ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଅପରାଜିତା ଷଡ଼ଙ୍ଗୀ ଏବଂ ଅରୂପ ପଟ୍ଟନାୟକଙ୍କୁ ନେଇ ଅଙ୍କ କଷୁଛନ୍ତି ବିଜେପି-ବିଜେଡି। କଂଗ୍ରେସରୁ ମାନସ ଚୌଧୁରୀଙ୍କୁ ନେଇ ଚର୍ଚ୍ଚା।

ଭୁବନେଶ୍ଵର ଲୋକସଭା ଆସନରୁ ଏଥର କିଏ ମାରିବ ବାଜି? ବିଜେଡି ହାତରୁ ବିଜେପି ଆସନ ଛଡ଼ାଇ ନେବ ନା ବିଜେଡି-ବିଜେପି କଳିରୁ କଂଗ୍ରେସ ଫାଇଦା ନେବ ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।

ହେଲେ ଏଥରର ରାଜନୀତିକ ପାଣିପାଗ ଯାହା କହୁଛି ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି-ବିଜେପି-କଂଗ୍ରେସ ଭିତରେ ଜୋରଦାର ଟକ୍କର ହେବ।

୬ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଆଉଟ କରି ବିଜେଡି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରୋଜେକ୍ଟ କରିବାକୁ ଚାହୁଁଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଅଙ୍କ କଷୁଛି। ଏପଟେ କଂଗ୍ରେସ ମଧ୍ୟ ନୀରବ ରହିନି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କୁ ଲୋକସଭା ପାଇଁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି।

ବାବା ଯିବେ ଅରୂପ ଆସିବେ!

୧୯୯୮ରୁ ବିଜେଡି ଟିକେଟରେ ଲଗାତର ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ହେଲେ ତାଙ୍କୁ ଏଥର ବିଜେଡି ପ୍ରୋଜେକ୍ଟ କରିବାକୁ ଚାହୁଁ ନଥିବା ଖବର ମିଳୁଛି। କାହିଁକି ନା ପାଟ୍ଟଶାଣୀ ତୃଣମୂଳ ସ୍ତରର ଲୋକଙ୍କ ସହ ଯୋଡ଼ି ହୋଇ ରହୁ ନାହାନ୍ତି। ତାଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

ପୋଲିସ ଚାକିରିରୁ ଅବସର ନେବା ପରେ ଅରୂପ ଓଡ଼ିଶା ଆସି ବିଜେଡିରେ ମିଶିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉଭରେ ଭରସା କରିଥିଲେ।

ଦଳକୁ ଆସୁ ଆସୁ ଅରୂପଙ୍କ ଭରସା କରି ନବୀନ ନୂଆ ଦାୟିତ୍ୱ ଦେଇଦେଲେ। ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ସହ ବିଜୁ ଯୁବ ବାହିନୀର ଦାୟିତ୍ୱ ଦେଇଥିଲେ ଅରୂପଙ୍କୁ। ଅରୂପ ବି ଏହାକୁ ସାଦରେ ଗ୍ରହଣ କରିଥିଲେ। ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମରେ ଅରୂପ ଆଗଧାଡ଼ିରେ ରହିଲେ। ଏବେ ଅରୂପଙ୍କୁ ୨୦୧୯ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ବିଜେଡି ମ୍ୟାନେଜର ରଣନୀତି ପ୍ରସ୍ତୁତ କରିଛନ୍ତି।

ଏପର୍ଯ୍ୟନ୍ତ ଅରୂପ ନିର୍ବାଚନ ପାଇଁ କୌଣସି ଅଭିଯାନ ଆରମ୍ଭ କରି ନାହାନ୍ତି। ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ତାଙ୍କୁ ଏଯାଏଁ ଦେଖିବାକୁ ମିଳିନି। କିନ୍ତୁ ନବୀନଙ୍କ ବ୍ରାଣ୍ଡରେ ସେ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ବିଜେପିକୁ ଭରସା ଅପରାଜିତା!

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟକ୍କର ଦେଇଥିଲେ ବିଜେପିର ୟଙ୍ଗ ଷ୍ଟାର ପୃଥ୍ୱୀରାଜ ହରିଚନ୍ଦନ। ହେଲେ ପୃଥ୍ୱୀରାଜଙ୍କ ବଦଳରେ ୨୦୧୯ ନିର୍ବାଚନରେ ଦଳ ଆଇଏଏସ୍ ଚାକିରି ଛାଡ଼ି ଆସିଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରୋଜେକ୍ଟ କରିବାକୁ ଅଙ୍କ କଷୁଛି। ଅପରାଜିତା ବି ଏନେଇ ଅଭିଯାନ ଆରମ୍ଭ କରି ଦେଇଛନ୍ତି।

ଭୁବନେଶ୍ୱରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅପରାଜିତା ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ରାଜଧାନୀରେ ଚା’ ଖଟି ଆୟୋଜନ କରି ଲୋକଙ୍କ ସହ ମିଶିବା, ମର୍ଣ୍ଣିଂୱାକରେ ଯିବା ଏବଂ ଏହି ଲୋକସଭା ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ଏହାସହ ଅପରାଜିତାଙ୍କା ହୋର୍ଡିଂ ବ୍ୟାନର ମଧ୍ୟ ଚାରିଆଡ଼େ ଛାଇ ଯାଇଛି। ଯଦି ବିଜେପିରୁ ଅପରାଜିତା ଏବଂ ବିଜେଡିରୁ ଅରୂପ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି ତାହାଲେ ଦୁଇ ଅଫିସରଙ୍କ ଭିତରେ ଲଢ଼େଇ ଜମିବ ବୋଲି କୁହାଯାଉଛି।

କଂଗ୍ରେସରେ ମାନସଙ୍କୁ ନେଇ ଚର୍ଚ୍ଚା

୨୦୧୪ରେ କଂଗ୍ରେସ ସିନେ ଷ୍ଟାର ବିଜୟ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ନିର୍ବାଚନ ପରେ ବିଜୟଙ୍କୁ ଆଉ ଦେଖିବାକୁ ପାଇ ନାହାନ୍ତି ଭୁବନେଶ୍ବରବାସୀ। ୨୦୧୯ ନିର୍ବାଚନରେ ବିଜୟଙ୍କ ବଦଳରେ ମାନସ ଚୌଧୁରୀଙ୍କୁ ଦଳ ଟିକେଟ ଦେଇପାରେ ବୋଲି କୁହାଯାଉଛି।

ମାନସଙ୍କ ଘର ଭୁବନେଶ୍ଵରରେ। ମାଟି ପୁଅ ହିସାବରେ କଂଗ୍ରେସ ତାଙ୍କୁ ପ୍ରୋଜେକ୍ଟ କରିପାରେ। ମାନସ ଏବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଛନ୍ତି। ୨୦୦୯ରେ ସେ କଟକ-ସଦରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମାନସ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ନିକଟତର ହେଉଛନ୍ତି। ମାନସଙ୍କୁ ପ୍ରାର୍ଥୀ କରି ବିଜେପି-ବିଜେଡି କଳିରୁ କଂଗ୍ରେସ ଫାଇଦା ନେବାକୁ ଅଣ୍ଟା ଭିଡ଼ିଛି।

କ’ଣ କହୁଛି ଗଣିତ?

ଭୁବନେଶ୍ୱର ଲୋକସଭା ଅଧିନରେ ରହିଛି ଭୁବନେଶ୍ୱର ମଧ୍ୟ, ଉତ୍ତର, ଏକାମ୍ର-ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନମଣ୍ଡଳୀ। ଏହିସବୁ ନିର୍ବାଚନମଣ୍ଡଳୀ ବିଜେଡି କବ୍‌ଜାରେ ରହିଛି। କଂଗ୍ରେସ ଏବଂ ବିଜେପିର ସ୍ଥିତି ଏଠାରେ ସେତେଟା ଭଲ ନାହିଁ। ଏଣୁ ବିଜେଡିକୁ ଏଠାରେ ନିର୍ବାଚନ ଜିତିବା ସହଜ ହେଉଛି।

ବିଜେପି ଏବଂ କଂଗ୍ରେସକୁ ଭୋଟ ହାତେଇବାକୁ ହେଲେ ବିଧାନସଭା ଆସନ ଉପରେ ଫୋକସ୍ କରିବାକୁ ପଡ଼ିବ। ନହେଲେ ବିଜେଡି ପୁଣି ଭୁବନେଶ୍ୱର ଲୋକସଭା ଆସନକୁ ହାତେଇ ନେବ।

୨୦୧୪ରେ ପ୍ରସନ୍ନ ପାଟ୍ଟଶାଣୀ ୪ ଲକ୍ଷ ୩୯ ହଜାର ୨୫୨ ଭୋଟ ପାଇଥିବା ବେଳେ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ୨ ଲକ୍ଷ ୪୯ ହଜାର ୭୭୫ ଭୋଟ ପାଇଥିଲେ। କଂଗ୍ରେସର ବିଜୟ ମହାନ୍ତି ପାଇଥିଲେ ୧ ଲକ୍ଷ ୪୫ ହଜାର ୭୮୩ ଭୋଟ।

Comment