ୍ଷିତ ବ୍ୟକ୍ତି ଭାବେ ଭୋଗରାଇରେ ବେଶ୍ ଜଣାଶୁଣା। ଏହାସହ ଜଣେ ସାମ୍ବାଦିକ ଭାବେ ଲୋକଙ୍କ ପାଇଁ ସେ ଅନେକ କିଛି କାମ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଗୌତମ ବୁଦ୍ଧ ଦାସ ଆସିଥିବାରୁ ତାଙ୍କର ଏହି ଅଞ୍ଚଳରେ ଭଲ ପ୍ରଭାବ ମଧ୍ୟ ରହିଛି।

ଏହାଛଡ଼ା ତାଙ୍କ ବାପା ଦୁର୍ଗା ଶଙ୍କର ଦାସ ଏବଂ ବଡ଼ବାପା ପ୍ୟାରୀମୋହନ ଦାସ ଭୋଗରାଇର ପୂର୍ବତନ ବିଧାୟକ ଥିଲେ। ତାଙ୍କ ବାପା ଏବଂ ବଡ଼ବାପା ଜନପ୍ରତିନିଧି ଥିବା ବେଳେ ଭୋଗରାଇର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିଲେ। ଏହାକୁ ଆଧାର କରି ଗୌତମ ବୁଦ୍ଧ ଦାସ ୨୦୧୯ ନିର୍ବାଚନ ଲଢ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି।

“ଭୋଗରାଇ ହେଉଛି ବିଜେଡିର ଗଡ଼। ପୂର୍ବରୁ କମଳା ଦାସ ଏହି ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ୨୦୦୪ରୁ ଅନନ୍ତ ଦାସ ବିଧାୟକ ରହି ଆସିଛନ୍ତି। ୨୦୧୪ରେ ବିଜେଡି ଏଠାରେ କଂଗ୍ରେସକୁ ୧୯ ହଜାର ୫୦୦ ଭୋଟରେ ପରାଜିତ କରିଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଏଠାରେ ଲୋକଙ୍କ ସମର୍ଥନ ବଢ଼ୁଛି। ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କୁ ୮୦ ବର୍ଷ ଛୁଇଁଲାଣି। ୨୦୧୯ରେ ଭୋଗରାଇବାସୀ ଯୁବ ନେତୃତ୍ୱ ଚାହୁଁଛନ୍ତି। ଗତ ନିର୍ବାଚନଠାରୁ ମୁଁ ବିଜେଡି ନେତୃବୃନ୍ଦଙ୍କ ସଂସ୍ପର୍ଶରେ ରହିଛି। ୨୦୧୯ ପାଇଁ ମୋ’ ନାଁ ବିଚାରକୁ ନିଆଯାଇଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଗୌତମ ବୁଦ୍ଧ ଦାସ।

“ଭୋଗରାଇ ହେଉଛି ଧାନ-ମୀନ-ପାନର ଅଞ୍ଚଳ। ହେଲେ ଏଠାରେ ରୋଜଗାର ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଧାନ-ମୀନ-ପାନର ଅଞ୍ଚଳ ଭୋଗରାଇରେ କିପରି ଶିକ୍ଷିତ ଯୁବକ ଯୁବତୀଙ୍କୁ ରୋଜଗାର ଦିଆଯାଇ ପାରିବ ଏବଂ ପାନ ଚାଷକୁ କିପରି କୃଷିର ମାନ୍ୟତା ଦିଆଯିବ ସେନେଇ ପଦକ୍ଷେପ ନିଆଯିବ”, କହିଛନ୍ତି ଗୌତମ ବୁଦ୍ଧ ଦାସ।

ଭୋଗରାଇ ନିର୍ବାଚନମଣ୍ଡଳୀରେ ୨୦୦୯ ଏବଂ ୨୦୧୪ରେ ବିଜେଡି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ହୋଇଥିଲା। ୨୦୦୯ରେ ବିଜେଡି ପ୍ରାର୍ଥୀ ଅନନ୍ତ ଦାସ ୭୩ ହଜାର ୪୭୪ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକେଶ୍ୱର ପାତ୍ର ୫୫ ହଜାର ୮୨୪ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ରମାକାନ୍ତ ବେହେରା ୬ ହଜାର ୪୬୮ ଭୋଟ ପାଇଥିଲେ।

୨୦୧୪ରେ ଅନନ୍ତ ଦାସ ୭୬ ହଜାର ୭୬୧ ଭୋଟ ପାଇଥିଲେ। କଂଗ୍ରେସର ସତ୍ୟଶିବ ଦାସ ୫୭ ହଜାର ୨୪୯ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପରେଶ ଚନ୍ଦ୍ର ନାୟକ ୧୪ ହଜାର ୭୭୨ ଭୋଟ ପାଇଥିଲେ।

Comment