ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) ବରଗଡରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ସମ୍ବଲପୁରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୃତଦେହକୁ ପୋଲିସ୍‌ ଲକ୍ଷ୍ମୀଡୁଙ୍ଗୁରୀ ପାଖ ପୁରୁଣା ମହାନଦୀ ପୋଲ ତଳୁ  ଉଦ୍ଧାର କରିଛି।

ଅଭିଯୋଗ ଅନୁସାରେ ଦୁର୍ବୃତ୍ତ ମାନେ ଯୁବକଙ୍କୁ ବରଗଡରୁ ଅପହରଣ ପରେ ସମ୍ବଲପୁର ଅଣାଯାଇ ହତ୍ୟା କରାଯାଇଛି। ସମ୍ବଲପୁର ପୋଲିସ୍‌ ସୂଚନା ପାଇବା ପରେ ମୃତଦେହ ଜବତ କରିବା ସହ, ବ୍ୟବଛେଦ ପାଇଁ ବୁର୍ଲା ମେଡିକାଲ୍‌କୁ ପଠାଇଛି। ଅନ୍ୟପଟେ ବରଗଡ ପୋଲିସ ମଧ୍ୟ ସମ୍ବଲପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁର ସଦର ଏସ୍‌ଡିପିଓଙ୍କ ଅନୁସାରେ,” ମୃତ ଯୁବକଙ୍କ ବେକରେ ଏକ କ୍ଷତଚିହ୍ନ ବ୍ୟତିତ ଶରୀରରେ ଅନ୍ୟ କୌଣସି ସ୍ଥାନରେ ମାଡ କି କ୍ଷତ ଚିହ୍ନ ନାହିଁ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି।’’

ମୃତ ଯୁବକଙ୍କ ପରିଚୟ ମିଳିଛି ସେ ବରଗଡ ବାନ୍ଦୁଟିକ୍ରାପାଡ ୱାର୍ଡ ନମ୍ବର-୯ର ସଦାନନ୍ଦ ତାଣ୍ଡିଙ୍କ ପୁଅ ଇନୁସ୍‌ ତାଣ୍ଡି,ବୟସ ୧୬। ଇନୁସ୍‌ ଗତ ଶୁକ୍ରବାର ଠାରୁ  ନିଖୋଜ ଥିଲେ। ପରିବାରର ଅଭିଯୋଗ କ୍ରମେ ଏ ନେଇ ବରଗଡ ଟାଉନ୍‌ଥାନାରେ ଶୁକ୍ରବାରରୁ ଏକ ନିଖୋଜ ମାମଲା ଦାୟର କରାଯାଇଥିଲା। ତିନିଜଣ ଯୁବକ ଇନୁସ୍‌କୁ ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା।

ଧାନ ନେଇଥିବା ଟଙ୍କା ଫେରସ୍ତ ନକରିବାରୁ ତାଙ୍କ ଅପର ପକ୍ଷ  ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଥିଲା। ମୃତଦେହର ବ୍ୟବଛେଦ କରାଯିବା ପରେ, ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏ ନେଇ ବରଗଡ ଟାଉନ୍‌ଥାନାରେ ଏକ ହତ୍ୟାମାମଲା ଦାୟର କରାଯାଇଛି। ଶବବ୍ୟବଛେଦ ରିପୋର୍ଟ ଆସିଲେ ହତ୍ୟା ସଂପର୍କରେ ଅଧିକ ତଥ୍ୟ ମିଳିବ ବୋଲି ବରଗଡ ଟାଉନ୍‌ଥାନା ଅଧିକାରୀ କହିଛନ୍ତି।

Comment