ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କଲେ ଏହି ପୁରସ୍କାର।

କ୍ରୀଡ଼ାର ବିକାଶ ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ‘ଷ୍ଟେଟ ଅଫ୍ ଦ ଇୟର ଆୱାର୍ଡ’ ରେ ସମ୍ମାନିତ ହେଲା ଓଡ଼ିଶା। ସ୍ପୋର୍ଟ୍ସ ଷ୍ଟାର ତରଫରୁ ପ୍ରମୋସନ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ମୁମ୍ବାଇ କ୍ରିଷ୍ଟାଲ ହଲର ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ସମାରୋହରେ ବିଶ୍ୱ ଚେସ୍‌ ଚମ୍ପିଆନ୍ ବିଶ୍ୱନାଥ ଆନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

“ମୁଁ ଭାବୁଛି ଅଲମ୍ପିକ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଙ୍ଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ସମ୍ମାନ ପାଇଁ ମୁଁ ସମ୍ମାନୀୟ ଜୁରୀମାନଙ୍କୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, “ମୁଁ ଏଠାରେ କ୍ରୀଡ଼ା ପାଇଁ ପୁରସ୍କାର ଗ୍ରହଣ କରୁଛି। ରାଜନୀତି କ୍ରୀଡ଼ାଠାରୁ ବିଶେଷ ଅଲଗା ନୁହେଁ। ଆମକୁ ଦୌଡ଼ିବା, ଡେଇଁବା, ଧରିବା, ଫୋପାଡ଼ିବା ଆଦି ସବୁକିଛି କରିବାକୁ ପଡ଼ିଥାଏ। ବେଳେ ବେଳେ ଆପଣ ଜାଣିପାରିବେ ନାହିଁ ଆପଣ କେଉଁ ଦିଗରେ ଦୌଡ଼ୁଛନ୍ତି। ବେଳେ ବେଳେ ଆପଣ ଫୋପାଡ଼ିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡ଼ି ଦେବେ।”

ଖେଳ ଜିତିବା ପାଇଁ ଆପଣଙ୍କ ନିଷ୍ଠାପରତା ଆପଣଙ୍କୁ ବିଜୟ ମୁକୁଟ ଦେବ। ରାଜନୀତିରେ ମଧ୍ୟ ଏକା କଥା। ପ୍ରତିଯୋଗିତା ମନୋଭାବ ହିଁ ଉଭୟ କ୍ଷେତ୍ରର ସଫଳତାର ମାନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

“କ୍ରୀଡ଼ାର ବିକାଶ ପାଇଁ ଏଭଳି ପୁରସ୍କାର ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ବୃଦ୍ଧି କରିବ। ଆଶା କରୁଛି ଆଗାମୀ ଦିନରେ ପ୍ରତିଯୋଗିତା ଅଧିକ ହେବ”, କହିଥିଲେ ମୁଖ୍ୟମନ୍ତ୍ରୀ।

Comment