ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାତ ଦିନ ଧରି ପାଳନ ହେଉଥିବା ପ୍ରେମର ସପ୍ତାହର ଆଜି ଶେଷ ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌ ଡେ’। ଏନେଇ ପ୍ରେମୀ ଯୁଗଳଙ୍କ ମନରେ ଉତ୍ସାହ, ଉତ୍କଣ୍ଠା ସହିତ ଆବେଗ ଭରି ରହିଥାଏ। ପ୍ରେମ ଦିବସ ଭାବେ ଏହି ଦିନ ଏକ ନିଆରା ପରିଚୟ ସୃଷ୍ଟି କରିଛି। କେତେକ ଫୁଲ, କାର୍ଡ, ଉପହାର ଧରି ପ୍ରସ୍ତୁତ ଥିବା ବେଳେ ପାର୍କ, ଲଙ୍ଗ୍ ଡ୍ରାଇଭ୍‌ର ପ୍ଲାନ ମଧ୍ୟ କରିଥାନ୍ତି ଯୁବପିଢ଼ି। ରୋଜ ଡେ’ ପରେ ପ୍ରପୋଜ୍‌ ଡେ’, ଚକୋଲେଟ୍‌ ହେ’, ଟେଡି ଡେ’, ହଗ୍‌ ଡେ’, ପ୍ରମିଜ୍‌ ଡେ’ ଏବଂ ଷଷ୍ଠ ଦିନରେ କିସ୍‌ ଡେ’ ପାଳିଛନ୍ତି ଯୁବପିଢ଼ି। ଯୁବପିଢ଼ିଙ୍କର ଆସର ଜମିଲାଣି ଫୁଲ ଦୋକାନରେ, ଉପହାର ଦୋକାନରେ। ଉପହାର ଦୋକାନରେ ସଜେଇ ହୋଇ ରହିଛି ପ୍ରେମୀ ଯୁଗଳଙ୍କ ପାଇଁ ଅନେକ ମନ ପସନ୍ଦର ସାମଗ୍ରୀ।

ଗୋଟେ ପଟେ ପେମୀଯୁଗଳଙ୍କ ମଧ୍ୟରେ ଆଶା ଓ ଉତ୍ସାହ ଭରି ରହିଥିବା ବେଳେ ଅନ୍ୟପଟେ ଭାଲେଣ୍ଟାଇନ୍‌ ଡେ’କୁ ବିରୋଧ କରିଛି କଳିଙ୍ଗ ସେନା। ପ୍ରେମକୁ ନୁହେଁ କି ପ୍ରେମୀଯୁଗଳକୁ ନୁହେଁ ଭାଲେଣ୍ଟାଇନ୍‌ ଡେ’କୁ ବିରୋଧ କରନ୍ତି ଏମାନେ। ଯେଉଁମାନେ ପ୍ରେମ ନାଁରେ ଅସଂଜତ ବା ଅପରାଧିକ କାର୍ଯ୍ୟ କରିବେ ସେମାନଙ୍କୁ ବିରୋଧ କରାଯିବା ସହିତ ବିଚ୍ଛୁଆତି ଉପହାର ଦିଆଯିବ ବୋଲି କଳିଙ୍ଗ ସେନା ସ୍ପଷ୍ଟ କରିଛନ୍ତି।

ରାଜଧାନୀରେ ବିଭିନ୍ନ ପାର୍କ ସହ ମଲ୍‌, ସିନେମା ହଲ୍‌ରେ କର୍ମୀମାନେ ଉପସ୍ଥିତ ରହି ନିଜର କାର୍ଯ୍ୟକରିବେ। ପ୍ରେମୀଯୁଗଳଙ୍କୁ ଉଚିତ ଶିକ୍ଷା ବା ସଚେତନ କରାଇବା ରହିଛି ତାଙ୍କ ଉଦ୍ଦେଶ୍ୟ। ସଂସ୍କୃତି ଓ ସଭ୍ୟତାକୁ ଗୁରୁତ୍ୱ ଦେଇ ବିଭିନ୍ନ ପାର୍କରେ ହୋଡିଂ ଲଗାଇବା ସହ ସୋସିଆଲ ମିଡିଆରେ ସଚେତନ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଭାଲେଣ୍ଟାଇନ୍‌ ଡେ’କୁ ବିଭିନ୍ନ ଦଳ ବିରୋଧ କରିବା ନେଇ କମିଶନର ପୋଲିସ ମଧ୍ୟ ସଜାଗ ରହିଛି। ଅପରାଧିକ, ଅସାମାଜିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଥାନା ଅଧିକାରୀଙ୍କୁ କାର୍ଯ୍ୟପନ୍ଥା ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜଧାନୀରେ ୮ ପ୍ଲାଟୁନ୍‌ ପୋଲିସ ରହି ସ୍ୱତନ୍ତ୍ର ନଜର ରଖିବ।

Comment