ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରେ ନିର୍ମାଣ ହେବ ହିନ୍ଦୁସ୍ତାନ ପେଟ୍ରୋଲିୟମର ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ। ଫେବ୍ରୁଆରି ୧୯ରେ ଏହି ବଟ୍‌ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହେବ।

ରାୟଗଡ଼ା ଜିଲ୍ଲା ଆଇଆଇଡି ସେଣ୍ଟରଠାରେ ନିର୍ମାଣ ହେବାକୁ ଯାଉଛି ହିନ୍ଦୁସ୍ତାନ ପେଟ୍ରୋଲିୟମର ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ। ଏନେଇ ଶୁକ୍ରବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଆସନ୍ତା ଫେବ୍ରୁଆରି ୧୯ରେ କେନ୍ଦ୍ର ପୋଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସଭା ସାଂସଦ ଝୀନ୍ନ ହିକକା ଏବଂ ବିଧାୟକ ଲାଲ ବିହାରୀ ହିମିରିକାଙ୍କ ଉପସ୍ଥିତିରେ ରାୟଗଡ଼ାରେ ଏହି ବଟ୍‌ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ୨୦୨୦ ମସିହା ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।

ଏହି ବଟ୍‌ଲିଂ ପ୍ଲାଣ୍ଟର ନିର୍ମାଣ ପରେ ଓଡ଼ିଶାରେ ସର୍ବମୋଟ ୭ଟି ପ୍ଲାଣ୍ଟ କାର୍ଯ୍ୟକାରୀ ହେବ। ଏହି ୭ଟି ପ୍ଲାଣ୍ଟର କ୍ଷମତା ବାର୍ଷିକ ୪.୦୬ କୋଟି ସିଲିଣ୍ଡର ରହିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ରାୟଗଡ଼ାରେ ଏହି ବଟ୍ଲିଂ ପ୍ଲାଣ୍ଟ ନିର୍ମାଣ ହେବା ପରେ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନୂଆପଡ଼ା ଆଦି ୧୧ଟି ଜିଲ୍ଲାର ଉପଭୋକ୍ତାଙ୍କୁ ଏଲ୍‌ପିଜି ସିଲିଣ୍ଡର ଯୋଗାଣ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଏଲ୍‌ପିଜି ରିଜନ୍‌ର ଡେପୁଟୀ ମ୍ୟାନେଜର ଧର୍ମେନ୍ଦ୍ର ବେହୁରା, ଜଟଣୀ ଏଲ୍‌ପିଜି  ବଟ୍ଲିଂ ପ୍ଲାଣ୍ଟ ମ୍ୟାନେଜର ଅନିଲ କୁମାର ତ୍ରିପାଠୀ, ଏଚ୍‌ପିସିଏଲ୍ ସିନିୟର ମ୍ୟାନେଜର ତୃପ୍ତି ରଞ୍ଜନ ସାହୁ, ଏବଂ ଇଷ୍ଟକୋଷ୍ଟ ରେଲ୍‌ୱେର ପବ୍ଲିକ ରିଲେସନ୍ସ ଅଫିସର ନିରାକାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଓ ଇଷ୍ଟ୍‌ କୋଷ୍ଟ୍‌ ରେଲୱେ ପକ୍ଷରୁ ମିଳିତ ଭାବେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

Comment