ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତ କରିବେ।
କାଳିଆ ଯୋଜନାର ସଫଳ ରୂପେ କୃଷକ ମାନଙ୍କ ନିକଟରେ ପହଞ୍ଚାଇବାକୁ ନିଜେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ବୁଲୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି ୧୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସୁଛନ୍ତି। ଏହି ଜିଲ୍ଲାରେ କେନ୍ଦ୍ରାପଡ଼ା ସମେତ ପଡୋଶୀ ଜଗତସିଂହପୁର ଜିଲ୍ଲାର ଏକ ଲକ୍ଷ ଚାଷୀଙ୍କୁ ଆମନ୍ତ୍ରଣ କରିଛନ୍ତି ଉଭୟ ଜିଲ୍ଲା ପ୍ରଶାସନ। ଆଗକୁ ନିର୍ବାଚନ ଥିବାରୁ ମୁଖୀଆଙ୍କୁ ସନ୍ତୁଷ୍ଟ କରିବାକୁ ଜିଲ୍ଲାର ସମସ୍ତ ବିଜେଡି ନେତା ପ୍ରସ୍ତୁତି ଜୋରଦାର କରିଛନ୍ତି। ନିଜ ନିଜ ଅଞ୍ଚଳରୁ ଅଧିକରୁ ଅଧିକ ଲୋକଙ୍କୁ ଏହି ସମାବେଶରେ ଏକାଠି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାର ବାରୋ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୬ କିଲୋମିଟର ପଟ୍ଟାମୁଣ୍ଡାଇ ରାସ୍ତା କଡ ବାରୋ ହାଟ ନିକଟରେ ସଜା ହୋଇଛି ମଞ୍ଚ।
ପ୍ରାୟ ୨ ଲକ୍ଷ ଲୋକଙ୍କ ସମାଗମକୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହିତ ବିଜେଡି ନେତାମାନଙ୍କ ଆଲୋଚନାରେ ସମସ୍ତ ବ୍ୟବସ୍ଥା କରାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଜଗତସିଂହପୁର ଜିଲ୍ଲାରୁ ଲକ୍ଷେ କୃଷକଙ୍କୁ ଏହି କୃଷକ ସମାବେଶକୁ ନିମନ୍ତ୍ରଣ ହୋଇଛି ।
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ବିଧାୟକ କିଶୋର ତରାଇ, ଆଳି ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ, ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା ବିଧାୟକ ଅତନୁସବ୍ୟସାଚୀ ନାୟକ , ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା ଜିଲା ବିଜେଡି ସଭାପତି ଧୃବ ସାହୁ , କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ମାନସ ପରିଡ଼ା, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ପୂର୍ବତନ ବିଧାୟିକା ସିପ୍ରା ମଳିକ , ଜିଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀଙ୍କ ସମେତ ବହୁ ଜିଲାପରିଷଦ ସଦସ୍ୟ ଓ ସଦସ୍ୟାମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି ଏହି ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷିକା ଦାୟିତ୍ଵରେ ଥିବା ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଳିକ ମଧ୍ୟ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପାଇଁ ଦଳୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ସେହିପରି କେନ୍ଦ୍ରାପଡା ଜିଲାପାଳ ଦାଶରଥୀ ଶତପଥୀଙ୍କ ନେତୃତ୍ଵରେ କେନ୍ଦ୍ରାପଡ଼ା ଏସ୍ ପି ନିତିଶେଖର, ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ , ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଓ ତହସିଲଦାର ଆଦି ବରିଷ୍ଠ ଅଧିକାରୀଙ୍କ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉଭୟ ଦଳୀୟ ଓ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ପ୍ରାୟ ୨ ଲକ୍ଷ ଜନସମାଗମକୁ ଆଖି ଆଗରେ ରଖି ଆଇନଶୃଙ୍ଖଳା, ପାର୍କିଂ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ପରିଚାଳନା କରିବାକୁ ପୋଲିସ ବିଭାଗ ସଜାଗ ହୋଇଛି। ସମାବେଶରେ ମୋଟ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।
ସଭାମଞ୍ଚରେ ଦୁଇ ଜିଲାରୁ ୧୭ ଜଣ ବଛାବଛା ଚାଷୀଙ୍କୁ ବସିବାର ବ୍ୟବସ୍ଥା ରହିଛି। ଏହି ଚାଷୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକାଠି ବସି ସେମାନଙ୍କ ଅଞ୍ଚଳର ଚାଷବାସର ସମସ୍ୟା ଓ କାଳିଆ ଯୋଜନାର ପ୍ରଭାବ ସମ୍ପର୍କରେ ଆଲୋଚନା କରିବେ। ସବୁ ଚାଷି ମାନଙ୍କୁ ଗୋଟଏ ଲେଖାଏ କାଳିଆ ଯୋଜନାର କିଟ୍ ବ୍ୟାଗ ପ୍ରଦାନ କରାଯିବାକୁ ପ୍ରଶାସନ ସ୍ଥିର କରିଛି। ଅପରାହ୍ନ ୩ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ରହିଛି।
ଅନପକ୍ଷରେ ମୁଖ୍ୟମନ୍ତ୍ରୀଙ୍କର ଏହି ଗ୍ରସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଆଜି ଜିଲ୍ଲା ବିଜେପିର ଏକ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ାକୁ ମୁଖ୍ୟମନ୍ତ୍ରୀ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିବ ବିଜେପି। ବିଗତ ୧୯ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ପାଇଁ କ’ଣ ବିକାଶ କରିଛ ତାହାର ଜବାବ ମାଗିବ ବିଜେପି। ଏ ସମ୍ପର୍କରେ ଏହି ବୈଠକରେ ସ୍ଥିର ହୋଇଛି। କେନ୍ଦ୍ରାପଡ଼ା ସହରର ଦୁହୁରିଆ ନିକଟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବ ବୋଲି ଆପାତତ ନିଷ୍ପତ୍ତି ହୋଇଛି ।