ଭାସ୍କର ପରିଚ୍ଛା

ବିଗତ କିଛି  ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ସ୍ତରରେ ଏକ ବଡ଼ ଧରଣର ଅସୁବିଧା ପରିସ୍ଥିତି ଦେଇ ଗତି କରୁଥିଲେ। ତିନୋଟି ବିଜେପି ଶାସିତ ରାଜ୍ୟରେ ଦଳର ବିପର୍ଯ୍ୟୟ, ବେରୋଜଗାରକୁ କାବୁ କରି ନପାରିବା ଫଳରେ ଚାରିଆଡ଼ୁ ସମାଲୋଚନା ଓ ବିରୋଧୀ ଦଳମାନେ ତାଙ୍କ ବିରୋଧରେ ମହାମେଣ୍ଟ ରଚନା କରିବା ଏସବୁ ଘଟଣା ବାସ୍ତବରେ ମୋଦିଙ୍କ ନିଦ ହଜାଇ ଦେଇଥିଲା। ଏଭଳି  ଆଶଙ୍କା ବି  ସୃଷ୍ଟି ହୋଇଥିଲା ଯେ ଆସନ୍ତା ନିର୍ବାଚନ ତାଙ୍କ ପାଇଁ ଓ ଏନଡିଏ ପାଇଁ  ଜିତିବା କଷ୍ଟକର ହୋଇପଡ଼ିବ।

୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଯେଉଁ ଅକୁଣ୍ଠଚିତ୍ତ ସମର୍ଥନ ଥିଲା ଓ କେନ୍ଦ୍ରରେ ସରକାର ଗଠନ ସକାଶେ ବିଜେପି  ପାଇଁ ଯେଉଁ ହାୱା ସୃଷ୍ଟି ହୋଇଥିଲା ୨୦୧୯ରେ ତାହା ନାହିଁ ଏକଥା ନିଜେ ମୋଦି ବି ଜାଣିଥିଲେ। କ୍ଷମତାଚ୍ୟୁତ ହେବାର ଆଶଙ୍କା ଦେଇ ଗତି କରୁଥିବା ମୋଦିଙ୍କ ପାଇଁ କଶ୍ମୀର ଘଟଣା କିନ୍ତୁ ଏକ ଭିନ୍ନ ସ୍ଥିତିରେ ଠିଆ କରିଛି, ଏଥିରେ ଦ୍ୱିମତ ନାହିଁ।

କଶ୍ମୀରରେ ଗୁରୁବାର ଦିନ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଲା ଓ ଯେଉଁଥିରେ ସିଆରପିଏଫର ୪୦ ଯବାନ ପ୍ରାଣ ହରାଇଲେ ତାହା ପରେ ମୋଦିଙ୍କ ଆଭ୍ୟନ୍ତରୀଣ  ରାଜନୈତିକ ସ୍ଥିତି ଦୃଢ଼ ହୋଇଛି ବୋଲି ବୁଝିବାକୁ ହେବ।

ପୁଲୱାମା ଘଟଣା ସମଗ୍ର ଦେଶରେ କ୍ରୋଧର ପରିବେଶ କେବଳ ସୃଷ୍ଟି କରିଛି ତାହା ନୁହେଁ ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ ମନେ ରଖିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସବୁ ମହଲରେ ଦାବି ହେଉଛି।

ଇତି ମଧ୍ୟରେ ମୋଦି ସରକାର ଘୋଷଣା କରିଛନ୍ତି ଯେ ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ଓ ପାକିସ୍ତାନକୁ କଡ଼ା ଜବାବ ଦିଆଯିବ। ଦୁଇ ଦିନ ଧରି ବିଭିନ୍ନ ସ୍ତରରେ ବୈଠକ ଅନୁଷ୍ଠିତ ହୋଇଛି ଓ ଠିକଣା ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।

ପରିବର୍ତ୍ତିତ ପରିସ୍ଥିତିରେ  ମୋଦିଙ୍କ ରାଜନୈତିକ ଭବିଷ୍ୟତ ସୁରକ୍ଷିତ ହେବା ଦେଖାଯାଉଛି। କାରଣ ଏକ ବହୁମତ ବିଶିଷ୍ଟ ସରକାର ହିଁ ବାହ୍ୟ ଚାଲେଞ୍ଜକୁ ଗ୍ରହଣ କରିପାରିବ। ନିଃସନ୍ଦେହରେ ବିରୋଧୀ ଦଳ ପାଇଁ ପୁଲୱାମା ଏକ ବିଷମ ସ୍ଥିତି ସୃଷ୍ଟି କରିଛି। ଯଦି କଶ୍ମୀର ଘଟଣା ନ ଘଟିଥାନ୍ତା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବିରୋଧୀ ଦଳ ରାଫେଲ ମାମଲାକୁ ନେଇ ଯେଉଁ ଆକ୍ରମଣ ଅହୋରାତ୍ର ଚଳାଇଥିଲେ ନିଶ୍ଚିତ ଭାବରେ ମୋଦିଙ୍କୁ  ତାହାକୁ ସାମ୍ନା କରିବା କଷ୍ଟକର ହୋଇଥାନ୍ତା।

ପୁଲୱାମା ଘଟଣାରେ ସବୁ ଦଳର ନେତାଙ୍କ ସମର୍ଥନ ପାଇବା ପରେ ଏବେ ମୋଦିଙ୍କ ବିରୋଧରେ ଲଢ଼ିବା କାଠିକର ପାଠ। ବିରୋଧୀ ମେଣ୍ଟ ଓ ରାଜନୈତିକ  ପ୍ରସଙ୍ଗ ଯେତେ ବଡ଼ ଓ ପ୍ରଭାବଶାଳୀ ହେଉନା କାହିଁକି  କିଛି ଦିନ ପର୍ଯ୍ୟନ୍ତ ଲୋକଙ୍କ ମନରେ ଆତଙ୍କବାଦୀ ଘଟଣା ହିଁ ବାସ କରିବ।

ବର୍ତ୍ତମାନ ମୋଦି ଓ ବିଜେପିକୁ ଏକ ଭଲ ସୁଯୋଗ ମିଳିଲା ଯେଉଁଥିରେ କି ଦେଶର ସୁରକ୍ଷା ଓ ଉଗ୍ରଜାତୀୟତାବଦ ଆଦି କଥାକୁ ଦଳ ପୁଣି ଥରେ ଲୋକଙ୍କ ଭିତରେ ତେଜେଇପାରିବ। ଯେହେତୁ ଏହା  ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱର ପ୍ରଶ୍ନ ଏମିତି ବି କେହି ମୋଦିଙ୍କୁ ପ୍ରଶ୍ନ କରିବାର ସୁଯୋଗ ପାଇବେ ନାହିଁ। କୌଣସି ବିରୋଧୀ ଦଳ ମୋଦି ସରକାରର ନିଷ୍ପତ୍ତିକୁ ବି ଖୋଲା ଚ୍ୟାଲେଞ୍ଜ କରିପାରିବେ ନାହିଁ। ସତ କହିଲେ ରାଜନୈତିକ ଭାବେ ପୁଲୱାମା ଘଟଣା ମୋଦିଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

ସାଧାରଣତଃ ଯେତେବେଳେ ଗୋଟିଏ ରାଷ୍ଟ୍ର ସଙ୍କଟ ସମୟ ଦେଇ ଗତି କରୁଥାଏ, ଯେଉଁମାନେ କ୍ଷମତାରେ ଥାଆନ୍ତି ସେମାନେ ହିଁ ତାହାର ଫାଇଦା ଉଠାଇ ଥାନ୍ତି ଏହା ଏକ ସାର୍ବଜନୀନ ସତ୍ୟ।

ଇନ୍ଦିରା ଗାନ୍ଧି ଏହି ଫାଇଦା ନେଇଥିଲେ ୧୯୭୧ରେ (ଭାରତ-ପାକିସ୍ତାନ ଯୁଦ୍ଧ), ଅଟଳ ବିହାରୀ ବାଜପେୟୀ ୧୯୯୯ରେ (କାର୍ଗିଲ ଯୁଦ୍ଧ) ଓ ୨୦୦୮ରେ କଂଗ୍ରେସ ବା ୟୁପିଏ ସରକାର (ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ)।

ଯାହା ଦେଖା ଯାଉଛି ପୁଲୱାମା ଘଟଣା ପରେ ଦେଶର ସୁରକ୍ଷା ପ୍ରଶ୍ନ ଉପରେ ମୋଦିଙ୍କ ବିରୋଧରେ କହିବା ପାଇଁ ବିରୋଧୀଙ୍କ ଏକଜୁଟ ହେବା ବିଶେଷ କାମ ଦେବ ନାହିଁ। ଫେବ୍ରୁଆରି ୧୪ ଘଟଣା ପରେ ଭାରତର ପାକିସ୍ତାନ ଓ ଚୀନ ନୀତି କ’ଣ ହେବ ସେକଥା ବର୍ତ୍ତମାନଠାରୁ କହିବା କଷ୍ଟ। କିନ୍ତୁ ଏତିକି ନିଶ୍ଚିତ ଯେ ପୁଲୱାମା ଘଟଣାର ସବୁଠୁ ବଡ଼ ହିତାଧିକାରୀ ହେବେ ମୋଦି। ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଯଦି ଏହି ଘଟଣାକୁ ଲୋକଙ୍କ ମନରେ ଜୀବନ୍ତ କରି ରଖାଯାଏ, ବିରୋଧୀ ଦଳଙ୍କ ଯୋଜନା ଆବଶ୍ୟକୀୟ ଫଳ ଦେଇନପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment