ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସବୁ ଜିଲ୍ଲାପାଳ, ଏସ୍‌ପିଙ୍କ ମାରାଥନ ଆଲୋଚନା
  • ନିର୍ବାଚନ ପୂର୍ବରୁ ମଦଭାଟିରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ
  • ଜେଲ୍‌ ଯିବେ ଦାଗୀ ଅପରାଧି
  • ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନକୁ ସୁରୁଖୁରୁରେ କିପରି ପରିଚାଳନା କରାଯିବ ସେନେଇ ଭୁବନେଶ୍ଵରରେ ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନର ଅଶୋକ ଲାଭାସା।

ଲାଭାସାଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୫ ଜଣିଆ ଟିମ୍ ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ନିର୍ବାଚନ ଅଧିକାରୀ, ଏସ୍‌ପି, ରାଜସ୍ୱ କମିଶନର, ଉପ ଆରକ୍ଷୀ ମହାନିରୀକ୍ଷକମାନଙ୍କୁ ନେଇ ବୈଠକ କରିଥିଲେ।

EVM ଏବଂ VVPAT ମେସିନ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବା ଏବଂ ନିର୍ବାଚନ ପୂର୍ବରୁ ସମସ୍ତ ଜିଲ୍ଲାରେ ଏସବୁ ମେସିନ ଗଚ୍ଛିତ ରଖିବାକୁ ନିର୍ବାଚନ କମିଶନର ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ବାଚନ ପୂର୍ବରୁ ସବୁ ଜିଲ୍ଲାରେ ଥିବା ମଦଭାଟିରେ ଚଢ଼ାଉ, ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ନିକଟରୁ ବନ୍ଧୁକ ଫେରାଇ ଆଣିବାକୁ ସମସ୍ତ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ଏହାସହ ଦାଗୀ ଅପରାଧିମାନଙ୍କୁ ଗିରଫ କରି ଜେଲ୍‌ରେ ରଖିବାକୁ କମିଶନର ଗୁରୁତ୍ୱାରୋପ କରିଛନ୍ତି।

ନକ୍ସଲ ଉପଦ୍ରୁତ ଏବଂ ସୀମାନ୍ତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ନୂତନ ଭୋଟରମାନଙ୍କୁ ଫେବ୍ରୁଆରି ମାସ ଶେଷ ସୁଦ୍ଧା ଭୋଟ ପରିଚୟପତ୍ର ବଣ୍ଟନ କରିବା ସହ ପ୍ରତି ବୁଥ୍‌ରେ ଗମନାଗମନ ଓ ବିଦ୍ୟୁତ ସଂଯୋଗ ସୁବିଧା କରିବାକୁ ନିର୍ବାଚନ କମିଶନର କହିଛନ୍ତି।

ଏହାସହ ନିର୍ବାଚନରେ ଖର୍ଚ୍ଚ କରାଯାଉଥିବା ଟଙ୍କା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗୁରୁତ୍ୱ ଦେଇଛନ୍ତି କମିଶନର। ଦିବ୍ୟାଙ୍ଗ ଭୋଟରମାନେ କିପରି ସୁରୁଖୁରୁରେ ମତଦାନ କରିବେ ସେ ଉପରେ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ବିଭିନ୍ନ ଦଳର ପ୍ରତିନିଧିଙ୍କୁ ଭେଟିଲେ ନିର୍ବାଚନ କମିଶନର

ନିର୍ବାଚନ କମିଶନରଙ୍କ ଟିମ୍‌ ଓଡ଼ିଶାରେ ସ୍ୱଚ୍ଛ, ଅବାଧ ଏବଂ ମୁକ୍ତ ନିର୍ବାଚନ ପରିଚାଳନା ପାଇଁ ବିଜେଡି, କଂଗ୍ରେସ ଏବଂ ବିଜେପିର ପ୍ରତିନିଧିମାନଙ୍କୁ ଭେଟିଥିଲେ। ବିଜେଡିର ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ପ୍ରତିନିଧି ଭାବେ ଯୋଗ ଦେଇଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ତରଫରୁ ଭୃଗୁ ବକ୍ସିପାତ୍ର ପ୍ରତିନିଧି ଭାବେ ଯୋଗ ଦେଇ ନିଜ ଦଳର ଆଭିମୁଖ୍ୟ ସମ୍ପର୍କରେ ନିର୍ବାଚନ କମିଶନରଙ୍କୁ ଅବଗତ କରିଥିଲେ।

Comment