ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅନ୍ୟ କାହା କଥା ଛାଡ଼ନ୍ତୁ ମହିଳା ପ୍ରସ୍ତାବିତ ମହିଳା ସଂରକ୍ଷଣକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଡ଼ୁଆରେ ପଡ଼ିଛନ୍ତି। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରହିବା ଦରକାର ବୋଲି ଗତ ନଭେମ୍ବର ୨୦ ତାରିଖରେ ସେ ଓଡ଼ିଶା ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରାଇ ନେଇପାରିଥିଲେ। ପରେ ଏହାକୁ ସଂସଦକୁ ପଠାଯାଇଥିଲା।

ଆହୁରି ମଧ୍ୟ ବିଜେଡିର ସାଂସଦ ଓ ମନ୍ତ୍ରୀମାନଙ୍କୁ ବିଭିନ୍ନ ରାଜ୍ୟର ଦଳର ମୁଖ୍ୟମାନଙ୍କୁ ଭେଟିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ଓ ଏହି ସାକ୍ଷାତ ହୋଇଥିଲା ମଧ୍ୟ। ଏବେ କିନ୍ତୁ ସେଥିରେ ନବୀନ ନିଜେ ଛନ୍ଦି ହୋଇଥିବା ଜଣାପଡ଼ିଛି କାରଣ ଏହି ସଂରକ୍ଷଣ ତାଙ୍କୁ ପ୍ରଥମେ କରି ଦେଖାଇବାକୁ ପଡ଼ିବ।

ନବୀନ କ’ଣ କରିବେ?

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ଟିକେଟ ବଣ୍ଟନ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏହି କାରଣରୁ ସଂରକ୍ଷଣ ଖଣ୍ଡା ମୁଣ୍ଡ ଉପରେ ଝୁଲିବା ଆରମ୍ଭ ହୋଇଛି। ଯଦି ନବୀନ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରନ୍ତି ତେବେ ଏଥର ୪୯ଟି ବିଧାନସଭା ଆସନକୁ ସଂରକ୍ଷିତ ରଖିବାକୁ ହେବ ଏବଂ ସେହି ଅନୁସାରେ ୪୯ ଜଣ ମହିଳାଙ୍କୁ ପ୍ରାର୍ଥୀ ଭାବେ ଠିଆ କରାଇବାକୁ ହେବ। ୨୦୧୪ ନିର୍ବାଚନରେ ମାତ୍ର ୧୪ ମହିଳାଙ୍କୁ ଟିକେଟ ଦିଆ ଯାଇଥିଲା। ଏମାନଙ୍କ ମଧ୍ୟରୁ ୧୦ ଜଣ ନିର୍ବାଚିତ ହୋଇଥିଲେ ଓ ବିଧାନସଭାକୁ ଆସିଥିଲେ। ବିଜେପୁର ଆସନରେ ରିତା ସାହୁ ଜିତିବା ପରେ ଏହି ସଂଖ୍ୟା ୧୧କୁ ବୃଦ୍ଧି ପାଇଥିଲା। ସଦ୍ୟ କାର୍ଯ୍ୟ କାଳ ଶେଷ ହୋଇଥିବା ବିଧାନସଭାରେ ବିଜେଡିର ୧୧ ଜଣକୁ ମିଶାଇ ମୋଟ ୧୨ ଜଣ ବିଧାୟିକା ଥିଲେ। ଅନ୍ୟ ଜଣେ ହେଉଛନ୍ତି ବିଜେପିର ରାଧାରାଣୀ ପଣ୍ଡା।

ଚଉଦ ଟପିନି

ତେତିଶ ପ୍ରତିଶତ ମହିଳା ଆସନ ପାଇଁ ବିଜେଡି ସରକାର  ନାଚୁଥାଇପାରେ କିନ୍ତୁ ନବୀନଙ୍କ ୧୯ ବର୍ଷ ଶାସନ ସମୟ ଭିତରେ ବିଧାୟିକାଙ୍କ ସଂଖ୍ୟା କେବେ ବି ୧୪ ଟପି ନାହିଁ। ୨୦୦୪-୨୦୦୪ରେ ସର୍ବାଧିକ ୧୪ ବିଧାୟିକା ନିର୍ବାଚିତ ହୋଇଥିଲା ବେଳେ ୨୦୦୯-୧୪ରେ ଏହା ମାତ୍ର ୯ ଥିଲା।

ସେହିଭଳି ଲୋକସଭା କଥା ଦେଖାଯାଉ। ଏବେ ଶେଷ ହୋଇଥିବା ଲୋକସଭାରେ ବିଜେଡିର ତିନି ଜଣ ମହିଳା ସାଂସଦ ଥିଲେ। ଯଦି ନବୀନଙ୍କ ଫର୍ମୁଲା କାର୍ଯ୍ୟକାରୀ ହୁଏ ଏଥର ୭ ଜଣ ମହିଳାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ହେବ। ଏଇଠି ହିଁ ଅସୁବିଧାଟି ରହିଛି। ଏ ନେଇ ଦଳର କୌଣସି ନେତା କିଛି କହି ପାରୁନାହାନ୍ତି। କିନ୍ତୁ ଆଶଙ୍କା କରାଯାଉଛି ଯେ ଯଦି  ଲୋକସଭା ପାଇଁ ୭ଟି ଓ ବିଧାନସଭା ପାଇଁ ୪୯ ଆସନ ମହିଳାଙ୍କ ପାଇଁ ଚାଲିଯିବ,ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହେବା ଅବଶ୍ୟମ୍ଭାବୀ। ଯେଉଁମାନେ ଟିକେଟରୁ ବଞ୍ଚିତ ହେବେ ସେହି ଆଶାୟୀମାନେ ଅନ୍ୟ ଦଳକୁ ଯେ ନ ଡେଇଁବେ ସେ କଥା କିଏ କହିବ ବୋଲି ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି। ଏଣୁ ନବୀନଙ୍କୁ ଏଥର ବୁଝି ବିଚାରି ନିଷ୍ପତ୍ତି ନେବାକୁ ପଡ଼ିବ।

ଥଣ୍ଡା ଥଣ୍ଡା କୁଲ କୁଲ

ଶାସକ ବିଜେଡି ତେତିଶ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ହରଡ଼ ଘଣାରେ ପଡ଼ିଥିବା ବେଳେ ଅନ୍ୟ ଦୁଇ ଦଳ ଏଥିରେ ଆଦୌ ବ୍ୟସ୍ତ ନୁହନ୍ତି। ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ଥଣ୍ଡା ଥଣ୍ଡା କୁଲ କୁଲ ମିଜାଜରେ ଅଛନ୍ତି। ବିଜେପିର ଜଣେ ନେତା କହିଛନ୍ତି ଯେ ଜିତିବା ସମ୍ଭାବନାକୁ ନେଇ ଆମେ ଟିକେଟ ଦେବୁ ସେ ପୁରୁଷ ହୋଇପାରନ୍ତି ଅଥବା ମହିଳା। କଂଗ୍ରେସର ବି ସେୟା ମତ। ଜିତିବାର ସମ୍ଭାବନା ଓ ଦଳ ପ୍ରତି ଆନୁଗତ୍ୟକୁ ନେଇ ହିଁ ଟିକେଟ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ଦଳର ଜନୈକ ଉପସଭାପତି।

Comment