ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ


ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଓ ଅନ୍ୟ ଦଳ ସହ ମେଣ୍ଟ ହେବା ପ୍ରାୟ ନିଶ୍ଚିତ। ଏହି ମେଣ୍ଟ ଯଦି କାର୍ଯ୍ୟକାରୀ ହୁଏ ତେବେ ବାମପନ୍ଥୀ ଦଳ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ କଂଗ୍ରେସ ୩ଟି ଲୋକସଭା ଆସନ ଛାଡ଼ିପାରେ। କେନ୍ଦ୍ରରେ ଏନଡିଏ ସରକାରକୁ ହରାଇବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରାଯାଇଛି ସେ ଅନୁଯାୟୀ କଂଗ୍ରେସ ଓଡ଼ିଶାରୁ ୧୮ଟି ପାର୍ଲାମେଣ୍ଟ ଆସନରେ ହିଁ ପ୍ରାର୍ଥୀ ଦେବ।

କିଏ କେଉଁଠି?

ଖବର ଅନୁସାରେ ଭୁବନେଶ୍ୱର ଲୋକସଭା ଆସନ ସିପିଏମକୁ ଛଡ଼ାଯିବ। ସେହିଭଳି ଆସ୍କା ଆସନ ସିପିଆଇକୁ ମିଳିବ। ମୟୂରଭଞ୍ଜ ଲୋକସଭା ଆସନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରରୁ ସିପିଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି ପ୍ରାର୍ଥୀ ହେବେ ବୋଲି ସ୍ଥିର କରାଯାଇଛି। ମୟୂରଭଞ୍ଜରୁ ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ଝିଅ ଅଞ୍ଜଳିଙ୍କୁ ପ୍ରାର୍ଥୀ କରାଯିବ। ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ଓ ଅନ୍ୟ ଦୁଇ ଦଳ ଭିତରେ ଏହି ମର୍ମରେ କଥାବାର୍ତ୍ତା ସରିଛି ଓ କାହାର ଏଥିରେ କୌଣସି ଆପତ୍ତି ନଥିବା ଜଣାପଡିଛି। ଯଦି ନିହାତି କିଛି ମତଭେଦ ସୃଷ୍ଟି ନହୁଏ ନିର୍ବାଚନରେ ଏହା ହିଁ ହେବ।

ବିଧାନସଭା ପାଇଁ ଅସୁବିଧା

ବିଧାନସଭା ଆସନ ପାଇଁ କିନ୍ତୁ ଏହି ତିନି ଦଳ ଭିତରେ ବୁଝାମଣା ହୋଇପାରି ନାହିଁ। ବାମପନ୍ଥୀ ଦଳ ଏଯାଏଁ ସେମାନଙ୍କର ପସନ୍ଦ ଆସନ ତାଲିକା ଦେଇ ନଥିବାରୁ ଏ ଦିଗରେ କଥାବାର୍ତ୍ତା ଆଗେଇ ପାରୁନାହିଁ ବୋଲି ଜଣେ ବରିଷ୍ଠ ନେତା କ ହିଛନ୍ତି। ସୂତ୍ର ଅନୁସାରେ ସିପିଆଇ ୧୨ଟି ବିଧାନସଭା ଆସନ ଚାହୁଁଥିବା ବେଳେ ସିପିଏମ ୭ଟି ଆସନ ମାଗୁଥିବା ଜଣାପଡ଼ିଛି। ତେବେ କଂଗ୍ରେସ ଏତେ ଗୁଡ଼ିଏ ଆସନ ଛାଡ଼ିବାକୁ ଚାହୁଁନାହିଁ। ଏଣୁ କଥାବାର୍ତ୍ତା ଚୂଡାନ୍ତ ହେବା ସମୟରେ ଏହି ଆସନ ସଂଖ୍ୟା ହ୍ରାସ ପାଇପାରେ। ଇତି ମଧ୍ୟରେ ଅନ୍ୟ ଦଳ ସହିତ ଆସନ ବୁଝାମଣା ବିଷୟ  ଫଇସଲା କରିବା ପାଇଁ କଂଗ୍ରେସ ପକ୍ଷରୁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି।

କଂଗ୍ରେସର ନୂଆ ମୁହଁ

ଅନ୍ୟ ଦଳ ସହିତ କଥା ବାର୍ତ୍ତା ଚାଲିଥିବା ବେଳେ ଏଣେ  କଂଗ୍ରେସର ନିଜ  ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀ ଓ ଜଗତସିଂପୁର ଲୋକସଭା ଓ ଏହା ଅଧିନରେ ଆସୁଥିବା ବିଧାନସଭା ଆସନ ପାଇଁ ସ୍କ୍ରିନିଂ କମିଟିରେ ଗୁରୁବାର ଦିନ ଆଲୋଚନା କରାଯାଇଥିଲା। ଖବର ଆସୁଛି ଯେ ପୁରୀ ପାଇଁ ସୁଚରିତା ମହାନ୍ତି କିମ୍ବା ଅମୀୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇପାରେ।

ସୁଚରିତା ଗତ ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିଲେ। ଅମୀୟ ପଟ୍ଟନାୟକ ହେଉଛନ୍ତି କଂଗ୍ରେସ କୃଷକ ସେଲର ସଭାପତି। ଆହୁରି ମଧ୍ୟ ଆଶା କରାଯାଉଛି ଯେ ଜଗତସିଂହପୁର ଆସନରୁ ବିଭୁ ତରାଇ ପ୍ରାର୍ଥୀ ହେବେ। ୨୦୧୪ ନିର୍ବାଚନରେ ସେ ଏଠାରୁ ପ୍ରାର୍ଥୀ ହୋଇଥିଲେ। କଟକ ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଭାବେ ପଞ୍ଚାନନ କାନୁନଗୋ କିମ୍ବା ଗୁରୁପଦ ନନ୍ଦଙ୍କ ନାମ ଶୁଣାଯାଉଛି।

Comment