ଓଡ଼ିଶାଲାଇଭ ବ୍ୟୁରୋ

ସାରାଦେଶ ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାକୁ ନିନ୍ଦା କରିବାସହ ଏହାର ଜବାବ ଦେବା ଆବଶ୍ୟକତା ଥିବା କହୁଛନ୍ତି। କେବଳ ଦେଶ ନୁହଁ ଆମେରିକା ଋଷ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ଏପରି କି ଆମେରିକା ଏହି ପରିସ୍ଥିତିରେ ଭାରତ ସହ ଥିବା କହିଛି।

ଏହି ଆକ୍ରମଣ କେବଳ ୨୦୧୯ ନୁହଁ ବରଂ ଜମ୍ମୁ କାଶ୍ମୀର ଇତିହାସରେ ସବୁଠୁ ବଡ ଆତଙ୍କୀ ହମଲା। ପାକିସ୍ତାନରେ ନିଜର ନେଟୱାର୍କକୁ ବୃଦ୍ଧି କରୁଥିବା ଆତଙ୍କବାଦୀ ସଙ୍ଗଠନଗୁଡିକ ଗୋଟିଏ ପରେ ଗୋଟିଏ ହମଲା କରିଚାଲିଛନ୍ତି। ଏହି ହମଲା ପାଇଁ ଜୈସ୍‌-ଇ-ମହମ୍ମଦ ନିଜକୁ ଦାୟୀ କରିଛି। ଏପରିକି ଏଥିରେ ପ୍ରଥମଥର ଲାଗି ଜଣେ ସ୍ଥାନୀୟ ଆତଙ୍କବାଦୀକୁ ଅସ୍ତ୍ର ଭାବେ ବ୍ୟବହାର କରିଛି।

ଏହି ଆକ୍ରମଣକୁ ମିଶାଇଲେ ଜମ୍ମୁକାଶ୍ମୀରରେ ଗତ ୫ବର୍ଷ ମଧ୍ୟରେ ୧୮ଟି  ଆକ୍ରମଣ ହୋଇଛି ଯେଉଁଥିରେ ପାଖାପାଖି ୪୦୦ ଯବାନ ସହିଦ ହୋଇଛନ୍ତି। ବିଭିନ୍ନ ସମୟରେ ପାମ୍ପୋର, ଉରି, ପଠାନକୋଟ,ଗୁରୁଦାସପୁର,ଅମରନାଥ,ସୁରଜାନପୁରରେ ଆକ୍ରମଣ ହୋଇଛି। ଏହା ବାଦେ ଶତାଧିକ ଥର ଅସ୍ତ୍ରବିରତି ଉଲ୍ଲଘଂନ ହୋଇଛି।

ତେବେ ଆକ୍ରମଣର କିଛି ସମୟ ପୂର୍ବରୁ ପ୍ରାୟ ଦିନ ୧ଟା .୩୦ରେ ଆଦିଲ ହୁସେନ ଦାର ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲା। ଯେଉଁଥିରେ ସେ କହିଥିଲା କି କିଛି ଗୋଟେ ବଡ଼ ଘଟିବାକୁ ଯାଉଛି ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି।  ଯାହାର ୨ଘଣ୍ଟା ପରେ ଅର୍ଥାତ ୩ଟ୩୦ରେ ଆଦିଲ ବିସ୍ଫୋରକ ଭର୍ତ୍ତି ଗାଡ଼ି ନେଇ ସିଆରପିଏଫ୍ ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ।

ଯେଉଁଥିରେ ୪୪ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ପୁଲୱାମା ସମେତ ଏହାର ଆଖପାଖ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଏତେ ସବୁ ପରେ କଠୋର ହେବ କି ଭାରତ?

Comment